Home General ମହିଳା ଓ ଶିଶୁଙ୍କ ପ୍ରତି ନିର୍ଯାତନା ରୋକିବ କିଏ ?

ମହିଳା ଓ ଶିଶୁଙ୍କ ପ୍ରତି ନିର୍ଯାତନା ରୋକିବ କିଏ ?

ଭୁବନେଶ୍ୱର : ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି । ଓଡ଼ିଶାରେ ଘଟୁଥିବା ମହିଳା ଅତ୍ୟାଚାର ପ୍ରସଂଗରେ ଜାତୀୟ ମହିଳା କମିଶନ ବାରମ୍ବାର ଉଦ୍‍ବେଗ ପ୍ରକାଶ କରୁଥିବା ବେଳେ ରାଜ୍ୟରେ କିନ୍ତୁ ମହିଳା କମିଶନ ଅଚଳ ଅବସ୍ଥାରେ ପଡ଼ିରହିଛି । ଫଳରେ ଉତ୍ପୀଡ଼ନର ଶିକାର ହେଉଥିବା ମହିଳାମାନେ ରାଜ୍ୟ କମିଶନଙ୍କ ଦ୍ୱାରସ୍ଥ ହୋଇପାରୁ ନାହାନ୍ତି । ସେହିଭଳି ରାଜ୍ୟ ଶିଶୁ ସୁରକ୍ଷା କମିଶନ ମଧ୍ୟ ଅଚଳାବସ୍ଥାରେ ଥିବାରୁ ଶିଶୁଙ୍କ ପ୍ରତି ନିର୍ଯାତନା ଘଟଣାର ଉପଶମ କରାଯାଇପାରୁ ନାହିଁ ।

ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ସର୍ବଶେଷ ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୨ ରିପୋର୍ଟ’ ୨୦୨୩ ଡିସେମ୍ବର ମାସରେ ପ୍ରକାଶ ପାଇଥିଲା । ଏହା ପରଠାରୁ ଆଉ କୌଣସି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଏନ୍‍ସିଆରବିର ରିପୋର୍ଟ ତଥ୍ୟ ମୁତାବକ ୨୦୨୨ ଶେଷ ସୁଦ୍ଧା ସାରା ଦେଶରେ ୨୧,୮୪,୭୬୯ଟି ମହିଳାଙ୍କ ପ୍ରତି ଘଟିଥିବା ଅପରାଧ ମାମଲା ବିଚାରାଧୀନ ରହିଥିଲା । ୨୦୨୨ ବର୍ଷରେ ଏହି ଧରଣର ମାମଲାରୁ ଦେଶରେ ମାତ୍ର ୭.୭ ପ୍ରତିଶତ ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୨୫.୩ ପ୍ରତିଶତ ।

୨୦୨୨ ଶେଷ ବେଳକୁ ଦେଶର ବିଭିନ୍ନ ଆଇନ୍‍ ଅଦାଲତରେ ଶିଶୁମାନଙ୍କ ପ୍ରତି ଘଟିଥିବା ୫,୪୧,୮୦୦ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଉକ୍ତ ବର୍ଷରେ ଏହି କିସମର ମାମଲାରୁ ମାତ୍ର ୭.୯ ପ୍ରତିଶତ ଫଇସଲା ହୋଇଥିଲା ଏବଂ ଏଥିରେ ଦଣ୍ଡବିଧାନ ହାର ୩୩.୬ ପ୍ରତିଶତ ଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ୨୦୧୬ ଶେଷ ବେଳକୁ ଓଡ଼ିଶାରେ ମହିଳାଙ୍କ ପ୍ରତି ଘଟୁଥିବା ୮୨,୩୬୪ଟି ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଉକ୍ତ ବର୍ଷରେ ମାତ୍ର ୭.୭ ପ୍ରତିଶତ ମାମଲା ଫଇସଲା ହୋଇଥିବା ବେଳେ ଦଣ୍ଡବିଧାନ ହାର ରହିଥିଲା ୬.୨ ପ୍ରତିଶତ । ଏନ୍‍ସିଆରବି ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ଶେଷ ସୁଦ୍ଧା ଓଡ଼ିଶାରେ ମହିଳାଙ୍କ ପ୍ରତି ଘଟିଥିବା ବିଚାରାଧୀନ ଅପରାଧିକ ମାମଲା ସଂଖ୍ୟା ୧,୬୯,୫୭୨କୁ ବୃଦ୍ଧି ପାଇଥିଲା । ଅର୍ଥାତ୍‍ ଏହି ୬ବର୍ଷ ଭିତରେ ଏହି କିସମର ମାମଲା ସଂଖ୍ୟା ଦୁଇଗୁଣରୁ ଅଧିକା ଓଡ଼ିଶାରେ ବଢ଼ିଛି । ଏବେ ଏହି ସଂଖ୍ୟା ପାଖାପାଖି ୨ଲକ୍ଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ୨୦୨୨ ବର୍ଷ ସୁଦ୍ଧା ଏହି କିସମର ଯେତେ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ସେଥିରୁ ଉକ୍ତ ବର୍ଷରେ ମାତ୍ର ୪.୨ ପ୍ରତିଶତ ଫଇସଲା ହୋଇଥିବା ବେଳେ ଓଡ଼ିଶ।।ରେ ଦଣ୍ଡବିଧାନ ହାର ରହିଥିଲା ୯.୨ ପ୍ରତିଶତ ମାତ୍ର ।

ସେହିପରି ୨୦୧୬ ସୁଦ୍ଧା ରାଜ୍ୟରେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ୬୫୫୨ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ୨୦୨୨ ଶେଷ ସୁଦ୍ଧା ଏହି ସଂଖ୍ୟା ୨୧,୪୨୪ରେ ପହଞ୍ôଚଛି । ଅର୍ଥାତ୍‍ ଏହି ୬ବର୍ଷ ଭିତରେ ଶିଶୁଙ୍କ ପ୍ରତି ଅତ୍ୟାଚାର ଜନିତ ମାମଲା ସଂଖ୍ୟା ଓଡ଼ିଶାରେ ୩ଗୁଣରୁ ଅଧିକ ବଢ଼ିଛି । ଏନ୍‍ସିଆରବି ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ବର୍ଷରେ ଏହି କିସମର ବିଚାରାଧୀନ ମାମଲାରୁ ମାତ୍ର ୪.୪ ପ୍ରତିଶତ ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ୧୨.୬ ପ୍ରତିଶତରେ ସୀମିତ ରହିଛି । ଏହାଛଡ଼ା ରାଜ୍ୟରେ ମହିଳା ଓ ଶିଶୁ ନିଖୋଜ ହେବା ଏକ ଖରାପ ପରମ୍ପରାରେ ପଡ଼ିଯାଇଛି ।

ସମାଜ ବିଜ୍ଞାନୀମାନେ କହୁଛନ୍ତି ଯେ ତଥାକଥିତ ଆଧୁନିକତା, ନିଶାର ପ୍ରସାର, ସାମାଜିକ ସଚେତନତାର ଅଭାବ, ଚରିତ୍ର ବିହୀନ ଶିକ୍ଷା, ଆଇନ୍‍ଶୃଙ୍ଖଳା ରକ୍ଷା ବ୍ୟାପାରରେ ରାଜନୈତିକ ହସ୍ତକ୍ଷେପ, ଶିଶୁ ଓ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାର ତଦନ୍ତରେ ତ୍ରୁଟି, ଦୁର୍ବଳ ମାମଲା ପରିଚାଳନା ଏବଂ ବିଳମ୍ବିତ ବିଚାର ତଥା ଅଭିଯୁକ୍ତଙ୍କ ପତିଆରା ଯୋଗୁ ପୀଡ଼ିତାମାନଙ୍କ ଯନ୍ତ୍ରଣା ବଢ଼ୁଛି । ବିଭିନ୍ନ ରାଜନୈତିକ ଦଳ ସରକାରରେ ଥିବା ସମୟରେ ମହିଳାମାନଙ୍କ ନିରାପତ୍ତା ବିପନ୍ନ ହେଉଥିବାବେଳେ ଏହାକୁ ବିରୋଧୀମାନେ ରାଜନୈତିକ ଅସ୍ତ୍ର ଭାବେ ପ୍ରୟୋଗ କରି ନେତାଙ୍କ ପ୍ରଚାରରେ ମାତୁଛନ୍ତି ।
ସମାଜରୁ କିଭଳି ଏହି ବ୍ୟାଧି ଦୂର ହୋଇପାରିବ ସେ ଦିଗରେ ଆମ ବ୍ୟବସ୍ଥା ଯେଭଳି ପଦକ୍ଷେପ ନେବା କଥା ତାହା ହୋଇପାରୁ ନାହିଁ । ଏ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସ୍ତରରେ ଆମ ରାଜ୍ୟ ତଥା ଦେଶର ଛବି ମଳିନ ହେଉଛି । ନିକଟରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ତା’ର ନାଗରିକମାନଙ୍କୁ ଭାରତ ଯାତ୍ରା ସମୟରେ ସତର୍କ ରହିବା ପାଇଁ ଯେଉଁ ମାର୍ଗନିର୍ଦ୍ଦେଶିକା ଜାରି କରାଯାଇଛି ସେଥିରେ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ମହିଳାଙ୍କ ପ୍ରତି ନିର୍ଯାତନା କଥା ମଧ୍ୟ ଉଲ୍ଲେଖ ରହିଛି । ଏମିତିକି ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ ଓ ଓଡ଼ିଶା ରାଜ୍ୟ ମହିଳା ଓ ବାଳିକା ନୀତିରେ ଆମ ଦେଶରେ ପ୍ରାୟ ଦୁଇ ତୃତୀୟାଂଶ ମହିଳା ହିଂସାକାଣ୍ଡର ଶରବ୍ୟ ହୋଇଥିବା କଥା ଉଲ୍ଲେଖ କରାଯାଇଛି ।(ତଥ୍ୟ)