ଭୁବନେଶ୍ୱର : ରଜ ସମୟରେ ଯାତ୍ରୀମାନଙ୍କ ଭିଡକୁ ଦେଖି ଘରୋଇ ବସ୍ ଗୁଡିକ ମନଇଚ୍ଛା ଭଡା ଆଦାୟ କରୁଛନ୍ତି । କେଉଁଠି ଦେଢ ଗୁଣ ତ ଆଉ କେଉଁଠି ଦୁଇଗୁଣ ଭଡା ଆଦାୟ ହେଉଛି । ପରିବହନ ବିଭାଗର ନିଦାବିଷ୍ଣୁ ଅବସ୍ଥା ଯୋଗୁଁ ଲୋକେ ଏବେ ବସ୍ମାଲିକଙ୍କ ଶୋଷଣର ଶିକାର ହେଉଛନ୍ତି ।
ରଜ ପାଇଁ ଏବେ ବସ୍ ଷ୍ଟାଣ୍ଡରେ ପ୍ରବଳ ଭିଡ । ଲୋକେ ପିଲାଛୁଆ ଧରି ନିଜ ନିଜ ଗାଁକୁ ଯାଉଛନ୍ତି । ଏଥିପାଇଁ ବିଭିନ୍ନ ରୁଟ୍ରେ ଯାତ୍ରୀମାନେ ବସ୍ରେ ଯିବାକୁ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି । ଲୋକଙ୍କର ଏଭଳି ବିକଳିଆ ଅବସ୍ଥା ଦେଖି ବସ୍ମାଲିକମାନେ ଦର କଷିବାରେ ଲାଗିଛନ୍ତି । ସାଧାରଣ ବସ୍ ଭଡା କିଲୋମିଟର ପିଛା ୮୯ ପଇସା ଧାର୍ଯ୍ୟ ହୋଇଥିବାବେଳେ ବସ୍ଗୁଡିକ ଏହାଠାରୁ ଯଥେଷ୍ଟ ଅଧକ ଭଡା ନେଉଛନ୍ତି । ରାଜ୍ୟର ସବୁଠାରୁ ବଡ ତଥା ବ୍ୟସ୍ତବହୁଳ ବସଷ୍ଟାଣ୍ଡ କଟକରୁ ବିଭିନ୍ନ ସ୍ଥାନରୁ ଯାଉଥିବା ସାଧାରଣ ବସ୍ରେ କିଲୋମିଟର ପିଛା ଏକ ଟଙ୍କାର ଦେଢଟଙ୍କା ଆଦାୟ ହେଉଛି । ଆଜି କେତେକ ରୁଟ୍ରେ ହୁଣ୍ଡାମୂଲ ଭଳି ବସ୍ଭଡା ଆଦାୟ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
କଟକରୁ ମାଛଗାଁ, ନାଉଗାଁ, କେନ୍ଦ୍ରାପଡା, ପଟ୍ଟାମୁଣ୍ଡା, ଆଳି, କାକଟପୁର, ବାଙ୍କି ଆଦି ବିଭିନ୍ନ ରୁଟ୍ରେ ଚାଲୁଥିବା ବସ୍ଗୁଡିକ ଆଜି ଯାତ୍ରୀଭିଡକୁ ଦେଖି ଭଡା ବଢାଇଥିଲେ । ବସ୍ରେ ଦୁଇଗୁଣା ଲୋକ ଉଠାଇବା ସହିତ ଯାତ୍ରୀଙ୍କ ଠାରୁ ଦେଢରୁ ଦୁଇଗୁଣା ଭଡା ଆଦାୟ କରୁଥିବା ଦେଖିବାକୁ ମିଳିଛି । କଟକରୁ ଜଗତ୍ସିଂହପୁରକୁ ଭଡା ୮୦ ଟଙ୍କା ଆଦାୟ ହୋଇଛି । ଯଦି କେହି ପ୍ରତିବାଦ କରୁଛି ତେବେ ତାକୁ ବସରେ ଚଢିବାକୁ ଦିଆଯାଉ ନାହିଁ ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଲାଭଖୋର କେତେକ ବସ୍ ଚାଳକ ଅଳ୍ପବାଟ ଯିବାକୁ ଚାହୁଁଥିବା ଯାତ୍ରୀମାନଙ୍କୁ ସହଜରେ ବସରେ ଉଠାଉ ନାହାନ୍ତି । ଦୂର ଦୂରାନ୍ତ ଯାତ୍ରୀ ଚଢିଲାପରେ ସ୍ଥାନ ମିଳିଲେ ବାସ ପାସେଞ୍ଜରଙ୍କୁ ଉଠାଉଛନ୍ତି । ଆଉ ଯେଉଁମାନେ ଆଗ ଉଠିବାକୁ ଚାହୁଁଛନ୍ତି ସେମାନଙ୍କ ଠାରୁ ଦୂର ଯାତ୍ରୀଙ୍କ ସହିତ ସମାନ ଭଡା ଆଦାୟ କରୁଛନ୍ତି ।
ରାଜ୍ୟ ପରିବହନର ମୁଖ୍ୟ ଦପ୍ତର କଟକରେ ଥିବାବେଳେ ଯାତ୍ରୀଙ୍କୁ ଏଭଳି ଶୋଷଣ ପରିବହନ ଅଧିକାରୀଙ୍କ ନଜରରେ ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପର୍ବ ପର୍ବାଣି ସମୟରେ ଯାତ୍ରୀଙ୍କୁ ଏଭଳି ଶୋଷଣ ପରିବହନ ବାବୁମାନେ ଜାଣୁଥିଲେ ମଧ୍ୟ କୌଣସି ଅକୁହା କାରଣରୁ ମୂକ ଦର୍ଶକ ସାଜୁଛନ୍ତି । ରଥଯାତ୍ରାକୁ ଦୃଷ୍ଟିରେ ରଖି ନିକଟରେ ପରିହବନ ବିଭାଗ ପକ୍ଷରୁ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଅଧିକ ଭଡା ଆଦାୟ କଲେ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଥିବାବେଳେ ବର୍ତ୍ତମାନ ମନଇଚ୍ଛା ଭଡା ଆଦାୟକୁ କିଭଳି ବରଦାସ୍ତ କରାଯାଉଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)