ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ରୋଗୀମାନଙ୍କ ସୁଲଭ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଠାରୁ ଗୋପବନ୍ଧୁ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ, ଆୟୁଷ୍ମାନ ବୟୋବନ୍ଦନା ଆଦି ବିଭିନ୍ନ ଯୋଜନା ଚାଲୁଥିବା ବେଳେ ରାଜ୍ୟ ଓ କେନ୍ଦ୍ରରେ ସ୍ୱାସ୍ଥ୍ୟ ମିଶନ ମଧ୍ୟ ରହିଛି । ଏସବୁ ସତ୍ତ୍ୱେ ଓଡ଼ିଶାରେ ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଥିବାବେଳେ ସରକାରୀ ମେଡିକାଲ୍ କଲେଜ୍ଗୁଡ଼ିକରେ ବି ପାଖାପାଖି ହଜାରେ ପର୍ଯ୍ୟନ୍ତ ଡାକ୍ତର ପଦବୀ ଖାଲି ପଡିଛି । ଏଥିଯୋଗୁ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବ୍ୟାହତ ହେଉଛି ।
ଗତ ମାର୍ଚ୍ଚ ମାସରେ ସରକାର ଦେଇଥିବା ତଥ୍ୟ ମୁତାବକ ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୫,୭୭୪ ଥିବାବେଳେ ସେଥିମଧ୍ୟରୁ ୫୮୩୪ ଡାକ୍ତର ପଦବୀ ଖାଲି ରହିଥିଲା । ଅର୍ଥାତ୍ ପାଖାପାଖି ୩୭ ପ୍ରତିଶତ ଡାକ୍ତର ପଦବୀ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଛି ।
ରାଜ୍ୟର ୩୦ଟିଯାକ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନାଗୁଡ଼ିକ ପାଇଁ ୨୮୨୩ଟି ମଞ୍ଜୁରୀପ୍ରାପ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଥିବାବେଳେ ସେଥିମଧ୍ୟରୁ ୧୫୪୦ ପଦବୀ ଖାଲି । ଅର୍ଥାତ୍ ଓଡ଼ିଶାର ସରକାରୀ ଡାକ୍ତରଖାନାଗୁଡ଼ିକରେ ପାଖାପାଖି ୫୫ ପ୍ରତିଶତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, ଢେଙ୍କାନାଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ବରଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଅଧାରୁ ଅଧିକ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ବୋଲି ସରକାରୀ ତଥ୍ୟ କହୁଛି ।
ଗତ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ୩୨୦ଟି ଭେଷଜ ବିଶେଷଜ୍ଞ ପଦବୀ ଖାଲି ପଡିଥିବାବେଳେ ୨୩୫ଟି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପଦବୀ ଖାଲି ରହିଥିଲା । ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସରକାର ଚିନ୍ତିତ ଥିବାବେଳେ ଗତ ମାର୍ଚ୍ଚ ପହିଲା ସୁଦ୍ଧା ଓଡ଼ିଶାରେ ୫୯୧ଟି ମଞ୍ଜୁରୀପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୬୯ଟି ଖାଲି ପଡ଼ିଥିଲା । ବିଭିନ୍ନ କାରଣରୁ ଅସ୍ତ୍ରୋପଚାର ଚିକିତ୍ସା ଉପରେ ଚାପ ବଢ଼ୁଥିବାବେଳେ ରାଜ୍ୟରେ ୫୦୦ ମଞ୍ଜୁରୀପ୍ରାପ୍ତ ଶଲ୍ୟ ବିଶେଷଜ୍ଞ ପଦବୀ ମଧ୍ୟରୁ ୩୪୨ଟି ଖାଲି ପଡିଥିଲା । ଅଧାରୁ ଅଧିକ ନିଶ୍ଚେତକ ବିଶେଷଜ୍ଞ ପଦବୀ ଆମ ରାଜ୍ୟରେ ଖାଲି ପଡ଼ିଥିବାବେଳେ ନିଦାନ, ହୃଦରୋଗ, ଟିବି ଆଦି ବିଶେଷଜ୍ଞ ପଦବୀ ମଧ୍ୟ ଅଧାରୁ ଅଧିକ ଖାଲି ପଡିଛି ।
ସରକାରୀ ମେଡିକାଲ୍ କଲେଜ୍ଗୁଡ଼ିକରେ ବି ସ୍ଥିତି ସେତେଟା ଭଲ ନୁହେଁ । ୧୫ଟି ସରକାରୀ ମେଡିକାଲ କଲେଜ୍ରେ ପ୍ରାୟ ୧୦୦ ପ୍ରଫେସର ପଦବୀ, ପାଖାପାଖି ୨୦୦ ସହଯୋଗୀ ପ୍ରଫେସର ପଦବୀ ଓ ୯୦ରୁ ଅଧିକ ସହକାରୀ ପ୍ରଫେସର ପଦବୀ ମଧ୍ୟ ଖାଲି । ମୋଟାମୋଟି ଭାବେ ସରକାରୀ ମେଡିକାଲ୍ କଲେଜ୍ଗୁଡ଼ିକରେ ବିଭିନ୍ନ ପାହ୍ୟାର ପାଖାପାଖି ୧୦୦୦ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ପଡିଛି । ଅବଶ୍ୟ ଇତିମଧ୍ୟରେ ଉଭୟ ଡାକ୍ତର, ବିଶେଷଜ୍ଞ ଏବଂ ଡାକ୍ତରୀ ଶିକ୍ଷକ ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରୁଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସବ୍ଡିଭିଜନ୍ ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନାଗୁଡ଼ିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ପରିଲଖିତ ହେଉଥିôବାରୁ ବହୁ କ୍ଷେତ୍ରରେ ରୋଗୀମାନଙ୍କୁ ସରକାରୀ ମେଡିକାଲ୍ କଲେଜ୍ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକୁ ପଠାଇବାକୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରମାନେ ବାଧ୍ୟ ହେଉଛନ୍ତି । ସରକାରୀ ଡାକ୍ତରଖାନା ଓ ସରକାରୀ ମେଡିକାଲ କଲେଜ୍ଗୁଡ଼ିକ ଉପରେ ସଂଖ୍ୟାଧିକ ରୋଗୀ ଭରସା କରୁଥିବା ବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର, ବିଶେଷଜ୍ଞ ଓ ଡାକ୍ତରୀ ଶିକ୍ଷକ ନଥିବାରୁ ବାଧ୍ୟ ହୋଇ ଅନେକ କ୍ଷେତ୍ରରେ ରୋଗୀମାନଙ୍କୁ ବ୍ୟୟବହୁଳ କର୍ପୋରେଟ୍ ହସ୍ପିଟାଲମାନଙ୍କୁ ନେଇ ଲୋକେ ତଳିତଳାନ୍ତ ହେଉଛନ୍ତି । (ତଥ୍ୟ)