Home Health ତିନି ଜିଲ୍ଲାରେ ପହଞ୍ଚିଲେ ମିଳିତ ବିଶେଷଜ୍ଞ ଦଳ

ତିନି ଜିଲ୍ଲାରେ ପହଞ୍ଚିଲେ ମିଳିତ ବିଶେଷଜ୍ଞ ଦଳ

ଭୁବନେଶ୍ଵର : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ ଆଜି କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ  ସ୍ଵତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଞ୍ଚି ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି l ଯାଜପୁର ଜିଲ୍ଲା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମର ଡକ୍ଟର ଏନ ସୋମାଲକର.  ଓ ଭାରତୀୟ ଖାଦ୍ୟ ସୁରକ୍ଷା କର୍ତ୍ତୁପକ୍ଷ ଅଧିକାରୀମାନେ  ସଦସ୍ୟ  ରହିଛନ୍ତି l

କଟକ ଜିଲ୍ଲା ପାଇଁ  କେନ୍ଦ୍ରୀୟ ଟିମର  ଡକ୍ଟର ବି  ଦ୍ଵିବେଦୀ ଓ  ଡକ୍ଟର  ଏସ ମହାନ୍ତି ଏବଂ  ସ୍ଵାସ୍ଥ୍ୟ ଓ  ପରିବାର  କଲ୍ୟାଣ ବିଭାଗର  ଅତିରିକ୍ତ  ନିର୍ଦ୍ଦେଶକ ଡ. ପ୍ରମିଳା ବରାଳ ସଦସ୍ୟ ଭାବରେ ରହିଛନ୍ତି l  ଭଦ୍ରକ ଜିଲ୍ଲାରେ ଡକ୍ଟର ପି ଘୋଷ ଓ ଡକ୍ଟର ଜି ଚୌଧୁରୀ ଏବଂ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ମହାନ୍ତି ସ୍ଥିତି ସମୀକ୍ଷା କରୁଛନ୍ତି l

ଏହି ଟିମ ମାନେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ଡାଇରିଆ ମୁକାବିଲା ଓ ନିରାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଅନୁଧ୍ୟାନ କରୁଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ, ଟିମମାନେ   ମୁଖ୍ୟତଃ ପାନୀୟ ଜଳ ସ୍ରୋତ ଗୁଡ଼ିକର ବିଶୋଧିକରଣ, ପାଣି ଫୁଟେଇ ବ୍ୟବହାର କରିବାପାଇଁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ, ଡାକ୍ତରଖାନାରେ  ପ୍ରୋଟୋକଲ ଅନୁସାରେ  ରୋଗୀମାନଙ୍କ ଚିକିତ୍ସା, ରୋଗୀମାନଙ୍କ ବିଷୟରେ ସଠିକ ତଥ୍ୟ ସଂଗ୍ରହ ଓ ବ୍ଲକୱାରୀ ଡାଇରିଆ ସ୍ଥିତିର ଅନୁଶୀଳନ କାର୍ଯ୍ୟ ଜାରି ରଖିଛନ୍ତି l

  ସ୍ଥିତିକୁ ଲକ୍ଷ୍ୟକରି କ୍ଷେତ୍ର ସ୍ତରୀୟ ଟିମ ଏବଂ ଡାକ୍ତରମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି l  କ୍ଷେତ୍ର ପରିଦର୍ଶନ  ପରେ ଏହି ମିଳିତ  ବିଶେଷଜ୍ଞ ଟିମ ଗୁଡିକ ସମ୍ପୃକ୍ତ ଜିଲ୍ଲାରେ ଗତକାଲି ଗଠନ ହୋଇଥିବା  କୋର କମିଟି ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରିବେ l