Home Education ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଅନିଶ୍ଚିତତାରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣା ଏବେ ସାରା ରାଜ୍ୟର ଛାତ୍ର ରାଜନୀତିକୁ ସରଗରମ କରୁଥିବା ବେଳେ ଜଗତସିଂହପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ଏବଂ ମାଲକାନଗିରିରୁ ମୟୂରଭଞ୍ଜ ଯାଏ କଲେଜ୍‍ ରାଜନୀତି ସରଗରମ ହୋଇପଡୁଛି । ଏହି ଭିତ୍ତିଭୂମିରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡମାନ ଉପୁଜୁଥିବା ଓ ଛାତ୍ରଛାତ୍ରୀମାନଙ୍କୁ କେତେକ ସ୍ଥଳରେ ନିର୍ଯାତନା ଦିଆଯାଉଥିବା ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାଲେଶ୍ୱର ଘଟଣାରେ ପୂର୍ବରୁ କଲେଜ୍‍ର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ନିଲମ୍ବନ ସହିତ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ କ୍ରାଇବ୍‍ବ୍ରାଞ୍ଚ କଲେଜ୍‍ର ଜଣେ ପୁରାତନ ଛାତ୍ରଙ୍କ ସମେତ ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିବା ଅନ୍ୟ ଜଣେ ଛାତ୍ରଙ୍କୁ ଗିରଫ କରିଛି । ଜୀବନ ହାରିଥିବା ସୌମ୍ୟାଶ୍ରୀ ଓ ଗିରଫ ହୋଇଥିବା ଏ ଦୁଇଜଣ ଯାକ ଛାତ୍ର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ଓ ସଦସ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ସହିତ ବିଦ୍ୟାର୍ଥୀ ପରିଷଦର ସଂପର୍କ ଜଣାଶୁଣା । ଏ ପରିପ୍ରେକ୍ଷୀରେ ଏବିଭିପିର ଦୁଇ ଛାତ୍ର ନେତାଙ୍କୁ ସୌମ୍ୟାଶ୍ରୀ ମାମଲାରେ ଓଡ଼ିଶା ସରକାରଙ୍କ ପୁଲିସ ଗିରଫ କରି ଜେଲ୍‍ ପଠାଇବା ଛାତ୍ର ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି । ଛାତ୍ର କଂଗ୍ରେସ ଓ ବିଜୁ ଛାତ୍ର ଜନତା ଦଳ ସମେତ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ଏହାକୁ ମୁଖ୍ୟ ପ୍ରସଂଗ କରି ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରିସରକୁ ନେଉଛନ୍ତି ।

ଇତିମଧ୍ୟରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଗୋଷ୍ଠୀ ସମର୍ଥନକୁ କେନ୍ଦ୍ର କରି ଜଗତସିଂହପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଜଣେ ଛାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଜଗତସିଂହପୁର ଏବଂ ବାଲେଶ୍ୱରର ସାଂସଦ ଓ ବିଧାୟକ ବିଜେପି ଦଳର ଥିôବାବେଳେ ସେଠାରେ କିଭଳି ହିଂସାକାଣ୍ଡ ଘଟିଲା ତାହା ଏବେ ଚର୍ଚ୍ଚାର ବିଷୟ । ଅନ୍ୟପକ୍ଷରେ ସୌମ୍ୟାଶ୍ରୀ ପ୍ରସଂଗକୁ ନେଇ ବିରୋଧୀ ଦଳମାନେ ହୀନ ରାଜନୀତି କରୁଛନ୍ତି ବୋଲି ଉଭୟ ବିଜେପି ଓ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବାରମ୍ବାର ଆରୋପ କରାଯାଉଛି ।

ଛାତ୍ର ସଂସଦ ଦଖଲ କରିବା ବିଭିନ୍ନ ଅଞ୍ଚଳର ରାଜନେତାମାନଙ୍କ ମର୍ଯ୍ୟାଦାର ପ୍ରଶ୍ନ ହୋଇଥିବାରୁ ସେମାନଙ୍କ ପ୍ରୋତ୍ସାହନରେ ଦଳୀୟ ଛାତ୍ର ସଂଗଠନଗୁଡ଼ିକ ଏବେ କଲେଜ୍‍ କ୍ୟାମ୍ପସ୍‍ରେ ଅଧିକ ସକ୍ରିୟତା ପ୍ରଦର୍ଶନ କରୁଛନ୍ତି । ଦୀର୍ଘବର୍ଷ ଧରି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବା ଯୋଗୁ ଏବେ କଲେଜ୍‍ରେ ପଢ଼ୁଥିବା ପ୍ରାୟ କୌଣସି ଛାତ୍ରଛତ୍ରୀ କଲେଜ୍‍ ନିର୍ବାଚନ ଦେଖି ନାହାନ୍ତି । ଅଧିକାଂଶ ସ୍ଥଳରେ ଛାତ୍ର ସଂଗଠନଗୁଡ଼ିକର ସମର୍ପିତ ସଭ୍ୟ ଓ କର୍ମୀ ମଧ୍ୟ କଲେଜ୍‍ ପରିସରରେ ନାହାନ୍ତି । କେବଳ ଟଙ୍କାର ଖେଳରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି ।

ଦଶହରା ପୂଜା ଛୁଟି ପୂର୍ବରୁ ସାଧାରଣତଃ ଗୋଟିଏ ଦିନରେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯାଇଥାଏ । ଗତବର୍ଷ ଶାସନ କ୍ଷମତାକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ହୋଇନଥିଲା । ଏ ପରିପ୍ରେକ୍ଷୀରେ ଚଳିତ ଶିକ୍ଷାବର୍ଷରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଯାହା ଶୁଣାଯାଉଛି ତାହା ହେବ କି ନାହିଁ ସେଥିଘେନି ସନ୍ଦେହ ରହିଛି । ଯେଭଳି ଭାବରେ କଲେଜ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିଂସା, ଦ୍ୱେଷ ଓ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି ସେଥିରୁ ଛାତ୍ର ସଂସଦ ନିର୍ବାଚନ ହେଲେ ଯେ ତାହା ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ସମାହିତ ହେବ ସେ ଗ୍ୟାରେଣ୍ଟି କେହି ଦେଇପାରୁ ନାହାନ୍ତି ।

ଏ ପରିପ୍ରେକ୍ଷୀରେ ଅଧିକାଂଶ ଶିକ୍ଷକ ଓ ଅଭିଭାବକ ଏବଂ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ନକରିବାକୁ ମତ ଦେଉଛନ୍ତି । ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ୍‍ଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନଥିବାବେଳେ ଅତିଥି ଅଧ୍ୟାପକଙ୍କୁ ଭରସା କରି ପାଠ ପଢ଼ା ଚାଲୁଛି । ସେହିଭଳି ୧୩ଟି ବିଶ୍ୱବିଦ୍ୟାଳୟରେ ମଧ୍ୟ ନିୟମିତ କୁଳପତି ନାହାନ୍ତି ଏବଂ ସେଠାରେ ବି ୫୦ ପ୍ରତିଶତରୁ ଅଧିକ ନିୟମିତ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଛାତ୍ର ସଂସଦ ନିର୍ବାଚନ ଏବଂ ତାହାର ପୂର୍ବ ଓ ପରବର୍ତ୍ତୀ ପରିସ୍ଥିତି କିଏ ନିୟନ୍ତ୍ରଣ କରିବ ସେଥିଘେନି ମଧ୍ୟ ପ୍ରଶ୍ନବାଚୀ ରହିଛି ।(ତଥ୍ୟ)