Home Health ହଇଜା ସଂକ୍ରମଣ ପାଇଁ ଆଇଡିଏସ୍‍ପି ଉପରେ ପ୍ରଶ୍ନ

ହଇଜା ସଂକ୍ରମଣ ପାଇଁ ଆଇଡିଏସ୍‍ପି ଉପରେ ପ୍ରଶ୍ନ

ଭୁବନେଶ୍ୱର : ହଇଜା ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଉଁଥିବାବେଳେ ଏଭଳି ରୋଗର ଆଗୁଆ ସୂଚନା ପାଇଁ ପଦକ୍ଷେପ ନେବାକୁ ଗଢା ହୋଇଥିବା ସମନ୍ୱିତ ରୋଗୀ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସ୍‍ପି)ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଲାଣି । ନିୟମିତ ବ୍ୟବଧାନରେ ପ୍ରତି ଜିଲ୍ଲାରେ ଉଭୟ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ସଂକ୍ରାନ୍ତରେ ସୂଚନା ପାଉଥିବା ଏହି ସେଲ୍‍ ଝାଡାବାନ୍ତିର ସୂଚନା ପାଇଥିଲା କି ନାହିଁ ତାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।

୧୯୯୯ ମହାବାତ୍ୟା ପ୍ରଭାବିତ ଅଞ୍ଚଳରେ ସଂକ୍ରାମକ ରୋଗର ସୂଚନା ସଂଗ୍ରହ ଓ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବହୁମୁଖୀ ରୋଗ ସର୍ବେକ୍ଷଣ ସେଲ୍‍ ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଏହା ଆଇଡିଏସ୍‍ପି ର ରୂପ ନେଇଥିଲା । ଏହାର ମୁଖ୍ୟକାର୍ଯ୍ୟ ଥିଲା ବର୍ଷ ତମାମ ୩୦ଟି ଜିଲ୍ଲାର ବିଭିନ୍ନ ସଂକ୍ରାମକ, ଅଣସଂକ୍ରାମକ ରୋଗ ସହିତ ଏଚ୍‍ଆଇଭି ଏପରିକି ଦୁର୍ଘଟଣା ଜନିତ ଚିକିତ୍ସା ସଂକ୍ରାନ୍ତରେ ସୂଚନା ସଂଗ୍ରହ କରିବା ଓ ଆବଶ୍ୟକସ୍ଥଳେ ପଦକ୍ଷେପ ଗ୍ରହଣ କରିବା ।

ତେବେ କୌଣସି ଠାରେ ଝାଡାବାନ୍ତି, ଜଣ୍ଡିସ୍‍, ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ସୂଚନା ପାଇଲାମାତ୍ରେ ସେଲ୍‍ ପକ୍ଷରୁ ତାହାର ବିସ୍ତୃତ ସୂଚନା ବିଭାଗକୁ ପ୍ରଦାନ କରାଯାଇଥାଏ । ମାମଲାର ଗମ୍ଭୀରତାକୁ ଦେଖି ପ୍ରଭାବିତ ଅଞ୍ଚଳରୁ ଦୈନିକ ସୂଚନା ସଂଗ୍ରହ ସହିତ ତାହାକୁ ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଥାଏ ଏବଂ ବିଭାଗ ପକ୍ଷରୁ ଏହି ତଥ୍ୟ ଆଧାରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥାଏ । ମୋଟାମୋଟି ଭାବେ ଏହି ସେଲ୍‍ ଟି ସ୍ୱାସ୍ଥ୍ୟ ବିଭାଗର ଆଖି ଓ କାନ ଭଳି କାର୍ଯ୍ୟ କରିଥାଏ ।

ତେବେ ବର୍ତ୍ତମାନ ରାଜ୍ୟରେ ବ୍ୟାପିଥିବା ହଇଜା ଯାଜପୁର ଜିଲ୍ଲାରୁ ଆରମ୍ଭ ସମୟରେ ଆଇଡିଏସ୍‍ପି ସୂଚନା ପାଇଥିଲା କି ନାହିଁ ଏବଂ ଯଦି ପାଇଥିଲା ତାହାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଅବଗତ କରିଥିଲା କି ନାହିଁ ତାହାକୁ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରୁଛନ୍ତି । କାରଣ ସ୍ୱାସ୍ଥ୍ୟ ବିଭାଗ ଏଭଳି ସୂଚନା ପାଇଲା ପରେ ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଥାଏ ଏବଂ ଝାଡାବାନ୍ତିକୁ ନିୟନ୍ତ୍ରଣକୁ ଆଣିଥାଏ । ହେଲେ ଯାଜପୁର କ୍ଷେତ୍ରରେ ସେଭଳି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନଥିଲା ଏବଂ ହଇଜା ତାହାର କାୟାବିସ୍ତାର କରିବାର ସୁଯୋଗ ପାଇଥିଲା ।

ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ ଆଇଡିଏସ୍‍ପି କୌଣସି ସ୍ଥାନରେ ଝାଡାବାନ୍ତିର ସୂଚନା ପାଇଲା ପରେ ସେଠାରୁ ଜଳ ଓ ମଳର ନମୂନା ସଂଗ୍ରହ କରି ତାହାକୁ ପରୀକ୍ଷାଗାରକୁ ପଠାଇଥାଏ । ପରୀକ୍ଷାଗାର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଯାଜପୁର ଜିଲ୍ଲାରୁ ଜଳ ଆସି ପରୀକ୍ଷା ହୋଇଥିଲା କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକଟ ପାଇଛି । କାରଣ ପ୍ରଥମେ ଜଳଦ୍ୱାରା ଏହା ବ୍ୟାପିନଥିବା କୁହାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଜଳ ନମୂନାରୁ କଲେରା ଭୂତାଣୁ ମିଳିବାପରେ ଏହା ଜଳଦ୍ୱାରା ବ୍ୟାପିଥିବା କୁହାଯାଇଛି । ତେଣୁ ଏଭଳି ଏକ ସ୍ୱାସ୍ଥ୍ୟ ସଙ୍କଟ ସମୟରେ ସରକାର ଗଠନ କରିଥିବା ଆଇଡିଏସ୍‍ପିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । (ତଥ୍ୟ)