ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡୁଥିବା ସରକାରୀ ବାବୁମାନଙ୍କର ଯେତେସବୁ ପ୍ଲଟ ସାମ୍ନାକୁ ଆସୁଛି ସେଥିରୁ ଅନେକ ରାଜଧାନୀରେ କିଣିଥିବା ଦେଖିବାକୁ ମିଳିଛି । ଏମାନେ ନିଜ ନାଁରେ ହେଉ କିମ୍ବା ସମ୍ପର୍କୀୟଙ୍କ ନାଁରେ ହେଉ, ରାଜଧାନୀରେ ଜମି କିଣିବା ସହିତ ତାହାକୁ ପକାଇ ରଖି ଅଧିକ ଦରରେ ବିକ୍ରି କରୁଛନ୍ତି । ବେସରକାରୀ ଜମି କିଣିଲାପରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଘର କରିବାକୁ ସରକାରୀ ନିୟମ ନଥିବାରୁ ଏହା ବାବୁମାନଙ୍କୁ ବେଶ୍ ସୁହାଇଛି ।
ରାଜଧାନୀ ଓ ଏହାର ଆଖପାଖରେ ସରକାରୀ ସଂସ୍ଥାଗୁଡିକ ଠାରୁ କିଣାଯାଉଥିବା ଜମି ଉପରେ ୩୬ମାସ ମଧ୍ୟରେ ନିଶ୍ଚିତ ଭାବେ ଘର କରିବାର ନିୟମ ରହିଛି । ତେବେ ବେସରକାରୀ ସଂସ୍ଥା କିମ୍ବା ଘରୋଇ ବ୍ୟକ୍ତିଙ୍କ ଠାରୁ କିଣାଯାଉଥିବା ଜମି ପାଇଁ ଏଭଳି ନିୟମ ନାହିଁ । ଘର ତିଆରି ପାଇଁ ସରକାରୀ ସଂସ୍ଥାଠାରୁ ଅନୁମତି ପାଇଲା ପରେ ୩ବର୍ଷ ମଧ୍ୟରେ ଘର କାମ ସାରିବାକୁ କୁହାଯାଇଛି ।
ଯେହେତୁ ବେସରକାରୀ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ଜମି କିଣି ଘର କରିବାପାଇଁ କୌଣସି ସମୟସୀମା ନାହିଁ ତେଣୁ ବାବୁମାନେ କଳା ପଇସାରେ ଏକାଧିକ ପ୍ଲଟ ଖରିଦ କରୁଛନ୍ତି ଓ ତାହାକୁ ପକାଇରଖି ଦର କଷୁଛନ୍ତି । ନିଜ କିମ୍ବା ନିଜ ପରିବାର ନାମରେ ଜମି କିମ୍ବା ଘର କିଣିଲେ ସେ ସଂକ୍ରାନ୍ତରେ ସରକାରଙ୍କୁ ଅବଗତ କରିବାର ନିୟମ ଥିଲେ ବି ତାହାକୁ କେହି ପ୍ରାୟତଃ ପାଳନ କରୁନାହାନ୍ତି ।
ତେବେ ସରକାରୀ ସଂସ୍ଥାଠାରୁ ରାଜଧାନୀରେ କିଣାଯାଉଥିବା ଜମି ଉପରେ ବି ଲୋକେ ଘର କରୁନାହାନ୍ତି । ବିଭିନ୍ନ ପ୍ରକାର ଆଳ ଦେଖାଇ ସମୟ ଗଡାଇ ଚାଲୁଛନ୍ତି । ଫଳରେ ଜମି ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଯେତେବେଳେ ଜମି ଦର ବହୁଗୁଣିତ ହେଉଛି ସୁବିଧା ଦେଖି ତାହାକୁ ବିକ୍ରି କରିନେଉଛନ୍ତି । ରାଜଧାନୀର ବିଭିନ୍ନ ୟୁନିଟ୍ରେ ଏଭଳି ଏକାଧିକ ପ୍ଲଟ ପଡି ରହିଛି । ଏଗୁଡିକରେ ଜଙ୍ଗଲ ଭଳି ପରିବେଶ ସୃଷ୍ଟି ହେଉଥିବାବେଳେ ଆଖପାଖ ଲୋକେ ଏହାକୁ ଡମ୍ପିଂୟାର୍ଡ ଭାବେ ବ୍ୟବହାର କରୁଛନ୍ତି । ଜମିର ମାଲିକ ଦଲାଲଙ୍କ ଡାବୁଡରୁ ରକ୍ଷା ପାଇବାପାଇଁ ଏହି ଜମିଟି ବିକ୍ରି ଯୋଗ୍ୟ ନୁହେଁ ବୋଲି ଲେଖିଦେଇ ଛୁ ମାରୁଛନ୍ତି । ବିଡିଏ, ବିଏମ୍ସି କିମ୍ବା ସାଧାରଣ ପ୍ରଶାସନ ଜମିକୁ ପକାଇ ରଖିଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।
ରାଜଧାନୀ ସହର ଭିତରେ ଏକାଧିକ ପ୍ଲଟ ପଡି ରହିବା ଫଳରେ ତାହା ଏବେ ମଶାବଂଶ ବୃଦ୍ଧିର ସ୍ଥାନ ପାଲଟିଛି । ଆଖପାଖ ଲୋକେ ମଶା କାମୁଡାରେ ଅତିଷ୍ଠ ହେଉଥିବାବେଳେ ଏ ନେଇ କିଛି କରିପାରୁ ନାହାନ୍ତି । ବିଏମ୍ସି କର୍ତ୍ତୃପକ୍ଷ ବି ନିଜଆଡୁ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଏକାଧିକ ଲୋକେ ରାଜଧାନୀ ଭିତରେ ଓ ଆଖପାଖରେ ବେନାମୀ ପ୍ଲଟ କିଣିବା ସହିତ ତାହାକୁ ପକାଇ ରଖି ଦର କଷିବାରେ ଲାଗିଛନ୍ତି । (ତଥ୍ୟ)