ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟ ଇତିମଧ୍ୟରେ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇସାରିଛି । ତେବେ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ସମ୍ମୁଖରେ ରାସ୍ତା ଅତିକ୍ରମ କରିବା ପାଇଁ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ୨୦୧୧ ମସିହାରେ ୧୨ ଜଣ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ଶୁଭ ଦିଆଯାଇଥିଲେ ମଧ୍ୟ ଏଯାବତ୍ ଏଠାରେ ଫଳକ ପୋତାଯିବା ଛଡ଼ା ଅନ୍ୟ କିଛି କାମ ହୋଇନାହିଁ ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୦୧୧ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅଗଷ୍ଟ ୩୦ରେ ଏହି ଫୁଟ୍ ଓଭରବ୍ରିଜ୍ ଲାଗି ଶିଳାନ୍ୟାସ ହୋଇଥିଲା ଏବଂ ଶିଳାନ୍ୟାସ ଫଳକ ଉନ୍ମୋଚନ ଲାଗି ୫ ଜଣ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ଡେପୁଟୀ ମେୟରଙ୍କ ସମେତ ଅନ୍ୟୁନ ୧୨ ଜଣ ସମ୍ମାନୀୟ ଅତିଥି ଯୋଗଦେଇ ଛାତ୍ରୀ, ଅଧ୍ୟାପିକା ଓ ସ୍ଥାନୀୟ ଲୋକଙ୍କୁ ମିଠା ମିଠା ଭାଷଣ ଶୁଣାଇଥିଲେ । ଏମିତିକି ସୀମିତ ସମୟ ମଧ୍ୟରେ ଏହି ଫୁଟ୍ ଓଭରବ୍ରିଜ୍ ୨୦୧୨ରେ ଉଦ୍ଘାଟିତ ହେବ ବୋଲି ମଧ୍ୟ ଏହି ଉତ୍ସବରେ ଘୋଷଣା କରାଯାଇଥିଲା । କେବଳ ନେତା ନୁହଁନ୍ତି ବହୁ ପଦସ୍ଥ ଅଧିକାରୀ ବି ଏହି ଶିଳାନ୍ୟାସ ଉତ୍ସବରେ ସାମିଲ ଥିଲେ ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଏହା ପରିସରରେ ଥିବା ମହାବିଦ୍ୟାଳୟ, ଛାତ୍ରୀନିବାସ ଆଦିରୁ ଛାତ୍ରୀ ଓ ଅଧ୍ୟାପିକାମାନେ ସବୁଦିନ ରାସ୍ତାପାର ହେବା ବେଳକୁ ନାକେଦମ୍ ହେଉଛନ୍ତି । ଅନେକ ସମୟରେ ବି ଦୁର୍ଘଟଣା ଘଟୁଛି । ଅବଶ୍ୟ ଏହି ବିଶ୍ୱବିଦ୍ୟାଳୟର ସମ୍ମୁଖରେ ଥିବା ଚଉଡ଼ା ରାସ୍ତାରେ ଯାନବାହନର ବେଗ ନିୟନ୍ତ୍ରଣ ପାଇଁ ଉଚ୍ଚା ଉଚ୍ଚା ହମ୍ପ୍ସମାନ ନିର୍ମାଣ କରାଯାଇଛି । ପ୍ରାୟ ୨୦ ବର୍ଷ ଧରି ରମାଦେବୀର ଛାତ୍ରୀ ଓ ଅଭିଭାବକମାନେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ସ୍ୱର ଉଠାଇ ଆସୁଛନ୍ତି । ସମସ୍ୟାର ଗୁରୁତ୍ୱ ଉପଲବ୍ଧି କରି ସରକାର ଏଠାରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ ।
ଏହି ମହିଳା ଶିକ୍ଷାନୁଷ୍ଠାନ ସମ୍ମୁଖରେ ଯେବେ ଫୁଟ୍ ଓଭରବ୍ରିଜ୍ ପାଇଁ ଶିଳାନ୍ୟାସ ହେଲା ତାହାର ୭/୮ ବର୍ଷ ପରେ ବ୍ୟବସାୟିକ ପ୍ରତିଷ୍ଠାନ ପାଲ୍ ହାଇଟ୍ସ ସମ୍ମୁଖରେ ଗୋଟିଏ ଏବଂ କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଦୁଇଟି ଫୁଟ୍ ଓଭରବ୍ରିଜ୍ ନିର୍ମିତ ହୋଇସାରିଛି । କିନ୍ତୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ, ସମାଜସେବୀ ଏବଂ ସର୍ବୋପରି ଓଡ଼ିଶାରେ ନାରୀ ଜାଗରଣର ଆଦ୍ୟସ୍ୱର ଭାବେ ପରିଚିତା ମା’ ରମାଦେବୀଙ୍କ ନାମରେ ନାମିତ ଏହି ଗୌରବାବହ ଶିକ୍ଷାନୁଷ୍ଠାନର ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଫୁଟ୍ ଓଭରବ୍ରିଜ୍ କାମ ୧୧ ବର୍ଷ ଧରି ଆରମ୍ଭ ହୋଇପାରୁନାହିଁ ।
ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଯାଇଥିବା ୨ଟି ଚଉଡ଼ା ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ଶିଳାନ୍ୟାସ ଫଳକଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହା କେତେବେଳେ ଭୁଷୁଡ଼ିପଡ଼ି ସଡ଼କ ଦୁର୍ଘଟଣାର କାରଣ ହେବ ତାହା କହିହେଉନାହିଁ । ଏହି ଶିଳାନ୍ୟାସ ଫଳକରେ ଏବେ ବି ଅସ୍ପଷ୍ଟ ଅକ୍ଷରରେ ରାଜ୍ୟ ସରକାରଙ୍କ ସେତେବେଳର ୫ଜଣ ମନ୍ତ୍ରୀଙ୍କ ସମେତ ତତ୍କାଳୀନ ଲୋକସଭା ସଦସ୍ୟ, ବିଧାୟକ, ମେୟର, ଡେପୁଟୀ ମେୟର, ୨୨ ଓ ୨୩ ନଂ ୱାର୍ଡର କର୍ପୋରେଟର୍ ଏବଂ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ନାମ ରହିଛି ।
କର୍ତ୍ତୃପକ୍ଷ ଆରମ୍ଭ କରିଥିବା କାର୍ଯ୍ୟକୁ ତୁରନ୍ତ ଆସନ୍ତା ବର୍ଷାଋତୁ ବେଳକୁ ଶେଷ କରି କରି ଅନ୍ତତଃପକ୍ଷେ ମା’ ରମାଦେବୀଙ୍କ ଜନ୍ମଦିବସରେ ବହୁ ପ୍ରତିକ୍ଷୀତ ଫୁଟ୍ ଓଭରବ୍ରିଜ୍ ଉଦ୍ଘାଟନ କରିବାକୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଦାବି କରୁଛନ୍ତି । (ତଥ୍ୟ)