Home Industry ଇସ୍ପାତ କାରଖାନା ସଂଖ୍ୟା ୮୦କୁ ଟପିପାରେ

ଇସ୍ପାତ କାରଖାନା ସଂଖ୍ୟା ୮୦କୁ ଟପିପାରେ

ଭୁବନେଶ୍ୱର : ଓଡ଼ିଶାରେ ଏବେ ଯେତୋଟି ଇସ୍ପାତ କାରଖାନା ରହିଛି ଏବଂ ଆଉ ଯେତୋଟି ନିର୍ମାଣାଧୀନ ଅଛି ଓ ଆଉ ଯେଉଁସବୁ ସ୍ଥାନରେ ଇସ୍ପାତ କାରଖାନା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ସେସବୁ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଇସ୍ପାତ କାରଖାନା ସଂଖ୍ୟା ୮୦କୁ ଟପିଯିବ ।

ଓଡ଼ିଶାରେ ପ୍ରଚୁର ଲୁହାପଥର ସହିତ କୋଇଲା ମହଜୁଦ ଥିବା ଏବଂ କୋଇଲା ଓ ଲୁହାପଥର ପରିବହନ ସହିତ ଉତ୍ପାଦିତ ଇସ୍ପାତ ସାମଗ୍ରୀ ରପ୍ତାନୀ ପାଇଁ ଭଲ ଭିତ୍ତିଭୂମି ଥିବାରୁ ଅଧିକରୁ ଅଧିକ ବେସରକାରୀ ସଂସ୍ଥା ଏଠାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଅଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ରାଉରକେଲାରେ ସରକାରୀ ଉଦ୍ୟୋଗରେ ଓଡ଼ିଶାର ପ୍ରଥମ ଇସ୍ପାତ କାରଖାନା ପ୍ରତିଷ୍ଠା ହୋଇଥିଲା । ଏହାପରେ ଉଭୟ ସରକାରୀ ଓ ବେସରକାରୀ ଉଦ୍ୟମରେ ଆଉ ୧୦ରୁ ଅଧିକ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରୁ ବଡ଼ବିଲର କଳିଙ୍ଗ ଆଇରନ୍‍ ୱାର୍କ୍ସ ଭଳି କିଛି କାରଖାନା ବନ୍ଦ ହୋଇସାରିଛି । ଇସ୍ପାତ ଶିଳ୍ପର ଅଭିବୃଦ୍ଧି ଲାଗି ଗଢ଼ାଯାଇଥିବା ନୀଳାଚଳ ଇସ୍ପାତ ନିଗମର ସ୍ୱାସ୍ଥ୍ୟ ସେତେଟା ଭଲ ନଥିବାରୁ ତାହାକୁ ଏକ ଘରୋଇ କମ୍ପାନୀ ହାତରେ ଟେକି ଦିଆଯାଇଛି ।

ଏବେ ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାରେ ୪୩ଟି ଇସ୍ପାତ କାରଖାନା ନିର୍ମାଣାଧୀନ ଅବସ୍ଥାରେ ରହିଛି । ଏଥିରୁ କେନ୍ଦୁଝରରେ ୧୦ଟି, ସୁନ୍ଦରଗଡ଼ରେ ୯ଟି, ଢେଙ୍କାନାଳରେ ୬ଟି, ସମ୍ବଲପୁରରେ ୪ଟି, ଝାରସୁଗୁଡ଼ାରେ ୩ଟି, ଜଗତସିଂହପୁର, କଟକ ଓ ଯାଜପୁରରେ ୨ଟି ଲେଖାଏଁ ଏବଂ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ଗୋଟିଏ କରି ଇସ୍ପାତ କାରଖାନା ନିର୍ମାଣାଧୀନ ଅବସ୍ଥାରେ ରହିଛି ।

ଚଳିତବର୍ଷ ରାଜ୍ୟ ସରକାର କରିଥିବା ଉତ୍କର୍ଷ ଓଡ଼ିଆ ସମ୍ମିଳନୀରେ ଆଉ ୩୧ଟି ସଂସ୍ଥା ଓଡ଼ିଶାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଏଥିମଧ୍ୟରୁ କେନ୍ଦୁଝରରେ ୧୩ଟି ଓ ସମ୍ବଲପୁରରେ ୮ଟି ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଲାଗି ଶିଳ୍ପୋଦ୍ୟୋଗୀ ଆଗ୍ରହ ଦେଖାଇଥିବା ବେଳେ ଢେଙ୍କାନାଳରେ ୪ଟି, ଯାଜପୁର ଓ ସୁନ୍ଦରଗଡ଼ରେ ୩ଟି କରି ଏବଂ କଟକ, ଝାରସୁଗୁଡ଼ା, ଅନୁଗୁଳ, ଭଦ୍ରକ, ଗଞ୍ଜାମ ଆଦି ଜିଲ୍ଲାରେ ଗୋଟିଏକରି ଇସ୍ପାତ କାରଖାନା ପ୍ରତିଷ୍ଠା ହେବାର ଅଛି ।

ପୂର୍ବରୁ ପାରାଦୀପରେ ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ତାହା ହୋଇପାରିନଥିଲା । ସେହିଭଳି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଅଞ୍ଚଳରେ ଟାଟା ଇସ୍ପାତ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ହୋଇଥିଲେ ବି ବିଭିନ୍ନ କାରଣରୁ ଏଠାରେ ପ୍ରକଳ୍ପ ଆରମ୍ଭ ହୋଇପାରିନଥିଲା । ପୋସ୍କୋ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ମଧ୍ୟ ଜଗତସିଂହପୁର ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ଆରମ୍ଭ କରିପାରିନଥିବାବେଳେ ସ୍ୱରାଜ ପାଲ୍‍, ଆର୍ସେଲ ମିତ୍ତଲ ଆଦି ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଯେଉଁ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗେଇଥିଲେ ତାହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଏହାଛଡ଼ା ଆଉ କେତେକ ଘରୋଇ ସଂସ୍ଥା ବି ଏହି ପ୍ରକଳ୍ପରୁ ଓହରିଯାଇଛନ୍ତି ।

ଯେତେ ସଂଖ୍ୟକ ଇସ୍ପାତ କାରଖାନା ନିର୍ମାଣାଧୀନ ରହିଛି ଏବଂ ଆଉ ଯେତେ ଲାଗି ପ୍ରସ୍ତାବ ଅଛି ସେଗୁଡ଼ିକ କାର୍ଯ୍ୟକ୍ଷମ ହେଲେ କାରଖାନାଗୁଡ଼ିକୁ ପାଣି ଯୋଗାଇବା ଏକ ବଡ଼ ସମସ୍ୟା ହୋଇପାରେ । ଏହାଛଡ଼ା ବ୍ୟାପକ ଖଣି ଖନନ ଏବଂ କାରଖାନାରୁ ନିର୍ଗତ ବର୍ଜ୍ୟ ଯୋଗୁ ପରିବେଶ ଉପରେ ଯେତେ ପ୍ରତିକୂଳ ପ୍ରଭାବ ପଡ଼ିବ ତାହାର ଭରଣା କରିବା ବି ଭବିଷ୍ୟତ ପାଇଁ ଆହ୍ୱାନ ହେବ ବୋଲି ପରିବେଶବିତ୍‍ମାନେ କହୁଥିବା ବେଳେ କାରଖାନା ହେଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇ ଆର୍ôଥକ ବିକାଶ ଘଟିବ ବୋଲି ଶିଳ୍ପ ସପକ୍ଷବାଦୀମାନେ ଯୁକ୍ତି ବାଢ଼ୁଛନ୍ତି । (ତଥ୍ୟ)