Home News in Odia ସର୍ବାଧିକ ସରକାରୀ ପାଣ୍ଠି ଆତ୍ମସାତ୍‍ ମାମଲା

ସର୍ବାଧିକ ସରକାରୀ ପାଣ୍ଠି ଆତ୍ମସାତ୍‍ ମାମଲା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଯେତେ ସରକାରୀ କର୍ମଚାରୀ ପଡୁଛନ୍ତି ସେମାନଙ୍କ ମଧ୍ୟରେ ସର୍ବାଧିକ ସରକାରୀ ପାଣ୍ଠି ଆତ୍ମସାତ୍‍ ଘଟଣାରେ ଜଡିତ ଥିବାବେଳେ ଏହା ପଛକୁ ଲାଞ୍ଚ ନେଇ ଧରାପଡୁଥିବା ସରକାରୀ ବାବୁମାନେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆୟବର୍ହିଭୂତ ସମ୍ପତ୍ତି ଠୁଳକାରୀ ।

ଗତବର୍ଷ ଭିଜିଲାନ୍ସ ଜାଲରେ ପଡିଥିବା ୩୪୫ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିକାରୁ ଏହା ଜଣାଯାଇଛି । ଧରାପଡିଥିବା ଏହି କର୍ମଚାରୀଙ୍କ ମଧ୍ୟରେ ସର୍ବାଧିକ ୧୨୪ ଜଣଙ୍କ ବିରୁଦ୍ଧରେ ସରକାରୀ ପାଣ୍ଠି ଆତ୍ମସାତ୍‍ ମାମଲା ରୁଜୁ ହୋଇଛି । ଏମାନେ ୧୫ କୋଟି ଟଙ୍କାରୁ ଅଧିକ ପାଣ୍ଠି ଆତ୍ମସାତ୍‍ କରିଥିବା ଦର୍ଶାଯାଇଛି । ମାମଲା ରୁଜୁ ହୋଇଥବା ୧୨୪ଜଣଙ୍କ ମଧ୍ୟରେ ୧୦ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ ଥିବାବେଳେ ୫୧ଜଣ ତୃତୀୟଶ୍ରେଣୀ ପାହ୍ୟାର ରହିଛନ୍ତି ।

ସେହିଭଳି ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ୧୧୫ଜଣଙ୍କ ବିରୁଦ୍ଧରେ ମାମଲା ହୋଇଛି । ଏମାନେ ୧୯ଲକ୍ଷ ଟଙ୍କାରୁ ଅଧିକ ଲାଞ୍ଚ ନେଉଥିବାବେଳେ ୯୬ଟି ଫନ୍ଦି ମାମଲାର ସମ୍ମୁଖୀନ ହୋଇଛନ୍ତି । ଲାଞ୍ଚ ନେଇ ମାମଲା ଖାଇଥିବା ଅଧିକାରୀଙ୍କ ମଧ୍ୟରେ ୧୩ଜଣ ପ୍ରଥମଶ୍ରେଣୀ, ୧୬ଜଣ ଦ୍ୱିତୀୟଶ୍ରେଣୀ ଓ ୬୮ଜଣ ତୃତୀୟଶ୍ରେଣୀ ପାହ୍ୟାର ସରକାରୀ ବାବୁ ରହିଛନ୍ତି ।

ଏମାନଙ୍କ ପଛକୁ ରହିଛନ୍ତି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ବାବୁ । ୧୩୩କୋଟି ଟଙ୍କାରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ୧୦୬ଜଣଙ୍କ ବିରୁଦ୍ଧରେ ୬୨ଟି ମାମଲା ହୋଇଛି । ଏମାନଙ୍କ ମଧ୍ୟରେ ୩୧ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ ଥିବାବେଳେ ୧୬ଜଣ ଦ୍ୱିତୀୟଶ୍ରେୀ ଓ ୨୧ଜଣ ତୃତୀୟଶ୍ରେଣୀ ପାହ୍ୟାର ରହିଛନ୍ତି । ଏହି ତାଲିକାରେ ୩୫ଜଣ ସାଧାରଣ ବ୍ୟକ୍ତି ବି ଅଛନ୍ତି ।

ଏହି ସୂଚନା ଅନୁଯାୟୀ ଗତବର୍ଷ ୩୪୧ଟି ଭିଜିଲାନ୍ସ ମାମଲାର ତଦନ୍ତ ସରିବା ସହିତ ୫୮ଜଣ ପ୍ରଥମଶ୍ରେଣୀ, ୫୭ଜଣ ଦ୍ୱିତୀୟଶ୍ରେଣୀ, ୨୬୬ଜଣ ତୃତୀୟଶ୍ରେଣୀ, ୧୭ଜଣ ଚତୁର୍ଥଶ୍ରେଣୀ ସରକାରୀ ଅଧିକାରୀ/କର୍ମଚାରୀଙ୍କ ସମେତ ୨୬୧ଜଣ ସାଧାରଣ ବ୍ୟକ୍ତିଙ୍କ ବିରୁଦ୍ଧରେ ୨୮୩ଟି ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି ।

ଗତବର୍ଷ ଭିଜିଲାନ୍ସ ମାମଲାର ସମ୍ମୁଖୀନ ହୋଇଥିବା ୧୭୯ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମୋକଦ୍ଦମାରେ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩୭ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ ଥିବାବେଳେ ୨୮ଜଣ ଦ୍ୱିତୀୟଶ୍ରେଣୀ, ୮୨ଜଣ ତୃତୀୟଶ୍ରେଣୀ, ୨ଜଣ ଚତୁର୍ଥଶ୍ରେଣୀ ଓ ୨୧ଜଣ ସାଧାରଣ ବ୍ୟକ୍ତି ରହିଛନ୍ତି । ଏହି ତାଲିକାରେ ୯ଜଣ ଅନ୍ୟ ସରକାରୀ କର୍ମଚାରୀ ବି ଅଛନ୍ତି ।

୨୦୨୪ ମସିହାରେ ୧୦୫ଟି ମୋକଦ୍ଦମାରେ ୧୪୭ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୧୮ଜଣ ପ୍ରଥମଶ୍ରେଣୀ ପାହ୍ୟାର ଅଧିକାରୀ, ୧୮ ଜଣ ଦ୍ୱିତୀୟଶ୍ରେଣୀ, ୭୪ଜଣ ତୃତୀୟଶ୍ରେଣୀ, ୬ଜଣ ଚତୁର୍ଥଶ୍ରେଣୀ, ୧୬ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୧୫ଜଣ ସାଧାରଣ ବ୍ୟକ୍ତି ଥିବା ଜଣାଯାଇଛି । (ତଥ୍ୟ)