ଭୁବନେଶ୍ୱର : ମନମୋହନ ସାମଲ ପୁଣିଥରେ ବିଜେପି ରାଜ୍ୟ ଶାଖା ସଭାପତି ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ମନ୍ତ୍ରିମଣ୍ଡଳ, ବିଭିନ୍ନ ସରକାରୀ ସଂସ୍ଥା ଓ ଦଳୀୟ ପଦପଦବୀରେ ନିଯୁକ୍ତି ପାଇବା ଲାଗି ଆଶାୟୀମାନଙ୍କ ଉତ୍କଣ୍ଠା ବଢ଼ିଯାଇଛି । ତେବେ ଖୁବ୍ଶୀଘ୍ର କେନ୍ଦ୍ର ନେତୃତ୍ୱ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦାଧିକାରୀମାନଙ୍କ ସହ ବିଚାରବିମର୍ଶ କରି ବିଜେପି ଠିକଣା ନେତାମାନଙ୍କୁ ଠିକଣା ଜାଗାରେ ନିଯୁକ୍ତି ଦେବ ବୋଲି ବହୁ ଦଳୀୟ ନେତା ମତ ପ୍ରକାଶ କରିଛନ୍ତି ।
ଦୀର୍ଘ ୬ମାସ ଧରି ବିଜେପି ରାଜ୍ୟ ସଭାପତି ନିର୍ବାଚନ ଘେନି ତତ୍ପରତା ପ୍ରକାଶ ପାଉଥିଲା । ଗଣମାଧ୍ୟମରେ ଏଥିଘେନି ମଧ୍ୟ ବାରମ୍ବାର ଚର୍ଚ୍ଚା ହେଉଥିଲା । ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ କ୍ରମେ ସର୍ବସମ୍ମତ କ୍ରମେ ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା । ଏବେ ସେ ସମସ୍ତଙ୍କୁ ସାଙ୍ଗରେ ନେଇ ‘ଟିମ୍ ସ୍ପିରିଟ୍’ରେ କାମ କରିବେ ବୋଲି କହୁଛନ୍ତି । କେବଳ ଦଳୀୟ ନେତା ନୁହନ୍ତି, ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କିଛି ଅଣ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସରକାରରେ କାମ କରିବାର ସୁଯୋଗ ଦିଆଯିବ ବୋଲି ଦଳୀୟ ନେତାମାନେ ଆଶାବ୍ୟକ୍ତ କରୁଛନ୍ତି ।
ଏବେ ବି କେତେକ ସ୍ଥାନରେ ବିଜେପିର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇନାହିଁ । ଯେଉଁ ଜିଲ୍ଲାରେ ବି ନୂଆ ସଭାପତିଙ୍କ ନାମ ଘୋଷଣା ହୋଇଛି ସେଠାରେ ଜିଲ୍ଲା, ବ୍ଲକ ଓ ମଣ୍ଡଳ କମିଟିର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇନାହିଁ । ମନମୋହନ ରାଜ୍ୟ ସଭାପତି ହେବା ପରେ କେଉଁମାନଙ୍କୁ ଉପ-ସଭାପତି, ସାଧାରଣ ସଂପାଦକ, ସଂପାଦକ, କୋଷାଧ୍ୟକ୍ଷ ଭଳି ରାଜ୍ୟସ୍ତରୀୟ ପଦପଦବୀରେ ନିଯୁକ୍ତ କରିବେ ଏବଂ କେଉଁ ନେତାମାନେ ରାଜ୍ୟ ଓ ଜିଲ୍ଲା କମିଟିଗୁଡ଼ିକରେ ସ୍ଥାନ ପାଇବେ ସେଥିଘେନି ଦଳୀୟ ସ୍ତରରେ ଉତ୍କଣ୍ଠା ପ୍ରକାଶ ପାଉଛି ।
ଏବେ ରାଜ୍ୟ ମନ୍ତ୍ରିମଣ୍ଡଳରେ ୧୬ଜଣ ସଦସ୍ୟ ଥିବାବେଳେ ପରମ୍ପରା ଅନୁଯାୟୀ ଆଉ ୬ଜଣଙ୍କୁ ବି ସାମିଲ କରାଯାଇପାରିବ । କେତେକ ଜିଲ୍ଲାରୁ ଏକାଧିକ ପ୍ରତିନିଧିତ୍ୱ ରାଜ୍ୟ ମନ୍ତ୍ରିମଣ୍ଡଳରେ ଥିବାବେଳେ ଆଉ ଅଧାରୁ ଅଧିକ ଜିଲ୍ଲା ଆଜିର ଦିନରେ ବି ମନ୍ତ୍ରୀ ଶୂନ୍ୟ ହୋଇ ରହିଛି । ଅନ୍ତତଃପକ୍ଷେ ପ୍ରତି ଲୋକସଭା କ୍ଷେତ୍ରରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ଘେନି ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଘେନି ତାଙ୍କ ଉପରେ କୌଣସି ଚାପ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।
ବିଶେଷକରି ଯେଉଁମାନେ ଅନ୍ୟ ଦଳରୁ ଆସି ବିଜେପିରେ ବିଧାୟକ ହୋଇଛନ୍ତି ସେମାନଙ୍କ ଭିତରୁ ଜଣେ ହେଲେ କାହାକୁ ମନ୍ତ୍ରିପରିଷଦରେ ନିଆଯାଇନାହିଁ । ପୂର୍ବରୁ ବିରୋଧୀ ଦଳ ନେତା ଥିବା ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିବା କଣ୍ଟାବାଞ୍ଜିର ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରିମଣ୍ଡଳରେ ଏଯାବତ ସାମିଲ କରାଯାଇନାହିଁ । ଏମିତିକି ଦଳ ମହିଳାଙ୍କ ପ୍ରସଂଗ ଉଠାଇ ସୁଭଦ୍ରା ଯୋଜନା ଓ ଲକ୍ଷପତିଦିଦି ସୃଷ୍ଟିରେ ରେକର୍ଡ କରୁଥିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳରେ ମାତ୍ର ଜଣେ ମହିଳା ପ୍ରତିନିଧିତ୍ୱ କରୁଥିବାରୁ ଆଗାମୀ ସଂପ୍ରସାରଣରେ ଅଧିକ ସଂଖ୍ୟକ ମହିଳାଙ୍କୁ ବିଜେପି ମନ୍ତ୍ରୀ କରିପାରେ । ଏହାଛଡ଼ା ପଛୁଆ ବର୍ଗ କାର୍ଡ ବି ରହିଛି ।
ନୂଆ ସରକାର ଗଢ଼ାଯିବାର ୧୩ମାସ ପୂରଣ ହେବାକୁ ଯାଉଥିବାବେଳେ ରାଜ୍ୟ ଯୋଜନା ବୋର୍ଡ ସମେତ ବିଭିନ୍ନ ନିଗମ ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକରେ ଏଯାବତ୍ ଦଳୀୟ ନେତାମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ମହିଳା କମିଶନ, ଶିଶୁ ସୁରକ୍ଷା କମିଶନ ଆଦିରେ ବି ଗୁରୁତ୍ୱପୂର୍ଣ୍ଣ ପଦପଦବୀମାନ ଖାଲି ପଡିଛି । ନୂଆ ରାଜ୍ୟ ସଭାପତି ନିର୍ବାଚନ ସରିଥିବାରୁ ଖୁବ୍ଶୀଘ୍ର ବିଭିନ୍ନ ସରକାରୀ ନିଗମ, ବୋର୍ଡ ଓ କମିଶନ ଆଦିରେ ବିଜେପିର ବହୁ ନେତା ଓ ନେତ୍ରୀ ସ୍ଥାନ ପାଇବେ ଏବଂ ଜିଲ୍ଲା ସ୍ତରୀୟ ଅଦାଲତଗୁଡ଼ିକରେ ବି ନୂଆ ଓକିଲ ପ୍ୟାନେଲ୍ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳୁଛି । (ତଥ୍ୟ)