ଭୁବନେଶ୍ୱର : ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ଅଭିଯୁକ୍ତଙ୍କୁ ନ୍ୟାୟ ମିଳି ପାରିଲା ନାହିଁ । ପୁଲିସ ଦୀର୍ଘ ୧୪ ଦିନ ଧରି ତଦନ୍ତ, ପ୍ରାୟ ୬୦ ଜଣଙ୍କ ବୟାନ ରେକର୍ଡ, ୨୫ ଜଣଙ୍କ କଲ ରେକର୍ଡିଙ୍ଗ ଯାଞ୍ଚ, ପୀଡ଼ିତାଙ୍କ ଚାରିଥର ବୟାନ ରେକର୍ଡ, ଆଦି କରିବା ସତ୍ୱେ ପୁଲିସ ହାତ ଖାଲି । ସ୍ୱର୍ଗତା ପୀଡ଼ିତାଙ୍କ ମାଆ ଏତଲାରେ ତାଙ୍କ ଝିଅକୁ ତିନି ମୁଖାପିନ୍ଧା ଦୁର୍ବୃତ୍ତ ଟେକି ନେଇଥିବା ଏତଲାରେ ଉଲ୍ଲେଖ କରିଥିଲେ ସୁଦ୍ଧା ପୀଡ଼ିତାଙ୍କ ମୃତ୍ୟୁ ପରେ ପୁଲିସ ପକ୍ଷରୁ ଛାତ୍ରୀ ପୋଡ଼ି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତି ନ ଥିବା ଘୋଷଣା କରିବା ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆଇନ ବ୍ୟବସ୍ଥା ପ୍ରତି ଏକ ଲଜ୍ଜ୍ୟାଜନକ ଉପହାସ ।
ଛାତ୍ରୀଙ୍କ ମୃତ୍ୟୁ ପରଦିନ ବଳଙ୍ଗା ଘଟଣାର ଅଭିଯୁକ୍ତଙ୍କୁ ଆଗାମୀ ୭ ଦିନ ମଧ୍ୟରେ ଗିରଫ ନ କଲେ କଟକସ୍ଥିତ ଡିଜି ଅଫିସ ଘେରାଉ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଚେତାବନୀ ଦେଇଥିଲେ । ପୁଲିସ ତଥାପି ନିଦାବିଷ୍ଣୁ ସାଜିଲା ତେଣୁ ଗତ ଅଗଷ୍ଟ ୮ ତାରିଖରେ ଡିଜି ଅଫିସ ଆଗରେ ଏକ ଶାନ୍ତିପୂର୍ଣ ଧାରଣା ଦିଆଯାଇ ସରକାରର ହାତବାରିସୀ ନ ହୋଇ ପୁଲିସକୁ ନିଜ କର୍ତ୍ତବ୍ୟ ଏବଂ ବିବେକ ଅନୁଯାଇ କାର୍ଯ୍ୟ କରିବାକୁ କଂଗ୍ରେସ ପକ୍ଷରୁ ସଚେତନ କରାଯାଇଥିଲା । ପୁଲିସ ଅଭିଯୁକ୍ତଙ୍କୁ ନିଶ୍ଚୟ ଗିରଫ କରିବାକୁ ପଡ଼ିବ । ନାରୀ ନ୍ୟାୟ କ୍ଷେତ୍ରରେ ସାଲିସ ହୋଇ ପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହା ଯାଇଥିଲା । ଏହି ସଭାରୁ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀ କରି ପିସିସି ସଭାପତି ଦାସ ବଳଙ୍ଗା-ନିମାପଡା ପଦଯାତ୍ରା ଘୋଷଣା କରିଥିଲେ ।
ଆଜି ଅଗଷ୍ଟ ୧୦ ତାରିଖରେ ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଜଟଣୀରେ କଂଗ୍ରେସ କର୍ମକର୍ତ୍ତା ଶୋଭାଯାତ୍ରାକୁ ସ୍ୱାଗତ କରିବା ସହ ସାମିଲ ହୋଇ ବାୟାବର ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପହଞ୍ଚି ସ୍ୱର୍ଗତା ଛାତ୍ରୀଙ୍କ ପିତାଙ୍କ ସହ ସାକ୍ଷାତ କରି କବରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ମୃତ ଛାତ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଲଢେଇ ଜାରୀ ରଖିବ ବୋଲି ଛାତ୍ରୀଙ୍କ ପିତାଙ୍କୁ ଆଶ୍ୱାସନା ଦେଇଥିଲେ । ବାୟାବରଠାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ନେତୃତ୍ୱରେ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗହଣରେ ଶହ ଶହ କର୍ମକର୍ତ୍ତାଙ୍କ ନାରୀ ନ୍ୟାୟ ପଦଯାତ୍ରା ଆରମ୍ଭ ହୋଇଥିଲା । ନିମାପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥାନୀୟ କଂଗ୍ରେସ କର୍ମକର୍ତ୍ତା ପଦଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସାମିଲ ହୋଇଥିଲେ । ନିମାପଡା ପହଞ୍ଚିଲା ବେଳକୁ ପଦଯାତ୍ରା ହଜାର ହଜାର କଂଗ୍ରେସ କର୍ମକର୍ତ୍ତାଙ୍କ ଏକ ବିଶାଳ ପଟୁଆରର ରୂପ ନେଇ ସାରିଥିଲା ।
ସଭାପତି ଦାସ ବଳଙ୍ଗା ବଜାରଠାରେ ଏକ ପଥପ୍ରାନ୍ତ ସଭାରେ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ କହିଲେ ଯେ ମୁଁ କଂଗ୍ରେସ ସଭାପତି ହେବା ପରଠୁ ବିଗତ ଛଅ ମାସ ହେଲା ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ଲଢେଇ କରୁଛି । ଏମିତି ଗୋଟିଏ ଦିନ ମଧ୍ୟ ନାହିଁ ଯେଉଁଦିନ କଂଗ୍ରେସ ଚୁପ ହୋଇ ବସି ରହିଛି । କଂଗ୍ରେସ ନାରୀ ନ୍ୟାୟ ପାଇଁ ପଣ କରିଛି ଏବଂ ନ୍ୟାୟ ଅଲବତ ହେବ । ତିନିଜଣ ଦୁର୍ବୃତ୍ତ ଟେକିନେବା କଥା ଏଫଆଇଆର ହେବା ସତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଧରି ପାରୁନି । ପୁଲିସ କଣ ଏତେ ଦୁର୍ବଳ । ପୁଲିସ ସରକାରଙ୍କ ଚାପରେ କାମ କରୁଛି । କାହିଁକି ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି । ସେମାନେ କଣ ମୁଖ୍ୟମନ୍ତ୍ରୀଙ୍କ ପୁଅ ନା ପ୍ରଧାନମନ୍ତ୍ରୀଙ୍କ ପୁଅ ! ଓଡିଶାବାସୀ ଜାଣିବାକୁ ଚାହାଁନ୍ତି ସେଇ ଅଭିଯୁକ୍ତ ମାନେ କିଏ ?
ମୃତ ଛାତ୍ରୀଙ୍କ ବାପା ପ୍ରକୃତରେ ନ୍ୟାୟ ଚାହାଁନ୍ତି ନ ହେଲେ ସେ ଘରେ ରହିଥାନ୍ତେ ଆମ ସହିତ ସାକ୍ଷାତ କରି ନ ଥାନ୍ତେ । ଦୁନିଆରେ ସମସ୍ତ ପିତାମାତା ଜାଣନ୍ତି ତାଙ୍କ ପୁତ୍ର ପୁତ୍ରୀଙ୍କ ମୂଲ୍ୟ । ଏହି ସନ୍ତାନଙ୍କ ମୂଲ୍ୟ ଆଗରେ କୋଟି କୋଟି ଟଙ୍କା ତୁଚ୍ଛ ।
ପିସିସି ସଭାପତି ଦାସ ସରକାରଙ୍କୁ ଚେତାବନୀ ଦେଇ କହିଲେ ଯେ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରୀ ରହିବ, ରାଜ୍ୟ ସାରା ଘଟୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ କଂଗ୍ରେସର ନାରୀ ନ୍ୟାୟ ଯାତ୍ରା ଅବ୍ୟାହତ ରହିବ । କଂଗ୍ରେସ ଡିଜି ଅଫିସ ଘେରାଉ କଲା, ତଥାପି ପୁଲିସ କର୍ଣ୍ଣପାତ ନ କରିବାରୁ ଆଜି ଆମେ ନୀଳଚକ୍ରଙ୍କ ଆଶୀର୍ବାଦରେ ବଳଙ୍ଗାରୁ ନିମାପଡା ପଦଯାତ୍ରା କରିଛୁ ଏବଂ ଏସବୁ ସତ୍ୱେ ଯଦି ସରକାର ଏବଂ ପୁଲିସ ଅଭିଯୁକ୍ତଙ୍କୁ ଧରିବ ନାହିଁ ତେବେ ସାରା ରାଜ୍ୟରେ ଥିବା ୬୦୦ ରୁ ଉର୍ଧ୍ଵ ପୁଲିସ ଷ୍ଟେସନ କଂଗ୍ରେସ ଘେରାଉ କରିବ ।
ଅଭିଯୁକ୍ତଙ୍କୁ ଗିରଫ କର ନ ହେଲେ ଆମେ ଆପଣଙ୍କ ବିରୋଧରେ କ୍ରମାଗତ ଶାନ୍ତିପୂର୍ଣ ସଂଗ୍ରାମ କରି ଥକେଇ ଦେବୁ । ନାରୀ ନ୍ୟାୟ କେବଳ କଂଗ୍ରେସର ସଂଗ୍ରାମ ନୁହେଁ ଏହା ଆମ ସମସ୍ତ ଓଡିଶା ଜନସାଧାରଣଙ୍କ ସଂଗ୍ରାମ । ନାରୀ ନ୍ୟାୟ ହେଉଛି ମାନବତାର ପ୍ରଥମ କର୍ତ୍ତବ୍ୟ । ଏହି ନାରୀ ନ୍ୟାୟ ଆନ୍ଦୋଳନରେ ସମସ୍ତ ଜନସାଧାରଣ ସାମିଲ ହୋଇ ରାଜ୍ୟରେ ନାରୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ପିସିସି ସଭାପତି ଦାସ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଆହ୍ୱାନ ଜଣାଇଥିଲେ ।
ନିମାପଡାରେ ପଦଯାତ୍ରା ସମାପନ ହୋଇ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଅନନ୍ତ ଚରଣ ସେଠୀ, ପୁରୀ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର,ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ରାଜୀବ ପଟ୍ଟନାୟକ, ବରିଷ୍ଠ ନେତା ଡଃ ଲଲାଟେନ୍ଦୁ ମହାପାତ୍ର, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପିସିସି କୋଷାଧକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, ମହିଳା କଂଗ୍ରେସ ଉପସଭାପତି ସସ୍ମିତା ବେହେରା, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ସଂଖ୍ୟା ଲଘୁ ବିଭାଗ ଅଧ୍ୟକ୍ଷ ଜିଆ ଉଲ ହକ, ନିମାପଡା ଯୁବନେତା ବିଶ୍ୱ ଭୂଷଣ ଦାଶ, ନେତ୍ରୀ ନିରୁପମା ପାତ୍ର, ନାରୀ ନ୍ୟାୟ ବାହିନୀର ସ୍ବେଛାସେବୀ ଏବଂ ପୁରୀ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମକର୍ତ୍ତା ଏହି ସଭାରେ ଯୋଗଦାନ କରିଥିଲେ ।