ଭୁବନେଶ୍ୱର : ରାଜଧାନୀରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମାର୍ଟ ଜନପଥ ଏବେ ଲୋକଙ୍କୁ କାଳ ହୋଇଛି । ଏଥିପାଇଁ ଜନପଥରେ ଲୋକେ ଗାଡିମୋଟର ରଖିବା ତ ଦୂରରକଥା ଏବେ ଚାଲିକରି ଯିବାକୁ ଡରୁଛନ୍ତି ।
ସ୍ମାର୍ଟସିଟି ପ୍ରକଳ୍ପ ଅଧିନରେ ରାଜଧାନୀରେ ନିର୍ମାଣ ହୋଇଛି ସ୍ମାର୍ଟ ଜନପଥ । ଶିଶୁଭବନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ଦୁଇପଟେ ଏହା ନିର୍ମାଣ ପରଠାରୁ ପୂର୍ବ ରାସ୍ତା ସଙ୍କୁଚିତ ହୋଇଯାଇଛି । ମୁଖ୍ୟ ରାସ୍ତା ଉପରେ ଫୁଟ୍ଫାଥ୍ ନିର୍ମାଣ ଫଳରେ ଗାଡିମୋଟର ରଖିବା ତ ଦୂରରକଥା ସାଧାରଣ ଲୋକେ ଛିଡାହେବାକୁ ସ୍ଥାନଟିକେ ନାହିଁ । ଏଥି ସହିତ ସ୍ମାର୍ଟଜନପଥ ଯୋଜନାରେ ଡିଭାଇଡରରେ ରଙ୍ଗୀନ ବାଉଁଶବାଡ ଲଗାଇବା ଫଳରେ ଲୋକେ ସହଜରେ ଗୋଟିଏ ପଟରୁ ଆରପଟକୁ ଯାଇପାରୁ ନାହାନ୍ତି ।
ସ୍ମାର୍ଟ ଜନପଥ ନିର୍ମାଣ ପରେ ଏହା କଡରେ ସ୍ମାର୍ଟ କିଓସ୍କ ନିର୍ମାଣ ହୋଇଥିଲା । ଏଠାରେ ବେକାର ଯୁବକ ଯୁବତୀଙ୍କୁ କିଓସ୍କ ପ୍ରଦାନ ପାଇଁ ହୋଇଥିବା ଯୋଜନା ସେତେଟା ସଫଳ ହେଲାନାହିଁ । ସତ୍ୟନଗର ଅଞ୍ଚଳରେ ନିର୍ମାଣ ହୋଇଥିବା ସ୍ମାର୍ଟ କିଓସ୍କ ମଧ୍ୟରୁ ଅନେକ ଦୀର୍ଘଦିନ ପରେ ଆବଣ୍ଟନ ହୋଇପାରି ନାହିଁ । ସେହିଭଳି ସ୍ମାର୍ଟଜନପଥରେ କିନ୍ନର ମାନଙ୍କୁ ପାର୍କିଂ ଫି ଆଦାୟ ପାଇଁ ଯୋଜନା ବି ବାଟବଣା ହୋଇଯାଇଛି । କିନ୍ନରମାନେ ଏଥିରୁ ଦୂରେଇ ଯାଇଛନ୍ତି । ସ୍ମାର୍ଟଜନପଥ ପାର୍କିଂ ସ୍ଥଳରେ ବ୍ୟାପକ ଅର୍ଥ ବ୍ୟୟରେ ଲାଗିଥିବା ସେନ୍ସର ବି ଅକାମୀ ହୋଇ ପଡିଛି ।
ସ୍ମାର୍ଟଜନପଥରେ ଲାଗିଥିବା ଆଲୋକ ବ୍ୟବସ୍ଥା ମଧ୍ୟରୁ ଅନେକ ଅଚଳ ହୋଇପଡିଥିବାବେଳେ ଲୋକଙ୍କ ବସିବାପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଚେୟାରସବୁ ଭାଙ୍ଗିରୁଜି ଗଲାଣି । ଫଳରେ ଧିରେ ଧିରେ ସ୍ମାର୍ଟ ଜନପଥରେ ଯେଉଁଠାରେ ଟାଇଲ୍ ବିଛା ହୋଇଥିଲା ତାହା ଦୁଇ ଚକିଆ ରହିବାସ୍ଥାନ ପାଲଟିଲାଣି ।
ରାଜଧାନୀର ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ସ୍ମାର୍ଟ ଜନପଥ ବିଶେଷକରି ବାଣୀବିହାର ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରହିଥିବାରୁ ଏହି ରାସ୍ତାରେ ସବୁବେଳେ ଗହଳି ଲାଗି ରହୁଛି । ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର କର୍ମଚାରୀଙ୍କ ଯାନବାହାନ ସହିତ ଗ୍ରାହକଙ୍କ ଯାନବାହାନ ରଖିବାକୁ ସ୍ଥାନ ଟିକେ ନଥିବାରୁ ସ୍ମାର୍ଟଜପଥରେ ଯିଏ ଯେଉଁଠି ପାରୁଛି ସେଠାରେ ନିଜ ନିଜ ଯାନ ରଖି ଦେଉଛନ୍ତି । ଅବଶ୍ୟ ଏହାଦ୍ୱାରା ବିଏମ୍ସିର ଭଲ ରୋଜଗାର ହେଉଛି ।
ସ୍ମାର୍ଟସିଟିର ଅବଧି ଶେଷ ହୋଇଥିବାବେଳେ ଚଳିତବର୍ଷ ଶେଷସୁଦ୍ଧା ସ୍ମାର୍ଟ ଜନପଥର ରକ୍ଷଣା ବେକ୍ଷଣ ଚୁକ୍ତିନାମା ଶେଷ ହେବ । ବର୍ଷକୁ ଏହାର ରକ୍ଷଣା ବେକ୍ଷଣ ପାଇଁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଆଗାମୀ ଦିନରେ ଏହାର ରକ୍ଷଣା ବେକ୍ଷଣ କିଭଳି କରାଯିବ ସେହି ଚିନ୍ତା ଏବେ କର୍ତ୍ତୃପକ୍ଷଙ୍କୁ ଘାରିଲାଣି । କାରଣ ସ୍ମାର୍ଟଜନଥରୁ ଯେଉଁ ଆୟ ହେଉଛି ତାହା ବିଏମସି ପକେଟକୁ ଯାଉଛି । ତେଣୁ ବିଏମସି ଆଦାୟ କରୁଥିବା ପାର୍କିଂ ଫି, ପ୍ରାୟ ୩ଶହ ସ୍ମାର୍ଟ କିଓସ୍କ ଭଡା ଅର୍ଥ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ପ୍ରଦାନ ଲାଗି ମତପ୍ରକାଶ ପାଇଲାଣି । ଏଥି ସହିତ ସ୍ମାର୍ଟ ଜନପଥରେ ଲାଗିଥିବା ବିଜ୍ଞାପନ ହୋର୍ଡିଂରୁ ମଧ୍ୟ ବିଏମ୍ସି କର୍ତ୍ତୃପକ୍ଷ ଅର୍ଥ ଆଦାୟ କରୁଛନ୍ତି ।