Home Excise ବର୍ଷକୁ ବର୍ଷ ବଢୁଛି ନିଶାଡିଙ୍କ ଆତ୍ମହତ୍ୟା

ବର୍ଷକୁ ବର୍ଷ ବଢୁଛି ନିଶାଡିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ନିଶାଡିମାନଙ୍କର ଅତ୍ମହତ୍ୟାର ହାର ଦେଶରେ ବର୍ଷକୁ ବର୍ଷ ବଢିବାରେ ଲାଗିଛି ୨୦୧୮ ମସିହାରେ ଦେଶରେ ୭୧୯୩ ଜଣ ନିଶାଡି ଆତ୍ମହତ୍ୟା କରିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୧୧ହଜାରକୁ ଟପିଯାଇଛି । ଅବଶ୍ୟ ଓଡିଶାରେ ଏହି ସମୟ ମଧ୍ୟରେ ନିଶାଡି ଆତ୍ମହତ୍ୟା ହାର ହ୍ରାସ ପାଇବା ସହିତ ୨୦୨୨ରେ ଏହା ଶୂନ ରହିଛି ।

ନିଶାଡିମାନଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ମନ୍ତ୍ରୀ ବି.ଏଲ୍‍.ବର୍ମା । ମନ୍ତ୍ରୀ ରଖିଥିବା ଉତ୍ତରରୁ ଜଣାଯାଇଛି ଯେ ନିଶାଡିଙ୍କ ଆତ୍ମହତ୍ୟା କ୍ଷେତ୍ରରେ ଦେଶର ଧନୀ ଓ ଶିକ୍ଷିତ ରାଜ୍ୟମାନେ ଆଗରେ ରହିଛନ୍ତି । ମହାରାଷ୍ଟ୍ରରେ ଏହି ସମୟ ମଧ୍ୟରେ ନିଶାଡିମାନଙ୍କ ଆତ୍ମହତ୍ୟା ସଂଖ୍ୟା ୨ହଜାରୁ ବୃଦ୍ଧି ପାଇ ୩ହଜାରକୁ ଅତିକ୍ରମ କରିଥିବାବେଳେ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ ଆଦି ଆଦି ରାଜ୍ୟ ଏ କ୍ଷେତ୍ରରେ ଢେର ଆଗରେ ରହିଛନ୍ତି । ଓଡିଶାରେ ୨୦୧୮ ମସିହାରେ ମାତ୍ର ୨ଜଣ ନିଶାଡି ଆତ୍ମହତ୍ୟା କରିଥିବାବେଳେ ୨୦୧୯ରେ ଏହି ସଂଖ୍ୟା ୨୩ରେ ପହଞ୍ଚିଥିଲା । କିନ୍ତୁ ପରବର୍ତ୍ତୀ ବର୍ଷଗୁଡିକରେ ଏହିସଂଖ୍ୟା ଏକ ଅଙ୍କରେ ରହିବା ସହିତ ୨୦୨୨ରେ ଏହା ଶୂନ ରହିଥିଲା ।

ନିଶାଡିମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାପାଇଁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ନିଶା ନିବାରଣକେନ୍ଦ୍ରମାନ ଗଠନ କରଯାଇଛି । ବିଭିନ୍ନ ରାଜ୍ୟରେ ୬୧୧ଟି ନିଶା ନିବାରଣ କେନ୍ଦ୍ର ଗଠନ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୫୧ ରହିଛି । ପୁରୀ, ଖୋରଧା ଓ କଟକ ଜିଲ୍ଲାରେ ସର୍ବାଧିକ ୫ଟି କରି ନିଶା ନିବାରଣ କେନ୍ଦ୍ର ଥିବାବେଳେ ଅନୁଗୁଳର ୩ଟି ଏବଂ ବରଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତ୍‍ସିଂହପୁର, କନ୍ଧମାଳ, ନୂଆପଡା, ରାୟଗଡା ଓ ସମ୍ବଲପୁର ଜିଲ୍ଲାରେ ୨ଟି କରି ନିଶା ନିବାରଣ କେନ୍ଦ୍ର ରହିଛି ।

ଓଡିଶାରେ ଥିବା ନିଶା ନିବାରଣକେନ୍ଦ୍ରଗୁଡିକରେ କିନ୍ତୁ ପଞ୍ଜିକୃତ ହେଉଥିବା ନିଶାଡିଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୦୧୮ ମସିହାରେ ଏହିସବୁ ନିଶା ନିବାରଣକେନ୍ଦ୍ରରେ ୨୪,୪୯୭ ଜଣ ନିଶାଡି ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ବେଳକୁ ଏହି ସଂଖ୍ୟା ୪୮ହଜାରକୁ ଅତିକ୍ରମ କରିଛି । ନିଶା ନିବାରଣ କେନ୍ଦ୍ରରେ ଦାଖଲ କରିବା ସହିତ ନିଶାଡିମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାପାଇଁ ଅଭିଭାବକମାନେ ସେମାନଙ୍କ ସନ୍ତାନ ସନ୍ତତିମାନଙ୍କୁ ଭର୍ତ୍ତି କରିଥାନ୍ତି । ତେବେ ଅନେକ ସମୟରେ ନିଶା ନିବାରଣ କେନ୍ଦ୍ରରେ ନିଶା ଛଡାଇବା ନାଁରେ ମାରପିଟ୍‍ କରାଯିବା ସହିତ ନିଶାଡିମାନଙ୍କର ମୃତ୍ୟୁ ଅଭିଯୋଗ ମଧ୍ୟ ହେଉଛି । ୨୦୨୨ ମସିହାରେ ସମଗ୍ର ଦେଶରେ ପାଖାପାଖି ୮୦ହଜାର ନିଶାଡି ପଞ୍ଜିକୃତ ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି । (ତଥ୍ୟ)