ଭୁବନେଶ୍ୱର : ବାଲେଶ୍ୱରରେ ଆତ୍ମାହୂତି ଦେଇଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ପ୍ରସଂଗରେ ସାରା ରାଜ୍ୟ ହୁଲ୍ସ୍ତୁଲ ହେଉଥିବାବେଳେ ସୌମ୍ୟାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଭାବେ ଆହତ ହୋଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କ ଉପରେ ସରକାର ଓ ଆନ୍ଦୋଳନକାରୀମାନଙ୍କର ଧ୍ୟାନ ନାହିଁ ।
ଗୁରୁତର ଅବସ୍ଥାରେ ସୌମ୍ୟାଶ୍ରୀଙ୍କୁ ବାଲେଶ୍ୱର ଡାକ୍ତରଖାନାରୁ ଭୁବନେଶ୍ୱର ଏମ୍ସ ଅଣାଯାଇଥିବା ବେଳେ ତାଙ୍କୁ ଊଦ୍ଧାର କରିବାକୁଯାଇ ଆହତ ହୋଇଥିବା ଛାତ୍ର ଜ୍ୟୋତିପ୍ରକାଶଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ ହସ୍ପିଟାଲକୁ ପଠାଯାଇଥିଲା । ସୌମ୍ୟାଶ୍ରୀଙ୍କ ଇତିମଧ୍ୟରେ ଏମ୍ସରେ ଦେହାନ୍ତ ହେବା ପରେ ପୈତୃକ ଗାଁ ଶେଷକ୍ରିୟା ସମାପନ ହୋଇଛି । ଡାକ୍ତରଖାନାରେ ଓ ତାଙ୍କ ଗାଁରେ ଏଥିଲାଗି ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ଭିଡ଼ ଜମାଇଥିଲେ । କିନ୍ତୁ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇ କଟକରେ ଚିକିତ୍ସିତ ହେଉଥିବା ଜ୍ୟୋତିପ୍ରକାଶଙ୍କୁ ଭେଟିବା ପାଇଁ କୌଣସି ମନ୍ତ୍ରୀ, ଅଧିକାରୀ କିମ୍ବା ଆନ୍ଦୋଳନକାରୀ ରାଜନେତାଙ୍କର ମନେ ଥିବା ଭଳି ଜଣାପଡୁନାହିଁ ।
ଜ୍ୟୋତିପ୍ରକାଶ ଏବେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ ହସ୍ପିଟାଲର ବର୍ଣ୍ଣ ୟୁନିଟ୍ରେ ଥିବା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ମୁହଁ, ବେକ, ହାତ ଆଦି ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ତାଙ୍କ ବାପା ଏବଂ ଅନ୍ୟ ଆତ୍ମୀୟ ସ୍ୱଜନ ଏସ୍ସିବିରେ ଦିନରାତି ରହି ଚିକିତ୍ସା କାର୍ଯ୍ୟରେ ଡାକ୍ତରଙ୍କୁ ସହଯୋଗ କରୁଛନ୍ତି । କିନ୍ତୁ ସୌମ୍ୟାଶ୍ରୀଙ୍କ ପାଇଁ ଯେଭଳି ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଢ଼ାଯିବା ସହିତ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କଲେ ଏବଂ ଆବଶ୍ୟକସ୍ଥଳେ ଦିଲ୍ଲୀ ଏମ୍ସକୁ ନେବେ ବୋଲି ଘୋଷଣା କରିଥିଲେ ଜ୍ୟୋତିଙ୍କ କ୍ଷେତ୍ରରେ କିନ୍ତୁ ଏହାର କାଣିଚାଏ ଦେଖାଯାଉ ନାହିଁ । ଅବଶ୍ୟ ଇତିମଧ୍ୟରେ କେତେକ ସମାଜସେବୀ ଡାକ୍ତରଖାନା ଯାଇ ଜ୍ୟୋତିପ୍ରକାଶଙ୍କ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି ।
ସମାଜସେବୀମାନଙ୍କ ଠାରୁ ଏହି ଖବର ପାଇବା ପରେ କେତେକ ଟିଭି ଓ ୱେବ୍ ଚାନେଲ୍ ପକ୍ଷରୁ ଆଜି ଏସ୍ସିବିରେ ତଥ୍ୟ ସଂଗ୍ରହ କରାଯାଇଛି । କ୍ୟାମେରା ସମ୍ମୁଖରେ ଜ୍ୟୋତିପ୍ରକାଶଙ୍କ ବାପା ତାଙ୍କ ପୁଅର ଚିକିତ୍ସା କଥା ଉଲ୍ଲେଖ କରିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ।
ଓଡ଼ିଶା ସରକାର ତୁରନ୍ତ ଜ୍ୟୋତିପ୍ରକାଶଙ୍କ ଚିକିତ୍ସାର ସମସ୍ତ ଦାୟିତ୍ୱ ବହନ କରିବା ସଂଗେ ସଂଗେ ସେ ସୁସ୍ଥ ହେବା ପରେ ଯେଭଳି ପୋଡ଼ା ଅଂଶର ପ୍ଲାଷ୍ଟିକ ସର୍ଜରୀ କରାଯାଇପାରିବ ଏବଂ ତାଙ୍କ ପାଠପଢ଼ାରେ ଯେଭଳି କିଛି ବ୍ୟାଘାତ ନଉପୁଜିବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଏହାଛଡ଼ା ପୋଡ଼ିଯାଉଥିବା ଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ନିଜ ଜୀବନକୁ ବିପନ୍ନ କରି ଜ୍ୟୋତିପ୍ରକାଶ ଯେଭଳି ସାହସିକତାର ପରିଚୟ ଦେଇଛନ୍ତି ସେଥିଲାଗି ଓଡ଼ିଶା ସରକାର ତାଙ୍କୁ ସମ୍ମାନିତ କରିବା ସଂଗେସଂଗେ ପର୍ଯ୍ୟାପ୍ତ ପରିମାଣର ପୁରସ୍କାର ଦେବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ହେଉଛି ।
ସାମାଜିକ ଗଣମାଧ୍ୟମରେ ଜ୍ୟୋତିପ୍ରକାଶଙ୍କ ପ୍ରତି ଅବହେଳା ସଂକ୍ରାନ୍ତରେ ପ୍ରଚାର ହେବା ପରେ ବିଭିନ୍ନ ସୂତ୍ରରୁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଆଜି ଅପରାହ୍ଣରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏ ସଂକ୍ରାନ୍ତରେ ଆହତ ଛାତ୍ରଙ୍କ ପରିବାରବର୍ଗଙ୍କ ସହ ଫୋନ୍ ଯୋଗେ କଥାହେବା ସଂଗେ ସଂଗେ ଚିକିତ୍ସାର ସୁବନ୍ଦୋବସ୍ତ ଲାଗି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିବା ଜଣାପଡିଛି ।(ତଥ୍ୟ)