Home Education ଅନିଶ୍ଚିତତା ଘେରରେ ଛାତ୍ର ସଂସଦ ନିର୍ବାଚନ

ଅନିଶ୍ଚିତତା ଘେରରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଛାତ୍ରୀ ଆତ୍ମାହୂତି ଓ ଅନ୍ୟାନ୍ୟ ନାରୀ ନିର୍ଯାତନା ପ୍ରସଂଗକୁ ନେଇ ଯେଉଁ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ଓଡ଼ିଶାରେ ହେବ କି ନାହିଁ ସେଥିଘେନି ଏବେଠାରୁ କୌଣସି ପୂର୍ବାନୁମାନ କରିହେବ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ କୋଭିଡ୍‍, ଆଇନ୍‍ଶୃଙ୍ଖଳା ପରିସ୍ଥିତି ଓ ଶୈକ୍ଷିକ ବାତାବରଣର ଆଳ ଦେଖାଇ ପ୍ରାୟ ୬ବର୍ଷ ହେବ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ବିରୋଧୀ ଦଳରେ ଥିବାବେଳେ ବିଜେପି ଓ ଏବିଭିପି ସମେତ ବିଭିନ୍ନ ଅଣ ବିଜେଡି ଛାତ୍ର ସଂଗଠନ ଓ ରାଜନୈତିକ ଦଳ ଛାତ୍ର ସଂସଦ ନିର୍ବାଚନ ଲାଗି ବର୍ଷବର୍ଷ ଧରି ଦାବି କରିଆସୁଥିଲେ ।

ଗତବର୍ଷ ଜୁନ୍‍ ମାସରେ ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବା ପରେ ପରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଖୋଲା ଘୋଷଣା କରିଥିଲେ ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଓ ଅନ୍ୟାନ୍ୟ କାରଣ ଦେଖାଇ ଗତ ଶିକ୍ଷାବର୍ଷରେ ଏହି ନିର୍ବାଚନ କରାଯାଇନଥିଲା । ତେବେ ଚଳିତ ଶିକ୍ଷାବର୍ଷରେ ନିଶ୍ଚିତ ଭାବେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ବିଜେପି ଓ ତାହାର ସମର୍ôଥତ ଛାତ୍ର ସଂଗଠନ ବାରମ୍ବାର କହି ଆସୁଛି । ଏହାକୁ ଆଖିଆଗରେ ରଖି ଶିକ୍ଷା ବର୍ଷ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ କଲେଜ୍‍ କ୍ୟାମ୍ପସ୍‍ରେ ସେମାନଙ୍କ ପ୍ରସ୍ତୁତି ଅଭିଯାନକୁ ଜୋରଦାର କରିଛନ୍ତି । ଏଥିପାଇଁ ବିଭିନ୍ନ ସ୍ତରରେ ସମ୍ଭାବ୍ୟ ପ୍ରାର୍ଥୀ ଏବଂ ସେମାନଙ୍କ ସଂଗଠନ ପକ୍ଷରୁ ଭୋଟ ହାତେଇବା ଲାଗି ଛାତ୍ର ସଂପର୍କ ଅଭିଯାନ ବିଭିନ୍ନ ଶିକ୍ଷାୟତନ କ୍ୟାମ୍ପସ୍‍ରେ ଚାଲିଛି ।

ବାଲେଶ୍ୱର ଫକୀରମୋହନ ସ୍ୱୟଂ ଶାସିତ କଲେଜ୍‍ରେ ଆତ୍ମାହୂତି ଦେଇଥିବା ଛାତ୍ରୀ ଏବିଭିପିର ଜଣେ ଛାମୁଆ ନେତ୍ରୀ । ତେବେ ତାଙ୍କ ଆତ୍ମାହୂତି ପରେ ଉଭୟ ସରକାରୀ ଓ ବେସରକାରୀ ଦଳ ମଧ୍ୟରେ ବିବୃତି ଯୁଦ୍ଧ ଜାରି ରହିଛି । ଏମିତିକି ଏହି ପ୍ରସଂଗକୁ କେନ୍ଦ୍ର କରି ସଚିବାଳୟ ଘେରାଉ, ଆରଡିସି ଦପ୍ତର ସମ୍ମୁଖରେ ଆନ୍ଦୋଳନ ଏବଂ ଓଡ଼ିଶା ବନ୍ଦ ପାଳନ କରାଯାଇଛି । ଏହାଛଡ଼ା ଆଉ ଅନେକ ଛାତ୍ର ସଂଗଠନ ମଧ୍ୟ ଏହି ପ୍ରସଂଗରେ କଲେଜ୍‍ ଓ ବିଶ୍ୱବିଦ୍ୟାଳୟ ପରିସରକୁ ସରଗରମ କରି ରଖିଛନ୍ତି ।

ଇତିମଧ୍ୟରେ ଆଉ ଅନେକ କଲେଜ୍‍ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ପ୍ରସଂଗ ଉଠୁଛି । ଏହାକୁ ବିରୋଧୀ ଦଳଗୁଡ଼ିକ ଶାଣିତ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପରିପ୍ରେକ୍ଷୀରେ ଶାସକ ଦଳ ପକ୍ଷରୁ ବି ଏହାର କଡ଼ା ମୁକାବିଲା କରାଯାଉଛି । ଏ ପରିପ୍ରେକ୍ଷୀରେ ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ୍‍ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାରୁ ଆସନ୍ତା ସେପ୍ଟେମ୍ବର ମାସରେ ଛାତ୍ର ସଂସଦ ନିର୍ବାଚନ ଓଡ଼ିଶାରେ ହେବ କିମ୍ବା ଏହାକୁ ପୁଣି ପରବର୍ତ୍ତୀ ବର୍ଷକୁ ଘୁଞ୍ଚାଇ ଦିଆଯିବ ସେଥିଘେନି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲ ଚିନ୍ତାରେ ଅଛନ୍ତି ।

ଇତିମଧ୍ୟରେ ଏକ ଯୌନ ନିର୍ଯାତନା ମାମଲାରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗିରଫ ହୋଇ ଜେଲ୍‍ରେ ଥିବାବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରି ଜେଲ୍‍ ଯାଇଥିବା ଆଉ କେତେକ ଛାତ୍ର ନେତା କାରାମୁକ୍ତ ହୋଇଛନ୍ତି । ସେହିଭଳି ସଚିବାଳୟ ଘେରାଉ କାର୍ଯ୍ୟକ୍ରମ ଦିନ ପୁଲିସ କାର୍ଯ୍ୟାନୁଷ୍ଠାନରେ କେତେକ ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଢ଼ାଯିବା ପରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଥିବା ସମ୍ଭାବ୍ୟ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ସଂଗଠନ ନିର୍ବାଚନ ହେବା ଘେନି ସନ୍ଦେହରେ ଥିବାବେଳେ ଏଯାବତ୍‍ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।(ତଥ୍ୟ)