ଭୁବନେଶ୍ୱର : ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର କ୍ଷେତ୍ରରେ ଗତ ୬ମାସ ମଧ୍ୟରେ ଓଡ଼ିଶାରେ ଉଲ୍ଲେଖନୀୟ ପ୍ରଗତି ଲକ୍ଷ୍ୟ କରାଯାଇଛି । ବିଶେଷକରି ରାଜଧାନୀ ଭୁବନେଶ୍ୱର କ୍ରମଶଃ ‘ନଲେଜ୍ ପ୍ରୋସେସ୍ ଆଉଟସୋର୍ସିଂ’ (କେପିଓ) ସେକ୍ଟରରେ ପରିଣତ ହୋଇଛି । ସ୍ମାର୍ଟସିଟି ଭୁବନେଶ୍ୱର ଏବେ ସ୍ମାର୍ଟ ଆଇଟି ହବରେ ପରିଣତ ହେବାକୁ ଯାଉଛି ।
ମିଳିଥିବା ଖବର ମୁତାବକ ଦେଶର ଦ୍ୱିତୀୟ ଶ୍ରେଣୀର ସହରଗୁଡ଼ିକ ମଧ୍ୟରେ ଭୁବନେଶ୍ୱର, କୋଏମ୍ବାଟୁର, ନାଗପୁର, ଭାଇଜାଗ୍, ଇନ୍ଦୋର, ୱାରଙ୍ଗଲ୍, ଭଦୋଦରା ଆଦି ଚଳିତବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ଆଇଟି କେପିଓ କ୍ଷେତ୍ରରେ ୨୦ ପ୍ର୍ତିଶତରୁ ଅଧିକ ଉନ୍ନତି ହାସଲ କରିଛନ୍ତି । ଅନୁକୂଳ ବାତାବରଣ ଯୋଗୁ ପୁଞ୍ଜିଲଗାଣକାରୀମାନେ ଏ କ୍ଷେତ୍ରରେ ଭୁବନେଶ୍ୱରକୁ ଅଧିକ ପସନ୍ଦ କରୁଛନ୍ତି । ବିଶେଷକରି ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ ହେଉଥିବାରୁ କେପିଓ ସେକ୍ଟରର ଏଠାରେ ଦ୍ରୁତ ବିକାଶ ଘଟୁଛି ।
ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏଥିପାଇଁ ଦିନରାତି ଏକ କରି ଲାଗିଛନ୍ତି । ତାଙ୍କର ଦୂରଦୃଷ୍ଟି ଓ ନିରନ୍ତର ଉଦ୍ୟମ ଯୋଗୁ ଆଇଟି ବ୍ୟବସାୟ ଭୁବନେଶ୍ୱରରେ ବଢ଼ିବା ସହିତ ପୁଞ୍ଜିନିବେଶକାରୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଆକର୍ଷିତ ହୋଇ ଓଡ଼ିଶା ଆସୁଛନ୍ତି ।
ଆଇଟି ସଂସ୍ଥାମାନେ ଭୁବନେଶ୍ୱରମୁହାଁ ହୋଇଥିବାବେଳେ ରାଜଧାନୀ ସମେତ ସାରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷକରି ପ୍ରଶାସନିକ କଳ, ପୋଲିସ ସେବା, ଟ୍ରାଫିକ୍ ପରିଚାଳନା ଓ ଅନ୍ୟାନ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସକାରାତ୍ମକ ଉପଯୋଗ କରାଯିବା ଫଳରେ ପ୍ରଶାସନିକ ବ୍ୟବସ୍ଥା ବି ତ୍ୱରାନ୍ୱିତ ହେଉଥିବା ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଏଥିଯୋଗୁ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଉଛି ।
ବୈଷୟିକ ବିଶେଷଜ୍ଞମାନେ କହୁଛନ୍ତି ଯେ ଆଇଟି ଓ କେପିଓ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭୁବନେଶ୍ୱରରେ ବ୍ୟାପକ ଭିତ୍ତିଭୂମି ଓ ଅନୁକୂଳ ପରିବେଶ ରହିଛି । ଏଥିଲାଗି ଦେଶ ବିଦେଶର ବିଶେଷଜ୍ଞ ଓ ପୁଞ୍ଜିନିବେଶକାରୀମାନେ ଓଡ଼ିଶାକୁ ଏବେ ସେମାନଙ୍କର ପ୍ରଥମ ପସନ୍ଦ ଭାବେ ବିବେଚନା କରୁଛନ୍ତି । ସ୍ମାର୍ଟସିଟି ଭୁବନେଶ୍ୱର ଏଥିରୁ ବିଶେଷ ଫାଇଦା ଉଠାଇବ ବୋଲି ଆଶା କରାଯାଉଛି । ଆଇଟି ଓ କେପିଓ କ୍ଷେତ୍ରରେ ବିକାଶ ଘଟିବା ସହ ତାଳଦେଇ ବିଭିନ୍ନ ପ୍ରଶାସନିକ ଓ ବୈଷୟିକ କାର୍ଯ୍ୟରେ ମଧ୍ୟ ଅଧିକରୁ ଅଧିକ ଏଆଇର ବ୍ୟବହାର ସୁଯୋଗ ସୃଷ୍ଟି ହେଉଛି ।(ତଥ୍ୟ)