ଭୁବନେଶ୍ୱର : ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଇନ୍ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିପାରୁନଥିବାରୁ ଓଡ଼ିଶା ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢ଼ିବଢ଼ି ଚାଲିଛି । ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ପରସ୍ପର ଉପରକୁ ଦାୟିତ୍ୱ ଖସାଇବା ପ୍ରତିଯୋଗିତା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ।
ଅନେକ ମାମଲାରେ ହାଇକୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଉଛନ୍ତି । ତେବେ ଅଦାଲତଙ୍କ ରାୟର ଅନୁପାଳନ ଲାଗି କେତେକ କ୍ଷେତ୍ରରେ ବିଭିନ୍ନ ବିଭାଗ ଓ ଦପ୍ତର ମଧ୍ୟରେ ସମନ୍ୱୟ ରକ୍ଷା ଜରୁରୀ ଥିବାବେଳେ ତାହା ହୋଇପାରୁ ନାହିଁ । ଅଦାଲତଙ୍କ ଆଦେଶ ଅନୁପାଳନ ଲାଗି ସାଧାରଣ ପ୍ରଶାସନ ବିଭାଗ ଦେଉଥିବା ମତକୁ ଓଡ଼ିଶା ଲୋକସେବା ଆୟୋଗ ଅନୁପାଳନ କରୁନଥିବା ହେତୁ ଓଏଏସ୍ ନିଯୁକ୍ତି ସଂକ୍ରନ୍ତୀୟ ଏକ ନିର୍ଦ୍ଦିଷ୍ଟ ମାମଲାରେ ଏବେ ସରକାର ପୁଣି କାଠଗଡ଼ାକୁ ଟାଣି ହେବା ଅବସ୍ଥା ସୃଷ୍ଟି ହୋଇଛି ।
ମାମଲାର ବିବାଣୀରୁ ପ୍ରକାଶ ଯେ ୨୦୧୭ ବ୍ୟାଚ୍ର ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷା ଦେଇଥିବା ଜଣେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଆଦି ଯାଞ୍ଚ କରିଥିଲେ ଓପିଏସ୍ସି । ସେ ମଧ୍ୟ ପ୍ରିଲିମନାରୀ, ଲିଖିତ ଓ ମୌଖିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ । ଏହା ସତ୍ତ୍ୱେ ୧୩୬୫ ନମ୍ବର ରଖିଥିବା ଏହି ପ୍ରାର୍ଥୀଙ୍କ ନାମ ମେଧା ତାଲିକାରୁ ଆୟୋଗ ସାମିଲ ନକରି ତାଙ୍କ ପ୍ରାର୍ଥୀତ୍ୱ ବାତିଲ କରିଦେବା ସହିତ ତାଙ୍କ ଠାରୁ ଢେର କମ୍ ନମ୍ବର ରଖିଥିବା ପ୍ରାର୍ଥୀଙ୍କ ନାମ ଯୋଗ୍ୟତା ତାଲିକାରେ ରଖାଯାଇଥିଲା । ଏ ସଂକ୍ରାନ୍ତରେ ସେ ସମୟରେ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ବିଭାଗ ଆଦି ଆୟୋଗଙ୍କୁ ବାରମ୍ବାର ପତ୍ର ଲେଖି ସଂପୃକ୍ତ ପ୍ରାର୍ଥୀଙ୍କ ନାମ ମେଧା ତାଲିକାରେ ଠିକଣା ଜାଗାରେ ସ୍ଥାନିତ କରିବା ଲାଗି କହିଥିଲେ ମଧ୍ୟ ତାହାର ଅଣଦେଖା କରାଯିବାରୁ ଏହି ବଞ୍ôଚତ ପ୍ରାର୍ଥୀ ଜଣକ ଆଇନ୍ ଅଦାଲତର ଆଶ୍ରୟ ନେଇଥିଲେ ।
ଓଡ଼ିଶା ହାଇକୋର୍ଟ ଏହି ମାମଲାର ଦୀର୍ଘ ଶୁଣାଣି କରି ତଥ୍ୟ ପ୍ରମାଣ ଆଧାରରେ ଯେଉଁ ରାୟ ଦେଇଥିଲେ ସେଥିରେ ଏହି ପ୍ରାର୍ଥୀଙ୍କ ପ୍ରତି ଅନ୍ୟ୍ରାୟ ହୋଇଥିବାଉଲ୍ଲେଖ କରିବା ସହିତ ତାଙ୍କ ନାମକୁ ମେଧା ତାଲିକାରେ ସ୍ଥାନିତ କରି ତୁରନ୍ତ ନିଯୁକ୍ତି ଦେବା ସହ ୨୦୨୪ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅନୁପାଳନ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟରେ ବଞ୍ôଚତ ପ୍ରାର୍ଥୀଙ୍କୁ କ୍ଷତିପୂରଣ ଦେବା ପାଇଁ ସ୍ପଷ୍ଟ ଭାବେ କୁହାଯାଇଥିଲା । ଓପିଏସ୍ସିଙ୍କ ତ୍ରୁଟିେ ଯାଗୁ ଏହି ପ୍ରାର୍ଥୀ ଜଣକ ନିଯୁକ୍ତି ସୁଯୋଗରୁ ପ୍ରାୟ ୫ବର୍ଷ ଧରି ବଞ୍ôଚତ ହୋଇଥିବା ଦୃଷ୍ଟିରୁ ଓପିଏସ୍ସି ହାଇକୋର୍ଟଙ୍କ ରାୟ ମୁତାବକ ତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଥିଲେ ମଧ୍ୟ ଏଯାବତ ଉକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାଙ୍କୁ କ୍ଷତିପୂରଣ ରାଶି ଦିଆଯାଇନାହିଁ କିମ୍ବା ହାଇକୋର୍ଟରେ ଅନୁପାଳନ ରିପୋର୍ଟ ମଧ୍ୟ ଦାଖଲ କରାଯାଇନାହିଁ ।
ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧୧ ହଜାର ଅଦାଲତ ଅବମାନନା ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ଅଧିକାଂଶରେ ବିଭାଗୀୟ ଶାସନ ସଚିବ, ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀ ପକ୍ଷଭୁକ୍ତ ରହିଛନ୍ତି । ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ସଂଖ୍ୟା ବୃଦ୍ଧି ପାଇବା ପ୍ରଶାସନିକ ବ୍ୟବସ୍ଥା ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ଅବସରପ୍ରାପ୍ତ ଅଧିକାରୀ ଓ ବିଧିବିଶେଷଜ୍ଞମାନେ କହୁଛନ୍ତି । (ତଥ୍ୟ)