Home News in Odia ନିର୍ବାଚନ ପ୍ରସ୍ତୁତି ପାଇଁ ରାଜନୈତିକ ଉଷ୍ମତା

ନିର୍ବାଚନ ପ୍ରସ୍ତୁତି ପାଇଁ ରାଜନୈତିକ ଉଷ୍ମତା

ଭୁବନେଶ୍ୱର : ସରକାର ଓ ବିରୋଧୀ ଦଳରେ ଥିବା ରାଜନୈତିକ ଦଳମାନେ ଏବେ ଓଡ଼ିଶାରେ ବେଶ୍‍ ତତ୍ପରତା ପ୍ରକାଶ କରୁଥିବାବେଳେ କାହାର କେତେ କାଟ୍‍ତି ତାହା ୨ମାସ ପରେ ହେବାକୁ ଯାଉଥିବା ଛାତ୍ର ସଂସଦ ନିର୍ବାଚନ ଓ ପରେପରେ ଆସୁଥିବା ପଞ୍ଚାୟତ ଉପ ନିର୍ବାଚନରେ ପ୍ରମାଣିତ ହୋଇଯିବ । ଏଥିଲାଗି ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତି ପର୍ବ ଚଳାଇଛନ୍ତି ।

ସରକାରୀ ଭାବେ କିଛି ଘୋଷଣା କରାଯାଇନଥିଲେ ମଧ୍ୟ ଆସନ୍ତା ଦୁର୍ଗାପୂଜା ଛୁଟି ପୂର୍ବରୁ ସେପ୍ଟେମ୍ବର ମାସରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ । ଏଥିଲାଗି ସରକାରୀ ସ୍ତରରେ କସରତ ଚାଲିଛି । ନିର୍ବାଚନ ତାରିଖର ସପ୍ତାହେ ଦୁଇ ସପ୍ତାହ ପୂର୍ବରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇ ସାରା ରାଜ୍ୟରେ ଗୋଟିଏ ଦିନରେ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ।

ଏବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ, ଡିଏସ୍‍ଓ, ଏଆଇଏସ୍‍ଏଫ୍‍, ଏସ୍‍ଏଫ୍‍ଆଇ ଭଳି ଛାତ୍ର ସଂଗଠନମାନେ ଛାତ୍ର ରାଜନୀତିରେ ସକ୍ରିୟ ରହିଛନ୍ତି । ଏହାଛଡ଼ା ଆଞ୍ଚଳିକ ସ୍ତରରେ ମଧ୍ୟ କେତେକ ଛାତ୍ର ସଂଗଠନ କାର୍ଯ୍ୟ କରୁଛି । ଦୀର୍ଘବର୍ଷ ଧରି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ୍‍ ଛାତ୍ର ସଂସଦ ଦଖଲ କରିବା ଲାଗି ଉଭୟ ସରକାରୀ ଓ ବିରୋଧୀ ଦଳଗୁଡ଼ିକ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏହାକୁ ଆଖି ଆଗରେ ରଖି ଏବେ କଲେଜ୍‍ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖା ଚାଲିଥିବା ବେଳେ ନବାଗତ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ଲାଗି ଆଶାୟୀ ପ୍ରାର୍ଥୀ ଓ ସଂଗଠନମାନେ କାର୍ଯ୍ୟ କରୁଛନ୍ତି ।

ତେବେ ବିଶ୍ୱବିଦ୍ୟାଳୟ ଓ କଲେଜ୍‍ଗୁଡ଼ିକରେ ଶିକ୍ଷକ ଓ ଅଣଶିକ୍ଷକ ମରୁଡ଼ି ଅବସ୍ଥା ଉତ୍କଟତର ଥିବାବେଳେ କାମ ଚଳାଇନେବା ପାଇଁ ଠିକା ନିଯୁକ୍ତି ଭରସା ସାଜିଛି । ଡଜନେରୁ ଅଧିକା ସରକାରୀ ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ମଧ୍ୟ ନାହାନ୍ତି । ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଥିତି ଦୟନୀୟ ଅବସ୍ଥାରେ ଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ସେଭଳି କିଛି ଜୋରଦାର ଦାବି ଉପସ୍ଥାପନା କରାଯାଉ ନାହିଁ । ଏମିତିକି ସଂଖ୍ୟାଧିକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ୍‍ଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲେ ବି ତାହା ପୂରଣ ହେଉନଥିବାବେଳେ ଛାତ୍ର ଓ ଶିକ୍ଷକ ସଂଗଠନଗୁଡ଼ିକ ଯେଭଳି ଚାପ ପ୍ରୟୋଗ କରିବା କଥା ତାହା ମଧ୍ୟ କରିପାରୁ ନାହାନ୍ତି । ଏ ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନରେ କେଉଁ ସଂଗଠନ କେତେ ଆସନରେ ଜିଣିବ ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲି ପଡିଥିବା ଆସନଗୁଡ଼ିକ ଲାଗି ହେବାକୁ ଥିବା ଉପ-ନିର୍ବାଚନକୁ ପାଣିପାଗ ଦୃଷ୍ଟିରୁ ଘୁଞ୍ଚାଇ ଦିଆଯାଇଛି । ଏହି ଉପ-ନିର୍ବାଚନ ବିଭିନ୍ନ ଦଳ ପାଇଁ ଏସିଡ୍‍ ଟେଷ୍ଟ ଭଳି ହେବ । ଏହାଛଡ଼ା ଗଢ଼ାଯିବା ସମୟରୁ ଏଯାବତ୍‍ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମର ନିର୍ବାଚନ ହୋଇନାହିଁ । ପୁରୀ ପୌର ସଂସ୍ଥାର ନିର୍ବାଚନ ହୋଇନଥିବାବେଳେ ଏହାକୁ ମହାନଗର ନିଗମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆଇନ୍‍ଗତ ବିବାଦ ଯୋଗୁ ଏହି ତିନୋଟି ସଂସ୍ଥାର ନିର୍ବାଚନ ହୋଇନଥିବା କୁହାଯାଉଛି । ଆଇନ୍‍ଗତ ପ୍ରତିବନ୍ଧକ ହଟିଲେ ଯେ କୌଣସି ସମୟରେ ଏଗୁଡ଼ିକ ପାଇଁ ନିର୍ବାଚନ ହେବ ।

ଏହାଛଡ଼ା ଆଗକୁ ଥିବା ରାଜ୍ୟସଭା ନିର୍ବାଚନ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମଧ୍ୟ ତିନି ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟମାନେ ବି ତଳ ସ୍ତରରୁ ପ୍ରସ୍ତୁତ ହେଉଛନ୍ତି । ୨୦୨୯ର ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନଗୁଡ଼ିକ ରାଜନୈତିକ ଦଳମାନଙ୍କ ଶକ୍ତି ମାପିବାରେ ସହାୟକ ହେବ ବୋଲି ବିଶ୍ଳେଷକମାନେ ମତ ଦେଉଛନ୍ତି ।(ତଥ୍ୟ)