Home General ଅଙ୍ଗଦାତାଙ୍କୁ ସୂରଜ ପୁରସ୍କାର

ଅଙ୍ଗଦାତାଙ୍କୁ ସୂରଜ ପୁରସ୍କାର

ଭୁବନେଶ୍ୱର : ଅଙ୍ଗଦାନ ମାଧ୍ୟମରେ ନିଜର ମୃତ୍ୟୁ ପରେ ଅନ୍ୟକୁ ଜୀବନ ଦାନ କରିବା ଏକ ଉଚ୍ଚତର ମହାନ କାର୍ଯ୍ୟ ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଛନ୍ତି ।

ଆଜି ବିଶ୍ୱ ଅଙ୍ଗଦାନ ଦିବସ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ମହାଲିଙ୍ଗ ଏହା କହିଛନ୍ତି । ଅଙ୍ଗଦାତା ଏବଂ ସେମାନଙ୍କ ପରିବାରଙ୍କୁ ସମ୍ମାନ ପ୍ରଦର୍ଶନ କରି ସେ କହିଥିଲେ ଯେ ଆପଣଙ୍କ ମହତ ଦାନ ଯୋଗୁ ଅନ୍ୟ ଲୋକମାନେ ଜୀବନ ଦାନ ପାଇବା ସହ ଓଡ଼ିଶାକୁ ମଧ୍ୟ ଜାତୀୟ ସ୍ତରରେ ଅଙ୍ଗଦାନ କ୍ଷେତ୍ରରେ ଉଦୀୟମାନ ରାଜ୍ୟ ଭାବେ ମାନ୍ୟତା ମିଳିଛି ।

ଅଙ୍ଗଦାତା ପରିବାର ସ୍ୱଜନମାନଙ୍କୁ ସ୍ଵାଗତ କରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ କହିଥିଲେ ଯେ ଆପଣମାନଙ୍କ ମାନବୀୟ ତ୍ୟାଗ ଓ ସାହସକୁ କେବଳ କିଛି ଶବ୍ଦରେ ପ୍ରକାଶ କରିହେବ ନାହିଁ । ଅଙ୍ଗଦାନ କରି ଆପଣ ମହାନ ମାନବିକତାକୁ ପ୍ରୋତ୍ସାହିତ କରିଛନ୍ତି । ଜଣେ ଅଙ୍ଗଦାତା ଜୀବନ ଯୁଦ୍ଧ ସହ ଲଢ଼ୁଥିବା ଆଠ ଜଣଙ୍କୁ ଜୀବନ ଦେଇଥାଏ । ଏ ପରିକି ଜଣେ ଟିସୁ ଦାନ କରି ୫୦ ଜଣଙ୍କ ଜୀବନ ରକ୍ଷା କରିପାରେ । ଆପଣମାନଙ୍କ ମହତ ଦାନ ପାଇଁ ମୁଁ ଓଡ଼ିଶାବାସୀଙ୍କ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

 ଏହି ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ତରଫରୁ ଡଃ ମୁକେଶ ମହାଲିଙ୍ଗ ୨୪ ଜଣ ଅଙ୍ଗଦାତାଙ୍କ ପରିବାର ସ୍ୱଜନକୁ ସୁରଜ ପୁରସ୍କାରରେ ସମ୍ମାନିତ କରିଥିଲେ । ପ୍ରତି ପରିବାରଙ୍କୁ ସମ୍ମାନ ସ୍ମାରକୀ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।

ଝାରସୁଗୁଡା ଜିଲ୍ଲାର ସ୍ଵର୍ଗତ ରଶ୍ମୀ ପ୍ରଭା ପଟେଲ, ନୟାଗଡଜିଲ୍ଲାର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ସ୍ଵର୍ଗତ ବିକାଶ କୁମାର ସାହୁ, କେନ୍ଦ୍ରାପଡ଼ା  ଜିଲ୍ଲାର ସ୍ଵର୍ଗତ ମନୋଜ କୁମାର ସାହୁ, ବାଲେଶ୍ଵର ସ୍ଵର୍ଗତ ଅଲେଖ ପ୍ରସାଦ ପରିଡା, କଟକର ସ୍ଵର୍ଗତ ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ସ୍ଵର୍ଗତ ଲତା ମହାନ୍ତ, ସୁନ୍ଦରଗଡର ସ୍ଵର୍ଗତ ଜନ୍ମେଷ  ଲେଙ୍କା, ଖୋର୍ଦ୍ଧାର ସ୍ଵର୍ଗତ ପ୍ରଦୀପ କୁମାର ଜେନା ମୟୂରଭଞ୍ଜର  ସ୍ଵର୍ଗତ ସ୍ଵଶ୍ରୀଆୟାନ ପାତ୍ର, ଅନୁଗୁଳ ଜିଲ୍ଲାର ସ୍ଵର୍ଗତ ବିଶ୍ଵଜିତ ଦାସ,  ଖୋର୍ଦ୍ଧାର  ସ୍ଵର୍ଗତ ଜୟନ୍ତ କୁମାର ଖମାରୀ, କେନ୍ଦ୍ରାପଡ଼ାର ସ୍ଵର୍ଗତ ଅଜୟ କୁମାର ଗିରି, କୋରାପୁଟର  ସ୍ଵର୍ଗତ ଆସିଶ ଛୁଆଳସିଂ, ରାୟଗଡାର  ସ୍ଵର୍ଗତ ଚନ୍ଦ୍ରଶେଖର ନାୟକ ଗଜପତିର ସ୍ଵର୍ଗତ ନରସିଂହ ପ୍ରସାଦ ମହାରଣା, ଗଜପତିର  ସ୍ଵର୍ଗତ ପଣ୍ଡାଇ ଶବର, କେନ୍ଦ୍ରାପଡ଼ାର  ସ୍ଵର୍ଗତ ଶରତ ଚନ୍ଦ୍ର ବିଶ୍ଵାଳ, ରାୟଗଡାର   ସ୍ଵର୍ଗତ ପିଲାନ୍ତ ଶବର, ଗଜପତିର  ସ୍ଵର୍ଗତ କେ ନରେଶ ପଟ୍ଟନାୟକ,  ଗଜପତିର ସ୍ଵର୍ଗତ ଅରୁଣ ଭୂୟାଁ, ଖୋର୍ଦ୍ଧାର ସ୍ଵର୍ଗତ ସୌମ୍ୟ ରଞ୍ଜନ ବେହେରା, ଭଦ୍ରକର ସ୍ଵର୍ଗତ ଶିବ ପ୍ରସାଦ ଜେନା, ଏବଂ ଖୋର୍ଦ୍ଧା ଜିଲ୍ଲାର ସ୍ଵର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ସୂରଜ ପୁରସ୍କାର ରେ ସମ୍ମାନିତ କରାଯିବା ସହ ପ୍ରତ୍ୟେକ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରାଯାଇଥିଲା ।

ଉଲ୍ଲେଖ ଯୋଗ୍ୟ ଯେ , ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ମୃତ ପୁତ୍ରର ଅଙ୍ଗଦାନ କରିଥିଲେ ଏବଂ ରାଜ୍ୟରେ ସ୍ଵେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ ।  ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗଦାତା ମାନଙ୍କୁ ଏବଂ ଅଙ୍ଗଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ୨୦୨୦ ମସିହା ଠାରୁ “ସୂରଜ ପୁରସ୍କାର ” ପ୍ରଦାନ କରା ଯାଉଛି । ମହତ୍ୱପୂର୍ଣ୍ଣ  ଅଙ୍ଗ ଦାନ କରିଥିବା ମୃତକ ଏବଂ ସେମାନଙ୍କ ପରିବାରର ନିସ୍ୱାର୍ଥପର ଓ  ବୀରତ୍ୱର ଅବଦାନକୁ ସମ୍ମାନ ଜଣାଇ ମୃତକ ମାନଙ୍କର  ଶେଷକୃତ୍ୟ ସପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ କରାଯାଉଅଛି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ସ୍ଵାଇଁ, ରାଜ୍ୟ ଅର୍ଗାନ ଏବଂ ଟିସୁ ପ୍ରତିରୋପଣ ସଂସ୍ଥା ନୋଡାଲ ଅଫିସର ପ୍ରଫେସର ଉମାକାନ୍ତ ଶତପଥୀ,  ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ-ଶାସନ ସଚିବ ଅରୁଣା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।