ଭୁବନେଶ୍ୱର : ଜଳ ଜୀବନ ମିଶନରେ ଅର୍ଥାଭାବ ଯୋଗୁ ପାଇପ୍ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ମନ୍ଥର ଗତିରେ ଚାଲୁଛି । କେବଳ ଓଡ଼ିଶା ନୁହେଁ, ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଏହି ସମସ୍ୟା ଲାଗି ରହିଛି । ଫଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହୋଇନପାରେ ।
୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ସରକାର ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ଲାଗି ୮୬୦୦ କୋଟି ଟଙ୍କାର ଯୋଜନା ରଖିଛନ୍ତି । ଏଥିମଧ୍ୟରୁ ପ୍ରାୟ ୧୬୦୦ କୋଟି ଟଙ୍କା ରାଜ୍ୟର ବସୁଧା ଯୋଜନାର ଅନ୍ତର୍ଭୁକ୍ତ ଥିବାବେଳେ ଆଉ ପ୍ରାୟ ୭ ହଜାର କୋଟି ଟଙ୍କା କେନ୍ଦ୍ରୀୟ ପ୍ରବର୍ତ୍ତିତ ଜଳ ଜୀବନ ମିଶନ ମାଧ୍ୟମରେ ଆସିବା କଥା । ଏହାବାଦ୍ ଗ୍ରାମୀଣ କ୍ଷେତ୍ରରେ ପରିମଳ ବ୍ୟବସ୍ଥାପାଇଁ ବି କେନ୍ଦ୍ର ସରକାରଙ୍କ ଠାରୁ ଆଉ ୬୦୦ କୋଟି ଟଙ୍କା ଓଡ଼ିଶା ପାଇବା କଥା ।
ଜଳଜୀବନ ମିଶନରୁ ବିଭିନ୍ନ ରାଜ୍ୟକୁ ଅର୍ଥ ପ୍ରଦାନ କ୍ଷେତ୍ରରେ ମନ୍ଥରତା ଦେଖାଦେଇଥିବାରୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପାଇପ୍ ଜଳ ଯୋଗାଣ କାର୍ଯ୍ୟକ୍ରମ ଧିମେଇ ଯାଉଛି । କେନ୍ଦ୍ରୀୟ ସହାୟତାକୁ ଆଖିଆଗରେ ରଖି ରାଜ୍ୟ ସରକାର ବଜେଟ୍ ବ୍ୟବସ୍ଥା କରିଥିବାବେଳେ ପ୍ରଥମ ୪ମାସରେ ଯେତେ ପରିମାଣର ଅର୍ଥ କେନ୍ଦ୍ରରୁ ପାଇବେ ବୋଲି ଆଶା ରଖିଥିଲେ ଏଯାବତ୍ ତାହା ମିଳିପାରୁ ନଥିବାରୁ ଲୋକଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଧିମେଇ ଯାଉଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବାରମ୍ବାର ସମୀକ୍ଷା କରି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମ କିଭଳି ଆଗେଇବ ସେଥିଲାଗି ତାଗିଦା କରୁଛନ୍ତି ।
ନିକଟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଗ୍ରାମୀଣ ଜଳଯୋଗାଣ ଓ ପରିମଳ କାର୍ଯ୍ୟକ୍ରମର ତ୍ୱରିତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେଉଁ ପ୍ରକଳ୍ପଗୁଡ଼ିକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି ସେଗୁଡ଼ିକୁ କିଭଳି ବିଭିନ୍ନ ବିଭା୍ଗର ଅନୁମୋଦନ ସହିତ ବିଦ୍ୟୁତସଂଯୋଗ ଦିଆଯାଇପାରେ ତାହା ଉପରେ ରାଜ୍ୟ ସରକରା ଗୁରୁତ୍ୱ ଦେଉଛନ୍ତି । ଜଳ ଜୀବନ ମିଶନରେ ଓଡ଼ିଶା ଯେତିକି ଅର୍ଥ ପାଇବା କଥା ତାହା ଶୀଘ୍ର ମିଳିଗଲେ ବର୍ଷାଦିନେ ଏହି କାର୍ଯ୍ୟ ଢେର ଆଗେଇପାରିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶା ରଖିଛନ୍ତି ।ରାଜ୍ୟ ସରକରା ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଝାଡ଼ାବାନ୍ତି ରୋଗ ବ୍ୟାପିବାର ପ୍ରମୁଖ କାରଣ ଦୂଷିତ ପାନୀୟ ଜଳ ସେବନ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ଏହାକୁଆଖି ଆଗରେ ରଖି ଝାଡ଼ାବାନ୍ତି ବ୍ୟାପୁôଥବ ଅଞ୍ଚଳଗୁଡ଼ିକୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହିତ ଗାଁ ଗଣ୍ଡାରେ କୂଅ, ନଳକୂପ ଆଦିର ଦଳ ବିଶୋଧନ ଏବଂ ଘରେ ଘରେ ଲୋକେ ଯେଭଳି ଫୁଟାପାଣି ସହିତ ସରକାରଙ୍କ ପକ୍ଷରୁ ଜଳ ବିଶୋଧନ ପାଇଁ ବଣ୍ଟା ଯାଉଥିବା ବଟିକାର ବ୍ୟବହାର କରିବେ ଏବଂ ନଳକୂପଗୁଡ଼ିକ ପାଇଖାନା ପାଣିଯୋଗୁ ଯେଭଳି ପ୍ରଦୂଷିତ ନହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି ।(ତଥ୍ୟ)