ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ୍ ଅଫିସର ଶ୍ରୀ ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ । ଅତିରିକ୍ତ କମିଶନର ଶ୍ରୀ ସାହୁ ଆଜି ବିଏମ୍ ସି ମୁଖ୍ୟାଳୟସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନ ସାଧାରଣଙ୍କର ଅଭିଯୋଗ ଶୁଣୁଥିବା ବେଳେ ହଠାତ୍ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।
ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ସେଠାରେ ଉପସ୍ଥିତ ଥିବା ଲୋକ ପ୍ରତିନିଧି, ଅଫିସର, ବିଏମ୍ ସି କର୍ମଚାରୀ ଏବଂ ଅଭିଯୋଗ ନେଇ ଆସିଥିବା ନାଗରିକଙ୍କ ସମ୍ମୁଖରେ ଘୋଷାରି ଘୋଷାରି ମୁହଁ, ଛାତି ଆଦି ଶରୀରର ବିଭିନ୍ନ ସ୍ଥାନକୁ ବିଧା ଗୋଇଠା ଆଦି ଅତି ନୃଶଂସ ଭାବେ ମାରିଥିଲେ । ସେ ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରୁଥାନ୍ତି । ତାଙ୍କୁ ଘୋଷାରି ଘୋଷାରି ନେଇ ସେମାନେ ଆଣିଥିବା ଗାଡି ଭିତରେ ଭର୍ତ୍ତିକରି ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ ।
ତାଙ୍କର ସମସ୍ତ ଅନୁରୋଧ ସତ୍ୱେ ସେମାନେ ତାଙ୍କୁ ବିଧା ଗୋଇଠା ମାରିଚାଲିଥାନ୍ତି । ମାରି ମାରି ତାଙ୍କ ମୁହଁରୁ ରକ୍ତ ବାହାର କରିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ମାତ୍ର କିଛି କର୍ମଚାରୀ ସେଠାରେ ପହଞ୍ଚି ପାଟିତୁଣ୍ଡ କରିବାରୁ, ସେମାନେ ଛାଡି ପଳାଇଥିଲେ ଏବଂ ତାଙ୍କ ଜୀବନ ରକ୍ଷା ହୋଇପାରିଲା । ସେମାନେ ଶ୍ରୀ ସାହୁଙ୍କ ମୋବାଇଲକୁ ଜୋର ଜବରଦସ୍ତ ଛଡାଇ ନେଇ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସରେ ଅଶ୍ଳିଳ ଚିତ୍ର ଓ ଲେଖା ଅପଲୋଡ କରିଛନ୍ତି । ଯାହାର ଫଟୋ ଚିତ୍ର ମଧ୍ୟ ପୋଲିସକୁ ଦିଆଯାଇଛି ।
ଏହି ଘଟଣାରେ ତାଙ୍କର ଗୁରୁତର ଶାରୀରିକ ଆଘାତ ଲାଗିବା ସହ ତାଙ୍କୁ ଗଭୀର ମାନସିକ ଅବସାଦ ପହଞ୍ଚାଇଛି । ଏହା ସାଙ୍ଗକୁ ସରକାରୀ କାର୍ଯ୍ୟାଳୟ ଓ କାର୍ଯ୍ୟ ପରିଚାଳନାରେ ଜବରଦସ୍ତ ହଙ୍ଗାମା କରିବା ସହିତ ଏହି ଅଜଣା ବ୍ୟକ୍ତିମାନେ ଜବରଦସ୍ତ ଉଠାଇ ନେବା, ସର୍ବସାଧାରଣଙ୍କ ସମ୍ମୁଖରେ ଅପମାନିତ କରିବା, ବିଧା ଗୋଇଠା ମାରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା, ଜୀବନ ପ୍ରତି ଧମକ ଦେଇ ଭୟ ସଂଚାର କରାଇବା ଆଦି ଲାଞ୍ଛନା ପରି ଅପରାଧିକ କାର୍ଯ୍ୟକଳାପ କରିଥିବା ଲୋକଙ୍କ ବିରୋଧରେ ଜରୁରୀ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ବିଭିନ୍ନ ଦଫାରେ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏଫଆଇଆରରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରିବାରେ ସେ ସହାୟତା କରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏହି ଘଟଣାରେ ପୋଲିସ ତୁରନ୍ତ ହସ୍ତକ୍ଷେପ କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।
ଏହି ଘଟଣା ପରେ ବିଏମ୍ ସି କାର୍ଯ୍ୟାଳୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଆଜି ବିଏମ୍ ସିର ସମସ୍ତ କର୍ମଚାରୀ ଓ ଅଧିକାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏ ସଂପର୍କରେ ଖାରବେଳ ନଗର ଥାନାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ଦାଏର କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ କି, ଘଟଣାସ୍ଥଳରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, କିଛି କର୍ପୋରେଟର ଓ କିଛି କର୍ମଚାରୀ, ଘଟଣାସ୍ଥଳରେ ପହଞ୍ଚି ଯିବାରୁ ସେମାନେ ତାଙ୍କୁ ଛାଡି ପଳାଇଥିଲେ । ମାନନୀୟା ମେୟର ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।