Home Energy ବିଜୁଳି ଅଭିଯୋଗ ଦାଖଲ କରିବାକୁ ନିବେଦନ

ବିଜୁଳି ଅଭିଯୋଗ ଦାଖଲ କରିବାକୁ ନିବେଦନ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଏକ ବୈଠକ ମହାସଂଘର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକର ଆରମ୍ଭରେ ମହାସଂଘର ସମ୍ପାଦକ ଓଇଆରସିିର ବିଜୁଳି ସମସ୍ୟା ନେଇ ଜାରି ହୋଇଥିବା ପବ୍ଲିକ ନୋଟିସ୍‌କୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସହିତ ଓଇଆରସିର ଏହି ପଦକ୍ଷେପକୁ ସ୍ୱାଗତ କରିଥିଲେ ଓ ବର୍ତ୍ତମାନର ଓଇଆରସି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ ଜେନାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବୈଠକରେ ଓଇଆରସିର ୩୦ ବର୍ଷର ଇତିହାସରେ ବିଜୁଳି ସମସ୍ୟାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଆହ୍ୱାନ କରିବା ଏକ ଅଭିନବ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା । ଏହା ବ୍ୟତୀତ ବିଜୁଳି ସମସ୍ୟା ଉପରେ ବ୍ୟାପକ ଭାବରେ ଅଗଷ୍ଟ ୧୬ ତାରିଖ ମଧ୍ୟରେ ଅଭିଯୋଗ ଦାଖଲ କରିବାକୁ ରାଜ୍ୟର ସବୁ ରାଜନୈତିକ ଦଳ, ମହିଳା ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ଓ ଛାତ୍ର ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଓ ସର୍ବୋପରି ନାଗରିକ ସମାଜକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ପକ୍ଷରୁ ନିବେଦନ କରାଯାଇଛି ।

ଓଡ଼ିଶା ସରକାର ଓଇଆରସିର ଏହି ନୋଟିସ୍‌କୁ ସମସ୍ତ ପଞ୍ଚାୟତ ଅଫିସ୍‌, ଏନଏସି ଓ ମ୍ୟୁନିସିପାଲିଟି ଅଫିସ୍‌, ସବୁ ୱାର୍ଡ଼, ସବୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲାପାଳଙ୍କ ଦପ୍ତରରେ ବ୍ୟାପକ ଭାବରେ ଟାଙ୍ଗି ଜନସାଧାରଣଙ୍କ ଠାରୁ ବିଜୁଳି ସମସ୍ୟା ଉପରେ ଅଭିଯୋଗ ପତ୍ର ଆହ୍ୱାନ କରିବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ।

ଏଠାରେ ଉଲ୍ଲେଖଥାଉକି, ସମଗ୍ର ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ବିଜୁଳି ସଂସ୍କାର ବିଶ୍ୱବ୍ୟାଙ୍କ ଋଣ ଜରିଆରେ ୧୯୯୪-୯୫ ମସିହାରେ ଆରମ୍ଭ କରିଥିଲା । ଏହି ସଂସ୍କାରର ଲକ୍ଷ୍ୟ ଥିଲା ରାଜ୍ୟର ଜନସାଧାରଣଙ୍କୁ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବା । କିନ୍ତୁ ୩୦ ବର୍ଷର ସଂସ୍କାର ପରେ ମଧ୍ୟ ଓଡ଼ିଶାରେ ବିଜୁଳି ଶସ୍ତା ହେଲା ନାହିଁ କିମ୍ବା ସାଧାରଣ ଲୋକ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ପାଇପାରିଲେ ନାହିଁ ।

ବିଶେଷତଃ ୨୦୨୦ ମସିହା ଠାରୁ ଟାଟା ପାୱାର ବିଜୁଳି ବ୍ୟବସ୍ଥା ନେଲାପରେ ସାଧାରଣ ଲୋକଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ବୃଦ୍ଧି ପାଇଛି । ବିଜୁଳି ଶୁଳ୍କ ଆଦାୟ ନାମରେ ସାଧାରଣ ଗରିବ ଲୋକଟିର ବିଜୁଳି କାଟି ଦିଆଯାଉଛି । ନାଲି ଆଖି ଦେଖାଇ ଟାଟା ପାୱାରର କର୍ମଚାରୀମାନେ ସ୍ମାର୍ଟ ମିଟର ଓ ଡିଜିଟାଲ ମିଟର ଲଗାଇବାକୁ ସାଧାରଣ ଖାଉଟିଙ୍କୁ ବାଧ୍ୟ କରୁଛନ୍ତି । ଏଭଳିକି ମିଟର ଠିକ୍ ଥିଲେ ସୁଦ୍ଧା ସେମାନେ ମନମାନୀ କରି ସ୍ମାର୍ଟ ମିଟର ଲଗାଉଛନ୍ତି ।

ଏହାକୁ ଉପଭୋକ୍ତା ମହାସଂଘ ନାପସନ୍ଦ କରିବା ସଙ୍ଗେ ସଙ୍ଗେ ଶକ୍ତିମନ୍ତ୍ରୀ ଦେଇଥିବା ବକ୍ତବ୍ୟକୁ ସରକାରଙ୍କୁ ମନେ ପକାଇ ଦେଉଛି ଯେ, ସ୍ମାର୍ଟ ମିଟର କୌଣସି ପରିସ୍ଥିତିରେ ଲଗାଇବା ପାଇଁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ ।

ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ହୋଇଥିଲେ ସୁଦ୍ଧା ବିଗତ ୭/୮ବର୍ଷ ହେବ ରାଜ୍ୟର ୧ କୋଟି ଉପଭୋକ୍ତା ଦେଶର ୩୫ କୋଟି ଉପଭୋକ୍ତାଙ୍କ ତୁଳନାରେ ଅଧିକ ବିଜୁଳି ବିଲ୍ ଦେବାକୁ ବାଧ୍ୟ ହେଉଛନ୍ତି । ଗତବର୍ଷ ଦେଶର ସାଧାରଣ ବିଜୁଳି ଉପଭୋକ୍ତାଟିଏ ୟୁନିଟ ପିଛା ହାରାହାରି ୫ ଟଙ୍କା ୬୪ ପଇସା ଦେଉଥିବା ବେଳେ ଓଡ଼ିଶାର ଜଣେ ଖାଉଟିକୁ ୫ ଟଙ୍କା ୮୮ ପଇସା ବିଜୁଳି ଶୁଳ୍କ ଦେବାକୁ ପଡୁଛି ବୋଲି ଉପଭୋକ୍ତା ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଉଛି ।

ସେହିଭଳି ତାପୂର୍ବ ବର୍ଷ ରାଜ୍ୟର ଉପଭୋକ୍ତାମାନେ ୟୁନିଟ୍ ପିଛା ୪୭ ପଇସା ଓ ତା ପୂର୍ବବର୍ଷ ଓଡ଼ିଶାର ଗ୍ରାହକମାନେ ୯୦ ପଇସା ୟୁନିଟ୍ ପିଛା ବିଜୁଳି ଶୁଳ୍କ ଅଧିକ ଦେଇଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପାୱାର ଫାଇନାନ୍ସ କର୍ପୋରେସନ ରିପୋର୍ଟରେ କୁହାଯାଇଛି । ଏହିଭଳି ଦେଖିଲେ ବିଗତ ୫ ବର୍ଷରେ ରାଜ୍ୟର ବିଜୁଳି ଗ୍ରାହକଙ୍କ ଠାରୁ ଅଧିକ ଶୁଳ୍କ ନାଁରେ ୫ ହଜାର କୋଟିରୁ ଅଧିକ ଶୁଳ୍କ ଆଦାୟ କରାଯାଇଛି । ଏହାକୁ ସୁଧମୂଳ ସହିତ ଖାଉଟିକୁ ଫେରାଇବା ପାଇଁ ଉପଭୋକ୍ତା ମହାସଂଘ ଦାବି କରିଛି ।

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରୁ ବିଜୁଳି କିଣି ବିହାର ଅଗଷ୍ଟ ୧ ତାରିଖଣୁ ୧୨୫ ୟୁନିଟ୍ ବିଜୁଳି ଖାଉଟିମାନଙ୍କୁ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ୩୦୦ ୟୁନିଟ ମାଗଣା ବିଜୁଳି ଦେବେ ବୋଲି ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଭୁଲି ଯାଇଛନ୍ତି । ବିଜୁଳ ସମସ୍ୟାକୁ ନେଇ ଉପଭୋକ୍ତା ମହାସଂଘ ଜିଲ୍ଲା ଓ ବ୍ଲକସ୍ତରରେ ଜନଜାଗରଣ ସୃଷ୍ଟି କରିବା ସହିତ ଆଗାମୀ ଦିନରେ ରାଜ୍ୟସ୍ତରରେ ଏକ ବଡ଼ ଧରଣର ଜନ ସମ୍ମିଳନୀ କରିବାକୁ ଏହି ବୈଠକରେ ସ୍ଥିର କରାଯାଇଛି ।

ଏହି ବୈଠକରେ ମହାସଂଘର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଓ ନାରାୟଣ ରେଡ୍ଡି, ଆଇଏଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ସିପିଏମ୍ ନେତା ପ୍ରଭାତ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ନାରୀନେତ୍ରୀ ପ୍ରଣତି ମିଶ୍ର, ଉପଭୋକ୍ତା କରୁଣାକର ହେତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।