ଭୁବନେଶ୍ୱର : ବାଲେଶ୍ୱରରେ ଛାତ୍ରୀ ଆତ୍ମାହୂତି ଭଳି ଦୁଃଖଦ ଘଟଣା ପରେ ନ୍ୟାୟ ଦାବି କରି ବିଭିନ୍ନ ରାଜନୈତିକଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ସହ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଯେଉଁ ଘୋଷଣାମାନ କରାଯାଇଥିଲା ତାହା ସଚିବାଳୟ ଘେରାଉ ଓ ଓଡିଶା ବନ୍ଦ କାର୍ଯ୍ୟକ୍ରମପରେ ଏକ ପ୍ରକାର ଶିଥିଳ ହୋଇଯାଇଛି । ବିଶେଷକରି ତିନି ପ୍ରମୁଖ ରାଜନୈତିକ ଦଳର କିଛି ନେତାଙ୍କ ବିରୁଦ୍ଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆସିବାପରେ ଏବେ ମୂଳ ପ୍ରସଙ୍ଗ ଭିନ୍ନମୋଡ ନେଇଛି ।
ଲୋକ ପ୍ରତିନିଧି, ସରକାର, କଲେଜ କର୍ତ୍ତୃପକ୍ଷ, ପୁଲିସ୍ ଆଦିଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାଇବାପରେ ନ୍ୟାୟ ବଦଳରେ ମାନସିକ ନିର୍ଯ୍ୟାତନା ପାଇ ପୀଡିତା ଛାତ୍ରୀ ଫକୀରମୋହନ ସ୍ୱୟଂଶାସିତ କଲେଜ ପରିସର ଭିତରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ନିକଟରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜୁଲାଇ ୧୨ତାରିଖ ଶନିବାର ଦିନ । ଏହାପରେ ବାଲେଶ୍ୱରରୁ ତାଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଏମସ୍ ଅଣାଯାଇଥିଲା ଓ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁଘଟି ଇତି ମଧ୍ୟରେ ଗାଁରେ ସୁଦ୍ଧିକ୍ରିୟା କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ବାଲେଶ୍ୱର ଛାତ୍ରୀ ସୌମ୍ୟାଶ୍ରୀ ଘଟଣାରେ ପ୍ରତିବାଦର ସ୍ୱର ଉଠାଇ ବିଜେଡି ଜୁଲାଇ ୧୪ ତାରିଖରେ ସଚିବାଳୟ ଘେରାଉ ସହିତ ବାଲେଶ୍ୱର ବନ୍ଦ କରିଥିଲା । ଏହା ପରଦିନ କଂଗ୍ରେସ ତରଫରୁ ଓଡିଶା ବନ୍ଦ ପାଳିତ ହୋଇଥିଲା । ବିଜେଡି ବି ଆଉ ପାଦେ ଆଗେଇ ବିଭିନ୍ନ ଦିନରେ ତିନିଟି ଯାକ ଆରଡିସି ଦପ୍ତର ସମ୍ମୁଖରେ ବିଶାଳ ବିକ୍ଷୋଭ କରିଥିଲା । କଂଗ୍ରେସର ବନ୍ଦପାଳନ ଡାକରା ମଧ୍ୟ ରାଜଧାନୀ ସମେତ ସାରା ରାଜ୍ୟରେ ଅନୁଭୂତ ହୋଇଥିଲା ।
ବାଲେଶ୍ୱର ଘଟଣା ନେଇ ଓଡିଶା ସମେତ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଜୁଲାଇ ୧୯ତାରିଖରେ ବଳଙ୍ଗାରେ ଦିନବେଳା ଆଉଜଣେ ନାବାଳିକାଙ୍କୁ ଜୀଅନ୍ତା ପୋଡି ମାରିବା ଉଦ୍ୟମ ହୋଇଥିଲା । ବଳଙ୍ଗା ପୀଡିତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମସ୍ ଏବଂ ପରେ ଦିଲ୍ଲୀ ଏମସ୍କୁ ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ୱର ଘଟଣାରେ କଲେଜର ଜଣେ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ନିଲମ୍ବନ କରାଯିବା ସହ ପୁଲିସ୍ ଗିରଫ କରିଥିଲା । ଏହି ଘଟଣା ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ ବଳଙ୍ଗା ଦୁର୍ଘଟଣାକୁ ଇତି ମଧ୍ୟରେ ୧୦ଦିନ ବିତି ଯାଇଥିଲେ ବି ଅଭିଯୁକ୍ତଙ୍କୁ ଧରାଯାଇନାହିଁ । ବଳଙ୍ଗା ଓ ବାଲେଶ୍ୱର ପ୍ରସଙ୍ଗରେ ବିଜେଡି ଭୁବନେଶ୍ୱର-ପୁରୀ ରାଜପଥ ଅବରୋଧ କରି ଆନ୍ଦୋଳନ ପାଇଁ ଘୋଷଣା କରିଥିବାବେଳେ କଂଗ୍ରେସ ଓ ତାହାର ମିତ୍ର ଦଳମାନେ ମଧ୍ୟ ପୀଡିତାମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଜାରି ରହିବ ବୋଲି କହିଥିଲା ।
ତେବେ ଇତି ମଧ୍ୟରେ ଛାତ୍ର କଂଗ୍ରେସର ରାଜ୍ୟଶାଖା ସଭାପତିଙ୍କୁ ଏକ ଯୌନ ଉତ୍ପୀଡନ ମାମଲାରେ ଗିରଫ କରାଯାଇ ଜେଲ୍ ପଠାଯାଇଥିବାବେଳେ ଦଳ ମଧ୍ୟ ତାଙ୍କୁ ନିଲମ୍ବନ କରିଛି । ସେହିଭଳି ମହିଳାଙ୍କ ପ୍ରତି ଅସøଜନ୍ୟ ବ୍ୟବହାର ଅଭିଯୋଗରେ ଅନୁଗୁଳ ଜିଲ୍ଲା ବିଜେପି ସମ୍ପାଦକ ଏବଂ ବ୍ରହ୍ମପୁରର ଅନ୍ୟଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ମଧ୍ୟ ସଂଗଠନ ନିଲମ୍ବନ କରିଛି ।
ସେହିଭଳି ବିଜେଡିର ଜଣେ ଛାମୁଆ ଯୁବନେତାଙ୍କୁ ଇତି ମଧ୍ୟେ ଯୌନ ଶୋଷଣ ଅଭିଯୋଗରେ ପୁଲିସ୍ ଗିରଫକରିଥିବାବେଳେ ଦଳ ମଧ୍ୟ ତାଙ୍କ ହାତ ଛାଡିଦେଇଛି । ବିଭିନ୍ନ ଦଳର ରାଜନେତାମାନେ ଜଣଙ୍କ ପରେ ଜଣେ ନାରୀ ନିର୍ଯ୍ୟାତନା ଅଭିଯୋଗରେ ଫସୁଥିବାବେଳେ ନାରୀମାନଙ୍କ ସୁରକ୍ଷା ଦାବି କରି ଘେରାଉ, ବନ୍ଦପାଳନ,ଧାରଣା ଶୋଭଯ୍ରାତ୍ରା ଆଦି ଯେଉଁ ବିଭିନ୍ନ ଆନ୍ଦୋଳନତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ତାହା ଦୁର୍ଘଟଣାର ୨୦ଦିନ ନପୁରୁଣୁ ଧିମା ପଡିଗଲାଣି ବୋଲି ଅଭିଯୋଗ ହେଉଛି । (ତଥ୍ୟ)