ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶିଳ୍ପ ସଂସ୍ଥା ମଧ୍ୟରୁ ଚୌଦ୍ୱାରର ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ଓ ବଡ଼ବିଲ୍ର କଳିଙ୍ଗ ଆଇରନ୍ ୱାର୍କ୍ସ ବିଜୁ ଜନତା ଦଳ ସରକାର ସମୟରୁ ବନ୍ଦ ହୋଇଯାଇଛି । ଏ ଦୁଇଟିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
୧୯୪୬ ମସିହାରୁ ବିଜୁ ପଟ୍ଟନାୟଙ୍କ ଏକନିଷ୍ଠ ଉଦ୍ୟମକ୍ରମେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ (ଓଟିଏମ୍) ପ୍ରତିଷ୍ଠା କରାଯାଇଥିବା ବେଳେ ୨୦୦୦ମସିହା ଅକ୍ଟୋବର ମାସରୁ ଏହାର ଉତ୍ପାଦନ କାର୍ଯ୍ୟ ବନ୍ଦ ରଖାଯାଇଥିଲା । ସେବେଠାରୁ ଏଯାବତ୍ ଓଟିଏମ ଆଉ ଖୋଲିନାହିଁ । ଏଠାରେ ଉଲ୍ଲେଖନୀୟ ଯେ ପରବର୍ତ୍ତୀ ସମୟରେ ବିଜୁବାବୁଙ୍କ ହାତଗଢ଼ା ଓଟିଏମ ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନେଇଥିଲେ ମଧ୍ୟ ଏହାର ବିକାଶ କରିବା ପରିବର୍ତ୍ତେ ବିଲୁପ୍ତ କରିଦେଇଛନ୍ତି । ଗୋଟିଏ ସମୟରେ ଓଟିଏମ୍ କପଡ଼ାର ଚାହିଦା ଦେଶର ବିଭିନ୍ନ ରାଜ୍ୟରେ ଥିଲା । ତେବେ ସରକାରୀ ନିୟନ୍ତ୍ରଣରେ ଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁ ଏହି ଲୁଗାକଳର ଅସ୍ୱାଭାବିକ ମୃତ୍ୟୁ ଘଟିଲା । ଏଥିସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯେଉଁମାନଙ୍କ ଜୀବନ ଜୀବିକା ଜଡ଼ିତ ଥିଲା ସେମାନେ ବର୍ଷବର୍ଷ ଧରି ପ୍ରତୀକ୍ଷା କରିବା ପରେ କିଛି ଫଳ ହେଲା ନାହିଁ ।
ସେହିଭଳି କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ ଠାରେ ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା କଳିଙ୍ଗ ଆଇରନ୍ ୱାର୍କ୍ସର ପରିଚାଳନା ଭାର ରାଜ୍ୟ ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମ (ଆଇଡିସି) ହାତକୁ ଯାଇଥିଲା । ଇତିମଧ୍ୟରେ ୨୦୧୫ ମାର୍ଚ୍ଚ ୧୫ରୁ କଳିଙ୍ଗ ଆଇନର୍ ୱାର୍କ୍ସର ଉତ୍ପାଦନ ମଧ୍ୟ ବନ୍ଦ ରହିଛି । ସଂଯୋଗକ୍ରମେ ଓଟିଏମ୍ ଭଳି କଳିଙ୍ଗ ଆଇରନ୍ ୱାର୍କ୍ସ ବନ୍ଦ ହେବାବେଳକୁ ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଥିଲା ।
ଇତିମଧ୍ୟରେ କଳିଙ୍ଗ ଆଇରନ୍ ୱାର୍କ୍ସକୁ କାର୍ଯ୍ୟକ୍ଷମ କରିବା ପରିବର୍ତ୍ତେ ଏହାକୁ ଓଡ଼ିଶା ଖଣି ନିଗମ ସହିତ ମିଶ୍ରଣ କରାଯାଇ ଏହାର ଭୂସଂପଦକୁ ଖଣି ଓ ଖଣି ସମ୍ବନ୍ଧୀୟ ବ୍ୟବସାୟରେ ବିନିଯୋଗ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ବିଜୁ ପଟ୍ଟନାୟକଙ୍କ ପ୍ରଥମ ପାଳିର ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପଞ୍ଚାୟତ ଶିଳ୍ପ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ବ୍ଲକରେ ଗୋଟିଏକରି ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପଞ୍ଚାୟତ ସ୍ତରରେ ମଧ୍ୟ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା ।
କିନ୍ତୁ ଗତ ୬୦ବର୍ଷ ମଧ୍ୟରେ ଏହି ପଞ୍ଚାୟତ ଶିଳ୍ପଗୁଡ଼ିକ ଭିତରୁ ଅଧିକାଂଶଙ୍କର ବି ଚିହ୍ନବର୍ଣ୍ଣ ଲୋପ ପାଇଯାଇଛି । ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଥିଲେ ପଞ୍ଚାୟତ ସ୍ତରରେ ନିଯୁକ୍ତି ସୁଯୋଗ ବଢ଼ିବା ସହିତ ସରକାରଙ୍କର ବି ରାଜସ୍ୱ ଫାଇଦା ହୋଇଥାନ୍ତା । କିନ୍ତୁ ବିଭିନ୍ନ କାରଣରୁ ଏହି ପଞ୍ଚାୟତ ଶିଳ୍ପଗୁଡ଼ିକର ପୁନରୁଦ୍ଧାର କରାନଯିବା ଫଳରେ ଏଗୁଡ଼ିକ ଏବେ ଇତିହାସ ହୋଇଯାଇଛି । (ତଥ୍ୟ)