Home General ଚାହିଦା ଅନୁଯାୟୀ ରପ୍ତାନି ନାହିଁ

ଚାହିଦା ଅନୁଯାୟୀ ରପ୍ତାନି ନାହିଁ

ଭୁବନେଶ୍ୱର : ଓଡିଶା ତିଆରି ହସ୍ତତନ୍ତର ବିଦେଶରେ ବିଶେଷକରି ୟୁରୋପ, ଆମେରିକା ଓ ମଧ୍ୟପ୍ରାଚ୍ୟରେ ବେଶ୍‍ ଚାହିଦା ଥିଲେ ମଧ୍ୟ ଓଡିଶା ଏହି ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରପ୍ତାନି କରିପାରୁନାହିଁ । ରାଜ୍ୟର ହସ୍ତତନ୍ତ କଳତନ୍ତ ଉତ୍ପାଦନ ବୃଦ୍ଧି କରାଯାଇ ପାରିଲେ ଓଡିଶା ବିଦେଶକୁ ବର୍ଷରେ ଅନ୍ୟୁନ ୫୦୦୦ କୋଟି ଟଙ୍କାର କପଡା ରପ୍ତାନି କରିପାରିବ ବୋଲି ଅଭିଜ୍ଞ ବୟନଶିଳ୍ପୀମାନେ କହୁଛନ୍ତି ।

ରାଜ୍ୟ ସରକାର ଇତି ମଧ୍ୟରେ ହସ୍ତତନ୍ତ ବୁଣାକାରମାନଙ୍କ ଭତ୍ତା ବଢାଇଛନ୍ତି । ଏହାଛଡା ବଲାଙ୍ଗିର, ଜଗତ୍‍ସିଂହପୁର, କେନ୍ଦୁଝର, ଗଞ୍ଜାମ, ସମ୍ବଲପୁର ଓ କଟକ ଜିଲ୍ଲାରେ ୬ଟି ବୟନଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଏହି ପାର୍କଗୁଡିକ ଲାଗି ଅଣଓଡିଆ ବ୍ୟବସାୟୀମାନେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଓଡିଶାର ଶିଳ୍ପଦ୍ୟୋଗୀ ଓ ବ୍ୟବସାୟୀମାନେ ଏ କ୍ଷେତ୍ରରେ ଯଦି ପୁଞ୍ଜି ନିବେଶ ନକରିବେ ତେବେ ଅଣଓଡିଆ ଶିଳ୍ପପତି ଓ ବ୍ୟବସାୟୀମାନେ ଓଡିଶାର ବୟନଶିଳ୍ପରୁ ପ୍ରଚୁର ଫାଇଦା ଉଠାଇବେ ।

ଓଡିଶା ପାଇଁ ବାର୍ଷିକ ଅନ୍ୟୁନ ୪୦ହଜାର କୋଟି ଟଙ୍କାର କପଡା ଦରକାର ବୋଲି କୁହାଯାଉଥିବାବେଳେ ରାଜ୍ୟର ଉତ୍ପାଦନ ଏ କ୍ଷେତ୍ରରେ ୧୦୦୦ କୋଟି ଟଙ୍କା ଭିତରେ ସୀମିତ ରହୁଛି । ବିଶେଷକରି ହସ୍ତତନ୍ତ ମାଧ୍ୟମରେ କେବଳ କପଡା ଉତ୍ପାଦନ ଚାଲୁଥିବାବେଳେ ରାଜ୍ୟର ପ୍ରାୟ ସମସ୍ତ କଳତନ୍ତ ବନ୍ଦହୋଇ ପଡିଛି ।

ପୂର୍ବରୁ ଓଡିଶାର ଉଚ୍ଚସ୍ତରୀୟ ପ୍ରତିନିଧିମାନେ ୟୁରୋପ ସମେତ ବିଦେଶର ଅନେକ ରାଷ୍ଟ୍ରକୁ ଗସ୍ତରେ ଯାଇ ସେଠାରେ ଆମ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନ କରିବା ସହିତ କିଭଳି ଓଡିଶା ତିଆରି ହସ୍ତତନ୍ତ ସାମଗ୍ରୀ ବିଦେଶକୁ ଅଧିକ ପରିମାଣରେ ରପ୍ତାନି ହେବ ସେଥିଘେନି କେବଳ ଆଲୋଚନା କରି ଫେରୁଛନ୍ତି । ଅଥଚ ଭାରତ ବିଦେଶକୁ ଯେତେ କପଡା ରପ୍ତାନି କରୁଛି ଓଡିଶାରୁ ତାହାର ୫ ପ୍ରତିଶତ ମଧ୍ୟ ଭାଗ ପଡୁନାହିଁ ।

ଗୋଟିଏ ସମୟରେ ଚୌଦ୍ୱାର ଓଟିଏମ୍‍ ନିର୍ମିତ କପଡା, ମୟୁରଭଞ୍ଜର ଗଞ୍ଜି, ଖୋରଧାର ଗାମୁଛା ଓ ଲୁଙ୍ଗିର ଚାହିଦା ରାଜ୍ୟ ଭିତରେ ଓ ବାହାରେ ଢେର ଥିଲା । ଏହାଛଡା ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ, କଟକ, ଗଞ୍ଜାମ ଆଦି ଜିଲ୍ଲାରେ ପ୍ରସ୍ତୁତ ହସ୍ତତନ୍ତ ଶାଢୀ ଓ କପଡା ମଧ୍ୟ ଦେଶ ବିଦେଶରେ ବେଶ୍‍ ଆଦୃତି ଲାଭ କରିଥିଲା । ଏମିତିକି ଓଡିଶା ବାହାରେ ଏହି ସାମଗ୍ରୀର ବିପ୍ପଣନ ପାଇଁ ଦିଲ୍ଲୀ, କଲିକତା, ମୁମ୍ବାଇ, ଚେନ୍ନାଇ ଆଦି ବିଭିନ୍ନ ସହରରେ ମଧ୍ୟ ସ୍ୱତନ୍ତ୍ର ବିକ୍ରୟକେନ୍ଦ୍ର ରହୁଥିଲା । ଏବେ ହସ୍ତତନ୍ତ ବିଭାଗର ବିକ୍ରୟକେନ୍ଦ୍ର ବିଦେଶ ତ ଦୂରରକଥା, ପ୍ରାୟତଃ ଅନ୍ୟ ରାଜ୍ୟର ବ୍ୟବସାୟିକ କେନ୍ଦ୍ରମାନଙ୍କରେ ଦେଖିବାକୁ ମିଳୁନାହିଁ ।

ଓଡିଶାରେ ଥିବା ୧୩ଟି ଯାକ ସୂତାକଳ ଓ ଓଟିଏମ୍‍ ସମେତ ୧୩ଟି ଯାକ ଲୁଗାକଳ ଦୀର୍ଘବର୍ଷ ଧରି ବନ୍ଦହୋଇ ରହିଛି । ସୂତାକଳ ଓ ଲୁଗାକଳ ବନ୍ଦ ଥିବାରୁ ରାଜ୍ୟ ଭିତରେ କଳସୂତା ଉତ୍ପାଦନ ନାହିଁ । ତେଣୁ ହସ୍ତତନ୍ତ କ୍ଷେତ୍ରରେ ଆବଶ୍ୟକ ପଡୁଥିବା ସୂତାର ଚାହିଦା ମେଣ୍ଟାଇବାକୁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଏଭଳି ସ୍ଥିତିରେ ରାଜ୍ୟର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଉତ୍ପାଦିତ ହେଉଥିବା ଉନ୍ନତମାନର ପ୍ରଚୁର କପାକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନାମମାତ୍ର ଦରରେ କିଣି ନେଉଥିବାରୁ ଓଡିଶା ଚାଷୀ ଆଳୁ ଭଳି କପା ଚାଷ କରିବାକୁ ଚାହୁଁନାହାନ୍ତି ।

ରାଜ୍ୟର ସୂତାକଳଗୁଡିକ ପୁର୍ନଜୀବିତ ହେଲେ କପାଚାଷୀ ଉପକୃତ ହୁଅନ୍ତେ ଏବଂ ସେହି ସୂତାରୁ ରାଜ୍ୟରେ ଉଭୟ ବୟନଶିଳ୍ପ ଓ ହସ୍ତତନ୍ତ ଶିଳ୍ପ ଚାଲିବା ସହିତ ଓଡିଶା ବି ଅନ୍ୟ ରାଜ୍ୟକୁ ସୂତା ଓ କପଡା ରପ୍ତାନି କରିପାରନ୍ତା । ଏହା କରାଗଲେ ଓଡିଶାର ଶ୍ରମିକ ଓ କାରିଗର ଅନ୍ୟ ରାଜ୍ୟର ସୂତା ଓ ଲୁଗାକଳରେ ଦାଦନ ଖଟିବାକୁ ଧାଡି ବାନ୍ଧନ୍ତେ ନାହିଁ । (ତଥ୍ୟ)