Home Forest ଜଙ୍ଗଲ ପଦା କରୁଛନ୍ତି ଛୋଟ କରତକଳ

ଜଙ୍ଗଲ ପଦା କରୁଛନ୍ତି ଛୋଟ କରତକଳ

ଭୁବନେଶ୍ୱର : ଲୁଚା ଛପାରେ ଚାଲିଥିବା ଛୋଟ ଛୋଟ କରତକଳ ଏବେ ଜଙ୍ଗଲ ପଦା କରିବାରେ ଲାଗିଛନ୍ତି । କେବଳ ବର୍ଷକ ମଧ୍ୟରେ ଭିଜିଲାନ୍ସ ଓ ବନ ବିଭାଗର ମିଳିତ ଚଢାଉରେ ୪କୋଟି ଟଙ୍କା ମୂଲ୍ୟର ଅଧିକ କାଠ ଓ ଯନ୍ତ୍ରପାତି ଜବତରୁ ଏହା ଜଳ ଜଳ ହୋଇ ଦିଶୁଛି ।

କରତକଳଗୁଡିକ ଜଙ୍ଗଲ କ୍ଷୟର ମୁଖ୍ୟ କାର୍ପଟଦାର ସାଜିଥିବାରୁ ସରକାର ସେମାନଙ୍କ ଉପରେ ନିୟନ୍ତ୍ରଣ ଲଗାଇଛନ୍ତି । ଜିଲ୍ଲା ସ୍ତରରେ ସେମାନଙ୍କୁ ଗୋଟିଏ ସ୍ଥାନରେ କରତକଳ ସ୍ଥାପନ ପାଇଁ ଅନୁମତି ମିଳିଛି । ଫଳରେ ସେମାନଙ୍କ ଉପରେ ନଜର ରଖିବା ସହଜ ହୋଇଛି । ପୂର୍ବରୁ ଯେଭଳି ଘଞ୍ଚ ଜଙ୍ଗଲ ଥିବା ଜିଲ୍ଲାରୁ ଚୋରାରେ କାଠ ଆସି କଟାଯାଉଥିଲା ସେଥିରେ ବ୍ରେକ୍‍ ଲାଗିଛି ।

ଏଥି ସହିତ ଆମ୍ବ, ଚାକୁଣ୍ଡା, ନଡିଆ, ତାଳ, ଦେବଦାରୁ ଭଳି ଗଛା କାଠ କାଟିବାପାଇଁ କରତକଳ ଗୁଡିକୁ ଅନୁମତି ମିଳିଛି । ଶାଳ, ଶାଗୁଆନ, ପିଆଶାଳ, ଶିଶୁ ଭଳି ମୂଲ୍ୟବାନ କାଠ ସେମାନେ କାଟିପାରିବେ ନାହିଁ । ହେଲେ ଗାଁ ଗହଳରେ ଥିବା ଏହିସବୁ ମୂଲ୍ୟବାନ କାଠଗୁଡିକୁ କାଟିବାପାଇଁ ଏବେ ଛୋଟ ଛୋଟ କରତକଳ ଲୁଚାଛପାରେ ଚାଲୁଛି ।

କାଠ ସାମଗ୍ରୀ ପ୍ରସ୍ତୁତ କରୁଥିବା ମିସ୍ତ୍ରୀଙ୍କ ସମେତ କାଠ ବ୍ୟବସାୟୀମାନେ ନିଜ ନିଜ ଘର ପରିସରରେ ଛୋଟ ଛୋଟ କରତକଳ ସ୍ଥାପନ କରୁଛନ୍ତି । ବିଦ୍ୟୁତ୍‍ ଚାଳିତ ଓ କମ୍‍ ଶବ୍ଦ ସୃଷ୍ଟି କରୁଥିବା ଏହି କଳଗୁଡିକ ବଡ ବଡ କରତକଳ ଭଳି କାଠ କାଟିପାରୁଛି । ତେଣୁ ଲୋକେ ଗାଡି ଭଡା ଦେଇ ଦୂରରେ ଥିବା କରତକଳକୁ ଯାଇ ଜଙ୍ଗଲ ବିଭାଗ ହାବୁଡରେ ପଡିବା ଅପେକ୍ଷା ନିଜ ଘର ପାଖରେ ଥିବା କରତକଳରେ କାଠ ଚିରଟ କରିବାକୁ ଉଚିତ୍‍ ମଣୁଛନ୍ତି ।

କାଠ ବ୍ୟବସାୟୀମାନେ ମଧ୍ୟ ବିଦେଶରୁ ଆମଦାନୀ ହେଉଥିବା ଶାଗୁଆନ, ଶାଳ ଭଳି ମୂଲ୍ୟବାନ୍‍ କାଠି ସହିତ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଏହି କିସମର କାଠକୁ ମିଶାଇ ବିକ୍ରି କରୁଛନ୍ତି । ରାଜ୍ୟ ଭିତରେ ମିଳୁଥିବା ଶାଗୁଆନ କାଠର ଦର ଆମଦାନୀ ଶାଗୁଆନ କାଠ ଠାରୁ ଅଧିକ ରହୁଥିଲେ ମଧ୍ୟ ଲୋକଙ୍କର ଏହା ପ୍ରଥମ ପସନ୍ଦ ହୋଇଛି ।

ଲୁଚାଛପାରେ ଚାଲିଥିବା ଏହି କରତକଳଗୁଡିକ ମୂଲ୍ୟବାନ କାଠ ସହିତ ଗାଁ ଗହଳରେ ଥିବା ଆମ୍ବ, ଚାକୁଣ୍ଡା, ଫାସି, ୟୁକାଲପଟାସ ଭଳି ଗଛକୁ ମଧ୍ୟ କାଠି ପଦା କରିବାରେ ଲାଗିଛନ୍ତି । ଏଭଳି କରତକଳକୁ ଜବତ କରିବାପାଇଁ ଜଙ୍ଗଲ ବିଭାଗ ସହିତ ଭିଜିଲାନ୍ସ ବିଭାଗର ଜଙ୍ଗଲ ଶାଖା ମିଳିତ ଚଢାଉ କରି ଗୋଟିଏ ବର୍ଷରେ ୧୦୧ ସ୍ଥାନରେ ଚଢଉ କରିଥିଲା । ଏଥିରେ ୪.୨୮ କୋଟି ଟଙ୍କାର କାଠ, ଯାନବାହାନ, ଯନ୍ତ୍ରପାତି ଆଦି ଜବତ ହୋଇଛି ।

ତେବେ ଉଭୟ ଭିଜିଲାନ୍ସ, ଜଙ୍ଗଲ ବିଭାଗ, ପୁଲିସ୍‍ ପକ୍ଷରୁ ନିୟମିତ ଭାବେ ବେଆଇନ୍‍ କରତକଳ ଉପରେ ଚଢଉ ହେଉଛି । କାଠ ସମେତ ଯନ୍ତ୍ରପାତି ଜବତ ହେଉଛି । ଏହାର ସଚିତ୍ର ଖବର ପ୍ରକାଶ ପାଉଛି । ତେବେ ଲୁଚାଛପାରେ ଚାଲିଥିବା କରତକଳ ଉପରେ ସେତେଟା ରୋକ୍‍ ଲାଗିପାରୁନଥିବାରୁ ଗାଁ ଗହଳରେ ମୂଲ୍ୟବାନ ଗଛ ସମେତ ଅନ୍ୟାନ୍ୟ ଗଛ ପଦା ହେବାରେ ଲାଗିଛି । (ତଥ୍ୟ)