ନୂଆଦିଲ୍ଲୀ : ଆସନ୍ତା ମେ’୧ ତାରିଖ ଠାରୁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ସମସ୍ତ ନାଗରିକଙ୍କୁ କୋଭିଡ଼ ୧୯ ପ୍ରତିଷେଧକ ଟିକା ଦାନ ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଟିକାକରଣ ସଂପର୍କୀତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଦୀର୍ଘ ଏକ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଉପରେ ଅତି ଗୁରୁତ୍ୱର ସହ କାର୍ଯ୍ୟ କରିଆସୁଥିଲେ ଯଦ୍ୱାରା ସ୍ୱଳ୍ପ ସମୟ ଭିତରେ ଦେଶର ସର୍ବାଧିକ ନାଗରିକଙ୍କୁ ଯେଭଳି ସହଜରେ ଟିକାକରଣ କରାଯାଇପାରିବ । ସେ କହିଲେ ଯେ ଭାରତରେ ଏବେ ରେକର୍ଡ଼ ସମୟ ମଧ୍ୟରେ ସର୍ବାଧିକ ଲୋକଙ୍କୁ ଟିକାକରଣ କରାଯାଉଛି ଯାହାକି ସାରା ବିଶ୍ୱରେ ଏକ ରେକର୍ଡ଼ ଏବଂ ଆମେ ଏହି ଧାରାକୁ ଅଧିକ ତ୍ୱରିତ ଭାବେ ଭବିଷ୍ୟତରେ ଜାରି ରଖିବୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତର ଜାତୀୟ କୋଭିଡ଼ ୧୯ ଟିକାକରଣ ରଣନୀତିକୁ ଅତି ସୁଚିନ୍ତିତ ତଥା ରଣନୀତିକ ଭାବେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସର୍ବୋଚ୍ଚ ସ୍ତରରୁ ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟପନ୍ଥା, ସକାରାତ୍ମକ ଭାବେ ଏହାର ଗବେଷଣା ଓ ବିକାଶ କ୍ଷମତା ନିର୍ମାଣ, ଉତ୍ପାଦନ ଓ ପ୍ରଶାସନ କାର୍ଯ୍ୟ ୨୦୨୦ ମସିହା ଏପ୍ରିଲ ମାସରୁ କରାଯାଇ ଆସୁଛି । ଏହାର ମାତ୍ରା ଏବଂ ବେଗ ବୃଦ୍ଧି ନିମନ୍ତେ, ଏଥିରେ ଏକାସଙ୍ଗେ ଆବଶ୍ୟକ ସ୍ଥିରତା ତଥା ପୋଷଣୀୟତା ରକ୍ଷା କରାଯାଇଛି । ବିଶ୍ୱର ଏହା ସର୍ବବୃହତ୍ ଟିକାକରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।
ଭାରତର ଏହି ରଣନୀତି ସଂପୂର୍ଣ୍ଣ ରୂପେ ବୈଜ୍ଞାନିକ ଏବଂ ମହାମାରୀ ବିଜ୍ଞାନ ଆଧାରରେ ହିଁ ପ୍ରସ୍ତୁତ କରାଯାଇଛି ଯାହାକୁ ବିଶ୍ୱର ସର୍ବଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଆଧାରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଏସଓପି ତଥା ଭାରତର ବିଶିଷ୍ଟ ବିଶେଷଜ୍ଞ ଯଥା କୋଭିଡ଼ ୧୯ ଟିକାକରଣ ସଂପର୍କୀତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି)ଙ୍କ ପରାମର୍ଶ ଓ ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ କରାଯାଇଛି ।
ଭାରତ ସଦାସର୍ବଦା ‘ଡାଇନାମିକ୍ ମ୍ୟାପିଂ ମଡେଲ’କୁ ଅନୁସରଣ କରିଆସୁଛି ଯାହାକି ଉପଲବ୍ଧ ଟିକା ଉପରେ ଆଧାରିତ ଏବଂ ଏହି ଟିକାକୁ ସର୍ବାଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବା ଗୋଷ୍ଠୀଙ୍କୁ ହିଁ ପ୍ରଥମେ ପ୍ରଦାନ କରୁଛି ଏବଂ ଏହା ପରେ ଅନ୍ୟ ବୟସସୀମା ଗୋଷ୍ଠୀଙ୍କ ପାଇଁ ତାହା ଉପଲବ୍ଧ କରାଯାଉଛି । ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏଭଳି ସର୍ବାଧିକ ଆକ୍ରାନ୍ତ ଆଶଙ୍କା ଥିବା ଗୋଷ୍ଠୀର ସର୍ବାଧିକ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇ ସାରିଥିବ ବୋଲି ଆଶା କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ୨୦୨୧ ମସିହା ଜାନୁଆରୀ ୧୬ ତାରିଖ ଦିନ ଜାତୀୟ କୋଭିଡ଼ ୧୯ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ଜନସାଧାରଣଙ୍କ ଜୀବନରକ୍ଷାକାରୀ, ସ୍ୱାସ୍ଥ୍ୟ କର୍ମୀ ତଥା ଛାମୁଆ ଯୋଦ୍ଧାମାନଙ୍କ ସୁରକ୍ଷା ଉପରେ ହିଁ ଗୁରୁତ୍ୱ ଆରୋପ କରାଯାଥିଲା । ଯେତେବେଳେ ବ୍ୟବସ୍ଥା ତଥା ଏହି ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ବ୍ୟବସ୍ଥିତ ହୋଇଥିଲା, ସେତେବେଳେ ୨୦୨୧ ମସିହା ମାର୍ଚ୍ଚ ୧ ତାରିଖ ଠାରୁ ଏହାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା ।
ଏହି ପର୍ଯ୍ୟାୟରେ ଆମର ସବୁଠାରୁ ଆପଦାଗ୍ରସ୍ତ ବର୍ଗ ଯଥା ୪୫ ବର୍ଷରୁ ଉର୍ଦ୍ଧ୍ୱ ଆୟୁ ବର୍ଗର ସମସ୍ତ ଜନସାଧାରଣଙ୍କ ପାଇଁ ଏହା ଉପଲବ୍ଧ ହୋଇଥିଲା ଏବଂ ସେମାନଙ୍କ ସଂଖ୍ୟା ଦେଶର ମୋଟ କୋଭିଡ଼ ଜନିତ ମରଣଶୀଳତା ୮୦% ବୋଲି ଆକଳନ କରାଯାଇଥିଲା । ଟିକାକରଣ କ୍ଷମତାକୁ ବଢ଼ାଇବା ସକାଶେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା ।
ଭାରତ ସରକାର ପ୍ରତ୍ୟେକ ଟିକା ଉତ୍ପାଦନକାରୀଙ୍କ ସହ ନିରବଚ୍ଛିନ୍ନ ଭାବେ ସଂପର୍କରେ ଅଛନ୍ତି ଏବଂ ସେମାନଙ୍କ ନିକଟକୁ ଆନ୍ତଃ- ମନ୍ତ୍ରିସ୍ତରୀୟ ଟିମ୍ ସମୟାନ୍ତରେ ଗସ୍ତ କରୁଛନ୍ତି ଏବଂ ପ୍ରତ୍ୟେକ ଉତ୍ପାଦନକାରୀଙ୍କ ଆବଶ୍ୟକତାକୁ ବୁଝିବା ସହ ସକାରାତ୍ମକ ଭାବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ଦୁଇଟି ସ୍ୱଦେଶୀ ଟିକା (ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍)କୁ ଆପାତକାଳୀନ ବ୍ୟବହାର ସ୍ୱୀକୃତି ପ୍ରଦାନ କରାଯାଇଛି ଏବଂ ତୃତୀୟ ଟିକା (ସ୍ପୁଟନିକ) ଯାହାକି ଦେଶ ବାହାରେ ଉତ୍ପାଦିତ ହେଉଛି ତାହା ସମୟ କ୍ରମେ ଭାରତରେ ଉତ୍ପାଦନ କରାଯିବାର ଯୋଜନା କରାଯାଉଛି ।
କାରତ ସରକାର ପ୍ରଥମରୁ ହିଁ ଟିକାକରଣ କାର୍ଯ୍ୟକ୍ରମରେ ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିଛନ୍ତି । ବର୍ତ୍ତମାନ, ଯେତେବେଳେ କ୍ଷମତା ଏବଂ ପ୍ରକ୍ରିୟା ଆଦି ବ୍ୟବସ୍ଥିତ ହୋଇସାରିଛି, ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ଏହାର ମାତ୍ରା ବୃଦ୍ଧି ନିମନ୍ତେ ସେମାନଙ୍କର ମନୋବଳ ବୃଦ୍ଧି ପାଇଁ ସକ୍ଷମ ହୋଇପାରିଛନ୍ତି ।
ତୃତୀୟ ପର୍ଯ୍ୟାୟରେ, ଜାତୀୟ ଟିକାକରଣ ରଣନୀତିକୁ ଅଧିକ ସରଳ କରାଯାଇଛି ଯଦ୍ୱାରା ଟିକାର ମୂଲ୍ୟ ଏବଂ ଟିକାଦାନ କ୍ଷେତ୍ର ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।ଏହା ଫଳରେ ପ୍ରତିଷେଧକ ଟିକା ଉତ୍ପାଦନ ବୃଦ୍ଧି ପାଇବ ତଥା ଏହାର ଉପଲବ୍ଧତା ସହଜସାଧ୍ୟ ହେବ ।ଏଥିପାଇଁ ଟିକା ଉତ୍ପାଦନକାରୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ଓ ସେମାନେ ସେମାନଙ୍କର ଉତ୍ପାଦନକୁ ସହଜରେ ବଢ଼ାଇ ପାରିବେ ।
ସେହିଭଳି ନୂତନ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ଟିକା ଉତ୍ପାଦନକାରୀଙ୍କୁ ଏଥିପାଇଁ ଆକୃଷ୍ଟ କରାଯିବ । ଏଥି ସହିତ ଟିକାର ମୂଲ୍ୟ ନିର୍ଦ୍ଧାରଣ, ଆହରଣ, ଯୋଗ୍ୟତା ନିଦ୍ଧାରଣ ଏବଂ ଟିକା ଦାନ ବ୍ୟବସ୍ଥାକୁ ମୁକ୍ତ ଓ ସରଳ କରାଯିବ ଏବଂ ଏଥିରେ ସମସ୍ତ ହିତଧାରକମାନଙ୍କୁ ସ୍ଥାନୀୟ ଆବଶ୍ୟକତା ଓ ସ୍ଥିତି ଅନୁସାରେ କାର୍ଯ୍ୟ କରିବା ସକାଶେ ଅନୁମତି ପ୍ରଦାନ କରାଯିବ ।