ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଚକାଜାମ ହୋଇଯାଇଛି । କେବଳ ଆମ୍ବୁଲାନ୍ସ ଓ ସ୍କୁଲ ଗାଡି ଭଳି ଜରୁରୀ ସେବାକୁ ବାଦ ଦେଲେ ଅନ୍ୟସବୁ ଗାଡି ଗଡିବା ବନ୍ଦ ହୋଇଛି। ୭ ଦଫା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଅନ୍ଦୋଳନ ଡାକରା ଦିଆଯାଇଛି।
ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ କରିବାକୁ ଦାବି ସହ ସାଧାରଣ ଲୋକଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା, ରାଜ୍ୟରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦ ପ୍ରତିଶତ ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି କରୁଛି ସଂଘ।
ସୂଚନାଯୋଗ୍ୟ, ଗତ ଜୁନ ୯ରେ ମହାମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଏସସବୁ ଦାବି ଉପସ୍ଥାପନା କରାଯାଇଥିଲା। ରାଜ୍ୟ ସରକାର ମଞ୍ଚର ଏହି ଦାବିଗୁଡିକ ପୂରଣ ନ କଲେ ଜୁଲାଇ ୮ରେ ରାଜ୍ୟବ୍ୟାପୀ ମଞ୍ଚର ଡ୍ରାଇଭରମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଥିଲା। ଏହିକ୍ରମରେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏକତା ମହାମଞ୍ଚ ଜରିଆରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ବୋଲି ମହାସଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ମଞ୍ଚ କହିଛି, ରାଜ୍ୟରେ ୩୫ଟି ସଂଘ ଥିବାବେଳେ ଗୋଟିଏ ସଂଘ ବନ୍ଦ ଡାକରା ଦେଇଛି।