ଭୁବନେଶ୍ୱର : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୪ତମ ଶ୍ରାଦ୍ଧ ଦିବସ ଆଜି ବିଜୁ ଜନତାଦଳର ରାଜ୍ୟ କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପାଳନ କରାଯାଇଛି । କୋଭିଡ କଟକଣା ମାନି ଆଜି ନିରାଡମ୍ବର ଭାବେ ଶ୍ରାଦ୍ଧଦିବସ ପାଳନ କରାଯାଇଥିବେଳେ ଦଳର ବହୁ ସଦସ୍ୟ, ଯୁବ ଓ ଛାତ୍ରମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ।
ଶ୍ରାଦ୍ଧ ଦିବସ ଅବସରରେ ଆଜି ପୂର୍ବାହ୍ନରେ ଦଳୀୟ ନେତୃବୃନ୍ଦ ବିଜୁ ଜନତାଦଳ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ । କୋଭିଡ ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରି ଶ୍ରାଦ୍ଧସଭା ଆୟୋଜନ କରାଯାଇଥିବାବେଳେ ଏଥିରେ ଦଳର ବରିଷ୍ଠ ସଦସ୍ୟ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ବିଜେଡି ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ ବିଜୟ ନାୟକ, ସମ୍ପାଦକ ଅମରେଶ ଜେନା, ବିଜେଡି ନେତ୍ରୀ ସୁଲତା ଦେଓ, ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ବରିଷ୍ଠ ସଦସ୍ୟ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ମାନସ ମଙ୍ଗରାଜ, ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ତାଙ୍କ ଅଦମ୍ୟ ସାହସିକତା, ଓଡିଶା ପ୍ରତି ଥିବା ତାଙ୍କର ଅବଦାନ ବିଶେଷକରି ଓଡିଶାର ଯୁବ ଓ ଛାତ୍ରଙ୍କ ପାଇଁ ବିଜୁ ବାବୁ ଆଜି ବି କିଭଳି ଆଦର୍ଶ ତାହା ବର୍ଣ୍ଣନା କରିଥିଲେ ।
ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅଧିନରେ ରକ୍ତଦାନ ଶିବିର ଅ।।ୟୋଜିତ ହୋଇଥିଲା । କୋଭିଡ କଟକଣା ମଧ୍ୟରେ ବହୁ ସଂଖ୍ୟାରେ ଯୁବକ ଓ ଛାତ୍ରମାନେ ବିଜୁ ବାବୁଙ୍କ ପ୍ରତି ସମ୍ମାନ ଜଣାଇ ରକ୍ତଦାନ କରିଥିଲେ ।