ଭୁବନେଶ୍ୱର : ଠିକାରେ କାମ କରିବା ପରେ ଯେଉଁ ଯନ୍ତ୍ରୀମାନେ ନିୟମିତ ହୋଇଛନ୍ତି ସେମାନଙ୍କୁ ୧୯୯୨ର ପୁରୁଣା ପେନ୍ସନ୍ ରୁଲ୍ ଓ ୧୯୩୮ର ଜିପିଏଫ୍ ରୁଲ୍ ପରିସରରୁ ବାଦ୍ ଦେବା ପାଇଁ ଓଡ଼ିଶା ସରକାର ଯେଉଁ ନିଷ୍ପତ୍ତି କରିଛନ୍ତି ତାହା ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫ ଜାନୁଆରୀ ପହିଲା ପୂର୍ବରୁ ଠିକାରେ ଦୀର୍ଘବର୍ଷ ଧରି କାମ କରିଥିବା ବହୁ ଯନ୍ତ୍ରୀଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିୟମିତ କରିଥିଲେ । ଏମାନଙ୍କ ମଧ୍ୟରୁ କେତେକ ଅବସର ଗ୍ରହଣ କରି ପୁରୁଣା ପେନ୍ସନ୍ ରୁଲ୍ ଆଧାରରେ ପେନ୍ସନ, ଜିପିଏଫ୍ ଆଦି ପାଇଛନ୍ତି । ଅନ୍ୟମାନଙ୍କର ଏବେ ବି ପ୍ରତି ମାସରେ ଜିପିଏଫ୍ ଟଙ୍କା କଟୁଛି । ତେବେ ଏଣିକି ଏଭଳି ଯନ୍ତ୍ରୀମାନଙ୍କୁ ଜିପିଏଫ୍ ବ୍ୟବସ୍ଥାରୁ ବାଦ୍ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ ଗତମାସ ୬ ତାରିଖରେ ସମସ୍ତ ଦପ୍ତରକୁ ଚିଠି ଲେଖି ଆଉ ସେମାନଙ୍କ ମାସିକ ଜିପିଏଫ୍ ଜମା ଦରମାରୁ ନକାଟିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିରେ କ୍ଷତିଗ୍ରସ୍ତ ହୋଇ ସୁଶାନ୍ତ କୁମାର ମହାପାତ୍ର ନାମକ ଜଣେ ଯନ୍ତ୍ରୀ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ମାନ୍ୟବର ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାଟିର ବିସ୍ତୃତ ଶୁଣାଣି କରି ରାଜ୍ୟ ସରକାରଙ୍କୁ ପକ୍ଷ ରଖିବା ଲାଗି ସୁଯୋଗ ଦେବା ସହ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପଦକ୍ଷେପ ନନେବାକୁ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଛନ୍ତି ।
ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ଷବର୍ଷ ଧରି ଠିକାରେ କାମ କରିଥିବା ବହୁ ଯନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ନିୟମିତ କରାଯାଇଛି ଏବଂ ସେମାନଙ୍କ ଭିତରୁ ଅନେକ ମଧ୍ୟ ଏକାଧିକ ପଦୋନ୍ନତି ପାଇଛନ୍ତି ଓ ଆଉ କେତେକ ଅବସର ଗ୍ରହଣ କରିଛନ୍ତି । ଏଭଳି ଘଟଣାରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ଦପ୍ତର ଆପତ୍ତି ଉଠାଇ ଗତବର୍ଷ ଡିସେମ୍ବର ୨୬ ତାରିଖରେ ରାଜ୍ୟ ସରକାରଙ୍କୁ ଏକ ସ୍ପଷ୍ଟୀକରଣ ଦେଇଥିଲେ । ତାହାରି ଆଧାରରେ ଗତ ମଇ ୧୭ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀଙ୍କୁ ଏକ ପତ୍ର ଲେଖି ୨୦୦୫ ଜାନୁଆରୀ ପହିଲା ପରେ ନିୟମିତ ହୋଇଥିବା ଠିକା ଯନ୍ତ୍ରୀମାନଙ୍କୁ ପୁରୁଣା ପେନ୍ସନ୍ ରୁଲ୍ ଓ ଜିପିଏଫ୍ ରୁଲ୍ର ପରିସରରୁ ବାଦ୍ ଦେବାକୁ କହିଥିଲେ ।
ଓଡ଼ିଶା ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇବା ପରେ ସରକାର ବିଭିନ୍ନ ଦିଗ ପ୍ରସଂଗରେ ତର୍ଜମା କରୁଛନ୍ତି ଏବଂ ତଦନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ଅଧିକାରୀ କହୁଛନ୍ତି । ଅନ୍ୟପକ୍ଷରେ ପୁରୁଣା ପେନ୍ସନ୍ ଆଇନ୍ ଓ ଜିପିଏଫ୍ ପରିସରରୁ ବାଦ୍ ପଡୁଥିବା ଯନ୍ତ୍ରୀମାନେ କହିଛନ୍ତି ଯେ ସେମାନେ ୮/୧୦ବର୍ଷ ଓ ତଦୁର୍ଦ୍ଧ୍ୱ ସମୟ ଠିକାରେ କାମ କରିବା ପରେ ବିଭିନ୍ନ ତାରିଖରେ ନିୟମିତ ହୋଇଛନ୍ତି । ସେମାନଙ୍କୁ ୨୦୦୫ ଜାନୁଆରୀ ପହିଲା ପୂର୍ବରୁ ରାଜ୍ୟ ସରକାର ନିୟମିତ କରିଥିଲେ ଏଭଳି ସମସ୍ୟା ଉପୁଜିନଥାନ୍ତା । ଏହି ସମୟ ସୀମା ପୂର୍ବରୁ ସେମାନେ ନିୟମିତ ଯନ୍ତ୍ରୀମାନଙ୍କ ଭଳି ସରକାରଙ୍କ ସମସ୍ତ କାର୍ଯ୍ୟ କରିଆସିଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ନୂଆ ପେନ୍ସନ୍ ଓ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମ୍ରେ ସାମିଲ ନକରି ପୁରୁଣା ପେନ୍ସନ୍ ରୁଲ୍ ଓ ଜିପିଏଫ୍ ରୁଲ୍ର ସୁବିଧା ସୁଯୋଗ ଦେବା ଆବଶ୍ୟକ । ଅନ୍ୟ ବିଭାଗର ବହୁ ଯନ୍ତ୍ରୀ ଏଭଳି ସୁବିଧା ପାଉଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନଙ୍କୁ ଏଥିରୁ ବାଦ୍ ଦିଆଯିବା ଘଟଣା ଘେନି ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି । (ତଥ୍ୟ)