Home General ପୁରୀରେ ୭୫%ରୁ ଅଧିକ ପରିବାରକୁ ପାନୀୟଜଳ

ପୁରୀରେ ୭୫%ରୁ ଅଧିକ ପରିବାରକୁ ପାନୀୟଜଳ

ଭୁବନେଶ୍ୱର : ପୁରୀ ଜିଲ୍ଲାର ଗ୍ରାମାଞ୍ଚଳର ବସବାସ କରୁଥିବା ୨.୪୪ ଲକ୍ଷ ପରିବାର ମଧ୍ୟରୁ ୭୫.୭୮ ପ୍ରତିଶତ ପରିବାରଙ୍କ ଘରକୁ ପାଇପ୍‍ ଜଳ ସଂଯୋଗ ମିଳିଛି । ତେବେ ଅମୃତ ୨.୦ ଯୋଜନାରେ ପୁରୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ । ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରନ୍ତ୍ରୀ ଭି. ସୋମାନ୍ନା ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ମସିହାରୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହଯୋଗରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ପୁରୀ ସମେତ ଦେଶର ସମସତ ଗ୍ରାମାଞ୍ଚଳର ପରିବାରକୁ ବିଆଇଏସ୍‍:୧୦୫୦୦ ଗୁଣମାନର ଜଳ ଦିନକୁ ୫୫ ଏଲପିସିଡି ପରିମାଣର ଯୋଗାଇ ଦିଆଉଛି । ୨୦୧୯ ମସିହାରେ ପୁରୀ ଜିଲ୍ଲାରେ ମାତ୍ର ୨୧୬୯ଟି ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଉ ୨.୪୨ଲକ୍ଷ ପରିବାରକୁ ଏଥିରେ ସାମିଲ କରାଯାଇଛି । ଚଳିତବର୍ଷ ଅଗଷ୍ଟ ୮ତାରିଖ ସୁଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳରେ ୩.୨୨ ଲକ୍ଷ ପରିବାର ଥିବାବେଳେ ଏମାନଙ୍କ ମଧ୍ୟରୁ ୨.୪୪ଲକ୍ଷ ପରିବାର ଅର୍ଥାତ୍‍ ୭୫.୭୮ ପ୍ରତିଶତ ପରିବାରଙ୍କ ଘରକୁ ପାଇପ୍‍ ଜଳ ସଂଯୋଗ ମିଳିପାରିଛି ।

ଜଳ ଜୀବନ ମିଶନର ବର୍ତ୍ତମାନର ମାର୍ଗଦର୍ଶିକା ଅନୁଯାୟୀ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ:୧୦୫୦୦ ମାନର ପାନୀୟଜଳ ପାଇପ୍‍ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଯୋଗାଣ ହେଉଥିବା ଜଳରେ ରସାୟନିକ ପଦାର୍ଥକୁ ନେଇ ବିଆଇଏସ୍‍ ପକ୍ଷରୁ ଏକ ଗ୍ରହଣୀୟ ସୀମା ଓ ଅନୁମତି ସୀମା ସ୍ଥିତର କରାଯାଇଛି । ଏଥି ମଧ୍ୟରେ ଫ୍ଲୋରାଇଡ୍‍, ଟିଡିଏସ୍‍ ଆଦି ରହିଛି । ରାଜ୍ୟ ସରାକର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିୟମିତ ଭାବେ ଜଳର ଗୁଣାମାନକୁ ଦୃଷ୍ଟିରେ ରଖି ନମୂନା ସଂଗ୍ରହ, ମନଟରିଂ ଆଦି କରିବା ସହିତ ଏହାକୁ ଅପଲୋଡ ପାଇଁ ମିଶନର ଜଳ ଗୁଣ ପରିଚାଳନା ସୂଚନା ବ୍ୟବସ୍ଥା (ଡବ୍ଲୁକ୍ୟୁଏମଆଇଏସ୍‍) ପୋର୍ଟାଲ ପ୍ରସ୍ତୁତ ହୋଇଛି ।

କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ୨୦୧୫ ଜୁନ୍‍ ୨୫ ତାରିଖରୁ ୫୦୦ ଟି ସହରାଞ୍ଚଳରେ ଅମୃତ ଯୋଜନାର ଶୁଭାରମ୍ଭ ହୋଇଥିଲା । ଜଳ ଯୋଗାଣ ସହିତ ସ୍ୱରେଜ ଆଦି କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ ପାଇଁ ଏହି ଯୋଜନା ପ୍ରଥମେ ଗୁରୁତ୍ୱ ଦେଇଥିଲା । ଏଥି ସହିତ ସବୁଜ ବଳୟ, ପାର୍କ, ସହରାଞ୍ଚଳ ପରିବହନ ଏଥିରେ ସାମିଲ ଥିଲା । ତେବେ ଅମୃତ ଯୋଜନା ୨.୦ ରେ ୨୪ଘଣ୍ଟିଆ ଜଳ ଯୋଗାଣ ସହିତ ଡ୍ରିଙ୍କ୍‍ ଫ୍ରମ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଓଡିଶାରେ ପ୍ରାୟ ୪୬୪ କୋଟି ଟଙ୍କା ବ୍ୟୟରେ ୪୮ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ତେବେ ପୁରୀ ଜିଲ୍ଲାରେ ୨୪ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥାକୁ ଏଥିରେ ସାମିଲ କରାଯାଇନଥିଲା ।

ମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ଅମୃତ ଯୋଜନା ଅଧିନରେ ସମଗ୍ର ଦେଶରେ ୩୪,୪୪୬ କୋଟି ଟଙ୍କା ବ୍ୟୟରେ ୮୯୦ ଟି ସ୍ୱରେଜ ଓ ସେପ୍ଟେଜ ପରିଚାଳନା ପ୍ରକଳ୍ପ ହାତକୁ ନିଆଯାଇଥିବାବେଳେ ଏଥି ମଧ୍ୟରୁ ପ୍ରାୟ ୩୩ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଏହା ବାଦ୍‍ ସଚ୍ଛ ଭାରତ ମିଶନ (ଗ୍ରାମୀଣ) ରେ ଡ୍ରେନ ସମସ୍ୟାର ସମାଧାନ ସହିତ ଉପଭୂଳ ଅଞ୍ଚଳରେ ମଇଳା ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଦ୍ୱିତୀୟ ପର୍ଯ୍ୟାୟରେ ଖୋଲାରେ ମଳ ତ୍ୟାଗ ମୁକ୍ତ (ଓଡିଏଫ୍‍) ଓ ଓଡିଏଫ୍‍ ପ୍ଲସ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)