ଭୁବନେଶ୍ୱର : ଇତିହାସ ପ୍ରସିଦ୍ଧ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଥିବା ବେଳେ ୭ବର୍ଷ ଧରି ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ଏଠାରେ ଉଲ୍ଲେଖନୀୟ ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ୨୦୧୮ ମସିହାରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ବରୁଣେଇ ଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ଏଥିଲାଗି ଭାରତୀୟ ତୈଳ ନିଗମ ୧୦୦ କୋଟି ଟଙ୍କା ଦେବ ବୋଲି ଘୋଷଣା କରାଯାଇଥିଲା । ଏହାଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହି ପ୍ରକଳ୍ପ ଲାଗି ଆଗ୍ରହ ପ୍ରକାଶ କରିଥିଲେ ।
ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନପାଇଁ ଖୋର୍ଦ୍ଧାରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଉଦ୍ୟମରେ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନେକ ପୁସ୍ତକ ପ୍ରକାଶ ପାଇବା ସହ ରାଜ୍ୟ ସଂଗ୍ରହାଳୟରେ ସ୍ୱତନ୍ତ୍ର ଗ୍ୟାଲେରି ମଧ୍ୟ ଲୋକାର୍ପିତ ହୋଇଥିଲା । ତେବେ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ୨୦୦ ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ବିଶାଳ ପ୍ରତିମୂର୍ତ୍ତି ବରୁଣେଇ ପାଦ ଦେଶରେ ସ୍ଥାପନ କରିବା ସହିତ ତାଙ୍କ ଗାଁ ବ୍ରହ୍ମଗିରିର ଗଡ଼ ରୋଢ଼ଙ୍ଗଠାରେ ମଧ୍ୟ ଭବ୍ୟ ସ୍ମାରକୀ ନିର୍ମାଣ ଲାଗି ଗଣମାଧ୍ୟମରେ ବ୍ୟାପକ ବିବୃତି ଛପା ଯାଇଥିଲା ।
ବରୁଣେଇ ପ୍ରକଳ୍ପ ଲାଗି କେତେବେଳେ ୧୦୦ ଏକର ଜମି ତ ଆଉ କେତେବେଳେ ୬୦ ଏକର ପର୍ଯ୍ୟନ୍ତ ଜମି ଯୋଗାଇଦେବାକୁ ଦାବି ଉଠିଥିବାବେଳେ ରାଜ୍ୟ ସରକାର କିନ୍ତୁ ୧୦ ଏକରରୁ କମ୍ ଜମି ଯୋଗାଇଥିଲେ ଏବଂ ଜଙ୍ଗଲ କିସମ ଜମିରେ ଏହି ପ୍ରକଳ୍ପ ହେବାକୁ ଥିବାରୁ ଏଥିଲାଗି ପରିବେଶ ମଞ୍ଜୁରୀ ଆବଶ୍ୟକ ପଡୁଥିଲା । ପ୍ରକଳ୍ପ ଲାଗି କ୍ଷତିଗ୍ରସ୍ତ ହେଉଥିବା ଗଛଗୁଡ଼ିକୁ କାଟିନଦେଇ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଥିଲା । ଏହା ସତ୍ତ୍ୱେ ୨୦୧୮ ମସିହାରେ ଦେଶର ରାଷ୍ଟ୍ରପତିଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ପାଇକ ସ୍ମାରକୀ ପ୍ରକଳ୍ପ କାର୍ଯ୍ୟ ସେଭଳି କିଛି ଆଗେଇ ପାରିନାହିଁ । ଏମିତିକି ପ୍ରକଳ୍ପ ସ୍ଥାନକୁ ଯିବାପାଇଁ ଏଯାବତ୍ ଚଉଡ଼ା ରାସ୍ତା ଲାଗି ଜମି ବି ବ୍ୟବସ୍ଥା ହୋଇନଥିବା କୁହାଯାଉଛି ।
ଅତୀତରେ ସଂସଦ ଭବନ ପରିସରରେ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ବସାଇବା ପାଇଁ ବ୍ୟବସ୍ଥା ଥିଲା । ଏଥିଲାଗି ବି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । କିନ୍ତୁ ଘୋଡ଼ା ଉପରେ ଉତ୍ତୋଳିତ ଖଡ୍ଗ ଧରି ବସିଥିବା ମୂର୍ତ୍ତି ସ୍ଥାପନ ଲାଗି ଆପତ୍ତି ଉଠିବା ସହିତ ଜାଗା ମିଳିନଥିଲା । ଅଥଚ ମହାରାଣା ପ୍ରତାପ, ଛତ୍ରପତି ଶିବାଜୀ, କିଟ୍ଟୁର୍ ରାଣୀ ଚେନାମ୍ମା ଆଦିଙ୍କ ଖଡ୍ଗ ସହ ଅଶ୍ୱ ଉପରେ ବସିଥିବା ପ୍ରତିମୂର୍ତ୍ତି ପୁରୁଣା ସଂସଦ ଭବନ ପରିସରରେ ରହିଛି । ଦେଶର ରାଜଧାନୀରେ ଓଡ଼ିଶାର କୌଣସି ବରପୂତ୍ରଙ୍କ ପ୍ରତିମୂର୍ତ୍ତି ବସାଯାଇନାହିଁ କିମ୍ବା ଏଠାରେ କୌଣସି ରାସ୍ତା ଓ ନଗରର ନାମ ମଧ୍ୟ କୌଣସି ଓଡ଼ିଆଙ୍କ ନାମରେ ନାମିତ ହୋଇନାହିଁ ।
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଏଯାବତ୍ କେନ୍ଦ୍ର ସରକାର ଘୋଷଣା କରିନାହାନ୍ତି । ତେବେ କେତେକ ପାଠ୍ୟ ପୁସ୍ତକରେ ଅବଶ୍ୟ ପାଇକ ବିଦ୍ରୋହ ସଂକ୍ରାନ୍ତରେ ସଂକ୍ଷୀପ୍ତ ସୂଚନା ସ୍ଥାନିତ ହୋଇଛି । ଗୁଜରାଟରୁ ଆନ୍ଧ୍ର ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ସୀମିତ ସମୟ ମଧ୍ୟରେ ବହୁ ବରପୂତ୍ରଙ୍କ ବିଶାଳ ପ୍ରତିମୂର୍ତ୍ତିମାନ ସ୍ଥାପନ କରାଯାଇ ସେଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଯାଉଥିବା ବେଳେ ବକ୍ସିଜ ଗବନ୍ଧୁ,ବୀର ସୁରେନ୍ଦ୍ର ସାଏ, କୃତିବାସ ପାଟ୍ଟଶାଣୀଙ୍କ ଭଳି ବୀର ଓଡ଼ିଆ ଯୋଦ୍ଧାମାନଙ୍କ ସୁଦୃଶ୍ୟ ଅନୁରୂପ ପ୍ରତିମୂର୍ତ୍ତି ଓଡ଼ିଶାରେ ସ୍ଥାପନ କରାଯିବା କ୍ଷେତ୍ରରେ ବିଳମ୍ବ ହେବାର ଅନନ୍ୟ ନିଦର୍ଶନ ହେଉଛି ବହୁ ପ୍ରଚାରିତ ବରୁଣେଇ ପ୍ରକଳ୍ପ । ଏଥିଲାଗି ବିଭିନ୍ନ ପାଇକ ସଂଗଠନ ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରୁଥିବାବେଳେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସେଭଳି ଆନ୍ତରିକ ପ୍ରଚେଷ୍ଟା ପ୍ରତିଫଳିତ ହେଉନାହିଁ । (ତଥ୍ୟ)