ଭୁବନେଶ୍ୱର : ଚଳିତବର୍ଷ ତ୍ରୁଟିଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା ବୋଲି ବିଜୁ ଜନତା ଦଳ କହିଛି ।
ଆଜି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଯଥା ସମୟରେ ସେବାୟତଙ୍କ ଦ୍ୱାରା ପହଣ୍ଡି ସମ୍ପନ୍ନ ହୋଇଥିଲେ ମଧ୍ୟ, ସରକାରଙ୍କ ଅପାରଗତା ଲାଗି ଶରଧାବାଲିରେ ୩ ରଥ ପହଞ୍ଚିବା ତ ଦୂରର କଥା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଘୁଞ୍ଚି ପାରିଲା ନାହିଁ । ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ଉପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଥମଥର ପାଇଁ ଅତ୍ୟଧିକ ସଂଖ୍ୟାରେ କର୍ଡନ ପାସ୍ ବଣ୍ଟନ, ରଥଟଣାରେ ବିଭ୍ରାଟ ସୃଷ୍ଟି କଲା ।
ରଥ ନିକଟରେ ବହୁ ସଂଖ୍ୟାରେ ଦଳୀୟ ନେତାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ସାମ୍ବାଦିକ ମାନଙ୍କୁ ସରକାର ନିମନ୍ତ୍ରଣ କରି ପୋଲିସ୍ ଦ୍ୱାରା ମାଡ଼ ମରାଇ ଲହୁଲୁହାଣ କରିବା ରଥଯାତ୍ରା ଇତିହାସରେ ପ୍ରଥମ । ଅନେକ ବରିଷ୍ଠ ଓ ମହିଳା ସାମ୍ବାଦିକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଭିଡ଼ ନିୟନ୍ତ୍ରଣରେ ସରକାରଙ୍କ ପାରଦର୍ଶିତା ଅଭାବରୁ ଶହ ଶହ ସଂଖ୍ୟାରେ ଭକ୍ତ ଆହତ ହୋଇଛନ୍ତି ଓ କିଛି ଭକ୍ତ ମଧ୍ୟ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ତୁରନ୍ତ ସ୍ପଷ୍ଟ କରନ୍ତୁ ରଥଯାତ୍ରାରେ କେତେ ସଂଖ୍ୟକ ଭକ୍ତ ମୃତାହତ ହୋଇଛନ୍ତି ।
ଶ୍ରୀ ଜେନା ଆହୁରି କହିଥିଲେ ଯେ, ବିଡ଼ମ୍ବନାର ବିଷୟ ଏହି ଘଟଣା ପରେ ଉଭୟ ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି “ଏହା ପ୍ରଭୁଙ୍କ ଇଚ୍ଛା”ରୁ ହୋଇଛି । ଯାହା କେବେ ଘଟିନଥିଲା, ସେଭଳି ବିଭ୍ରାଟ ଚଳିତବର୍ଷ ରଥଯାତ୍ରାରେ ଘଟିଲା । ମହାପ୍ରଭୁ ଅଣସର ଘରେ ଥିବା ସମୟରେ ୩ ଠାକୁରଙ୍କ ପାଇଁ ଲାଗି ହେବା ମୋଦକ ଚୋରି ହେଲା ଓ ମାରା ମୋଦକ ମହାପ୍ରଭୁଙ୍କୁ ଅର୍ପଣ କରାଗଲା ବୋଲି ସେବାୟତଙ୍କ ଅଭିଯୋଗକୁ ଆଇନ ମନ୍ତ୍ରୀ ଓ ପ୍ରଶାସନ ଅସ୍ୱୀକାର କଲେ ।
ଗତବର୍ଷ ରଥଯାତ୍ରା ପହଣ୍ଡି ସମୟରେ ବଡ଼ ଠାକୁର ରଥରୁ ପଡି଼ଯିବାର ତଦନ୍ତ ରିପୋର୍ଟ ଆଜିଯାଏଁ ସାର୍ବଜନୀନ ହେଲା ନାହିଁ । ଗତବର୍ଷର ଅଘଟଣରୁ ଶିକ୍ଷାଲାଭ କରି ସରକାର ଯଦି ସତର୍କ ହୋଇଥାନ୍ତେ, ତାହେଲେ ଚଳିତବର୍ଷ ଏଭଳି ବିଭ୍ରାଟ ହୋଇନଥାନ୍ତା । ଏହି ବିଭ୍ରାଟର ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।