ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ପାଇଁ ସମଗ୍ର ଦେଶରେ ଯେତିକି ସଂଖ୍ୟାରେ ପାରମ୍ପରିକ କାରିଗର ଆବେଦନ କରୁଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୧ ପ୍ରତିଶତ ସଫଳତାର ସହ ପଞ୍ଜିକୃତ ହେଉଛନ୍ତି । ତେବେ ଓଡିଶାରେ ଏହି ଯୋଜନାରେ ଆବେଦନ କରୁଥିବା କାରିଗରଙ୍କ ମଧ୍ୟରୁ ୧୪ ପ୍ରତିଶତରୁ ଅଧିକ ନିଜକୁ ପଞ୍ଜିକୃତ କରାଇବାରେ ସଫଳ ହେଉଛନ୍ତି ।
ଗାଁ ଗହଳରେ ଥିବା ପାରମ୍ପରିକ କାରିଗରମାନଙ୍କ ପାଇଁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନା । ଏହି ଯୋଜନାରେ ସାମିଲ ହେଉଥିବା କାରିଗରମାନଙ୍କୁ ସରକାରୀ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ ସହିତ ପୁଞ୍ଜି ଯୋଗାଣ, ଦକ୍ଷତା ବିକାଶ, କଞ୍ଚାମାଲ ପ୍ରଦାନ, ସାଜସରଞ୍ଜାମ ଯୋଗାଣ, ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା କରିବାର ବ୍ୟବସ୍ଥା ରହିଛି । ପଞ୍ଜିକୃତ କାରିଗରମାନଙ୍କୁ ଆଇକାର୍ଡ ପ୍ରଦାନ କରାଯାଉଛି । ତେଣୁ ଏହି କେନ୍ଦ୍ରୀୟ ଯୋଜନା ସାମିଲ ପାଇଁ ଅଧିକରୁ ଅଧିକ ସଂଖ୍ୟକ ପାରମ୍ପରିକ କାରିଗର ଆବଦନ କରୁଛନ୍ତି ।
ସରକାରୀ ସୂଚନା ଅନୁଯାୟୀ ଚଳିତବର୍ଷ ଜୁନ୍ ଶେଷ ସୁଦ୍ଧା ସମଗ୍ର ଦେଶରେ ୨କୋଟି ୭୧ଲକ୍ଷରୁ ଅଧିକ ପାରମ୍ପରିକ କାରିଗର ଆବେଦନ କରିଥିବାବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୧୧ ପ୍ରତିଶତ ଅର୍ଥାତ୍ ୨୯ଲକ୍ଷ ୯୪ହଜାର ସଫଳତାର ସହ ପଞ୍ଜିକୃତ ହୋଇପାରିଥିଲେ । ତେବେ ସରକାର ଏହି ସମୟ ମଧ୍ୟରେ ୩୦ଲକ୍ଷ ପାରମ୍ପରିକ କାରିଗରଙ୍କୁ ପଞ୍ଜିକୃତ କରିବାର ଲକ୍ଷ୍ୟଧାର୍ଯ୍ୟ କରିଥିବାରୁ ଏହି ଲକ୍ଷ୍ୟ ପ୍ରାୟତଃ ପୂରଣ ହୋଇଥିବା ନେଇ ଧରାଯାଇଛି ।
ତେବେ ଏହି ସମୟ ମଧ୍ୟରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୭ଲକ୍ଷ ୪୦ହଜାର ପାରମ୍ପରିକ କାରିଗର ନିଜକୁ ପଞ୍ଜିକୃତ କରିଥିବାବେଳେ ଏମାନଙ୍କ ମଧ୍ୟରୁ ୧ଲକ୍ଷ ୬ହଜାରରୁ ସାମାନ୍ୟ ଅଧିକ କାରିଗର ପଞ୍ଜିକୃତ ହୋଇଥିଲେ । ତେଣୁ ଜାତୀୟ ସ୍ତରରେ କାରିଗରମାନଙ୍କ ହାରାହାରି ପଞ୍ଜିକୃତ ତୁଳନାରେ ଓଡିଶାର ପଞ୍ଜିକରଣ ହାର ଅଧିକ ରହିଥିଲା ।
ଅନ୍ୟ ପକ୍ଷରେ ପଡୋଶୀ ଛତିଶଗଡରେ ପଞ୍ଜିକରଣ ହାର ୧୧.୯ ପ୍ରତିଶତ ରହିଥିଲା । ସେଠାରେ ଓଡିଶା ତୁଳନାରେ ଅଧିକ ସଂଖ୍ୟକ ପାରମ୍ପରିକ କାରିଗର ଆବେଦନ କରିଥିବା ଦେଖିବାକୁ ମିଳିଥିଲା । ଆନ୍ଧ୍ରପ୍ରଦେଶରେ ୨୧ଲକ୍ଷରୁ ଅଧିକ କାରିଗର ଆବେଦନ କରିଥିବାବେଳେ ପଞ୍ଜିକରଣ ହାର ୧୧ ପ୍ରତିଶତରୁ କମ୍ ରହିଥିଲା । ତେବେ ଦେଶର ଛୋଟ ଛୋଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କମ୍ ସଂଖ୍ୟକ ଆବେଦନ ହୋଇଥିବାରୁ ସେଠାରେ ପଞ୍ଜିକରଣ ହାର ଢେର ଅଧିକ ପରିଲକ୍ଷିତ ହୋଇଥିଲା ।
ତେବେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ପଞ୍ଜିକୃତ ହେବାକୁ ଆବେଦନ କରିଥିବା ପାରମ୍ପରିକ କାରିଗରଙ୍କ ମଧ୍ୟରୁ ତିନି ପର୍ଯ୍ୟାୟରେ ତନଖି ପରେ କର୍ଣ୍ଣାଟକର ସର୍ବାଧିକ ୫ଲକ୍ଷ ୭୧ହଜାରରୁ ଅଧିକ କାରିଗର ପଞ୍ଜିକୃତ ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏହା ୨ଲକ୍ଷ ୫୦ ହଜାରରୁ ଅଧିକ ରହିଛି ଏବଂ ଛତିଶଗଡରେ ଏହା ୧ଲକ୍ଷରୁ ଅଧିକ ଥିବା ଜଣାଯାଇଛି । (ତଥ୍ୟ)