Home General ସମ୍ପତ୍ତି ଥାଇ ବି ସରକାରଙ୍କ ଉପରେ ନିର୍ଭରଶୀଳ

ସମ୍ପତ୍ତି ଥାଇ ବି ସରକାରଙ୍କ ଉପରେ ନିର୍ଭରଶୀଳ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପାଇଁ ଯେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେଗୁଡିକର ସୁପରିଚାଳନା ଲାଗି ଆଇନ୍‍ଗତ ବ୍ୟବସ୍ଥା ଥିଲେ ମଧ୍ୟ ଏହି ସମ୍ପତ୍ତିରୁ ଉଲ୍ଲେଖନୀୟ ଆୟ ହେଉନଥିବାରୁ ମନ୍ଦିର ପ୍ରଶାସନକୁ ସରକାରଙ୍କ ଉପରେ ନିର୍ଭର କରିବାକୁ ପଡୁଛି ।

ସରକାରୀ ହିସାବ ମୁତାବକ ଓଡିଶାର ୨୩ଟି ଜିଲ୍ଲାରେ ଶ୍ରୀମନ୍ଦିର ନାମରେ ୬୦,୪୧୦ ଏକର ଏବଂ ଓଡିଶା ବାହାରେ ଆଉ ୬ଟି ରାଜ୍ୟରେ ୩୯୫ ଏକର ୨୫୨ ଡିସିମିଲି ଭୂସମ୍ପତ୍ତି ରହିଛି । ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ସମୟରେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ ୬୦,୮୦୫ ଏକର ଜମି ବ୍ୟବସ୍ଥା କରିଥିବାବେଳେ ଏଥିରୁ ଅଧାରୁ ଅଧିକ ଜମିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ ।

ବର୍ଷ ବର୍ଷ ଧରି ଅନେକ ବ୍ୟକ୍ତି ଶ୍ରୀମନ୍ଦିରର ହଜାର ହଜାର ଏକର ଜମି ମାଡି ବସିଛନ୍ତି । ଭାଗଚାଷୀମାନଙ୍କ ଠାରୁ ବି ପର୍ଯ୍ୟାପ୍ତ ଦେବସ୍ୱ ମିଳିପାରୁନାହିଁ । ଅନ୍ୟ ପକ୍ଷରେ ଖୋରଧା ସମେତ କେତେକ ଜିଲ୍ଲାରେ ଥିବା ଶ୍ରୀମନ୍ଦିର ଜମିକୁ ତାଡି ଏଠାରୁ ବିପୁଳ ପରିମାଣର ଲଘୁ ଖଣିଜ ପଦାର୍ଥ ଚୋରା ବେପାରୀମାନେ ଲୁଟୁଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଲୁଟତରାଜ ଚାଲିଥିବାବେଳେ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ତଣ୍ଡ ଗଣିବାକୁ ଅତୀତରେ ନିର୍ଦ୍ଦେଶ ରହିଛି ।

ରାଜ୍ୟର ୨୩ଟି ଜିଲ୍ଲାର ଯେଉଁସବୁ ତହସିଲ ଅଞ୍ଚଳରେ ଶ୍ରୀମନ୍ଦିରର ଭୂସମ୍ପତ୍ତି ରହିଛି ତାହା ସରକାରଙ୍କୁ ଭଲଭାବେ ଜଣା । ରାଜସ୍ୱ ବିଭାଗ ସକ୍ରିୟ ସହଯୋଗ ଦେଲେ ସୀମିତ ସମୟ ମଧ୍ୟରେ ସମସ୍ତ ଭୂସମ୍ପତ୍ତିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିପାରିବ ବୋଲି ଶ୍ରଦ୍ଧାଳୁମାନେ କହୁଛନ୍ତି । ସେହିଭଳି ଅନ୍ୟ ଯେଉଁ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମନ୍ଦିରର ଭୂସମ୍ପତ୍ତିମାନ ରହିଛି ତାହାର ରକ୍ଷଣା ବେକ୍ଷଣ ମଧ୍ୟ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହଯୋଗ ନେଇ କରାଯାଇ ପାରନ୍ତା । ଏହା ହେଲେ କେବଳ ଭୂସମ୍ପତ୍ତିରୁ ବାର୍ଷିକ କୋଟି କୋଟି ଟଙ୍କା ଆୟ ହୋଇପାରିବ ।

୧୯୯୯ ରୁ ୨୦୧୬ ଭିତରେ ଶ୍ରୀମନ୍ଦିରର ୩୦୦ ଏକରରୁ ଅଧିକ ଜମି ବିକ୍ରି କରାଯାଇ ୧୦କୋଟି ଟଙ୍କାରୁ ଅଧିକ ଅର୍ଥ କର୍ପସ ପାଣ୍ଠିରେ ରଖାଯାଇଛି । ଯେଉଁ ଭୂସମ୍ପତ୍ତିରୁ ଶ୍ରୀମନ୍ଦିରକୁ ପଇସା ମିଳୁନାହିଁ ଏବଂ ଏହା ଜବରଦଖଲକାରୀଙ୍କ କବଳକୁ ଚାଲିଯାଇଛି ସେଗୁଡିକୁ ମଧ୍ୟ ବିକ୍ରି କରାଯାଇ କର୍ପସ ପାଣ୍ଠି ବୃଦ୍ଧି କରାଯାଇ ପାରନ୍ତା । ଏହାଛଡା ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଶ୍ରୀମନ୍ଦିରର ଯେଉଁ ଅମୃତ ମଣୋହି ଜମି ଟେକି ଦିଆଯାଇଥିଲା ତାହାକୁ ସୁପ୍ରିମକୋର୍ଟ ନାକଚ କରିଦେବାପରେ ଏହି ଜମି ଶ୍ରୀମନ୍ଦିର ଖାତାକୁ ଫେରିବାକଥା ।

ଏହାଛଡା ୧୯୮୩ ମସିହାରୁ ଶ୍ରୀମନ୍ଦିରରେ ହୁଣ୍ଡି ବସାଯିବା ସହ ସ୍ୱତନ୍ତ୍ର ଅଧିନିୟମ ବଳରେ ଫାଉଣ୍ଡେସନ ଫଣ୍ଡ୍‍ ସୃଷ୍ଟି ଲାଗି ବ୍ୟବସ୍ଥା ହୋଇଛି । ହୁଣ୍ଡି ମାଧ୍ୟମରେ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ସମର୍ପଣ ଧନ ମିଳୁଛି । ଏହାଛଡା ଆଉ କେତେକ ଶ୍ରଦ୍ଧାଳୁ ମଧ୍ୟ ସିଧାସଳଖ ଅର୍ଥ ଓ ଅଳଙ୍କାର ଦାନ କରୁଛନ୍ତି । ଏସବୁକୁ ବ୍ୟାଙ୍କ୍‍ରେ ଜମା ରଖାଯାଇ ତାହାର ସୁଧ ଅର୍ଥ ମଧ୍ୟ ଅଣାଯାଉଛି ।

ଶ୍ରୀମନ୍ଦିର ପରିଚାଳନା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଉଛି ଏବଂ ଗଜପତି ମହାରାଜା ଓ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗରେ ଦିଗ୍‍ଦର୍ଶନ ଦେଉଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଠିକଣା ସମନ୍ୱୟ ରଖାଯାଇ ପାରିଲେ ପ୍ରାୟ ୬୦ହଜାର ଏକର ଭୂସମ୍ପତ୍ତିରୁ ବାର୍ଷିକ ପ୍ରଚୁର ଆୟ ଆସିପାରନ୍ତା ବୋଲି ମତପ୍ରକାଶ ପାଉଛି । (ତଥ୍ୟ)