Home General ବିନା ସୁଧରେ ଋଣ କେବେ ?

ବିନା ସୁଧରେ ଋଣ କେବେ ?

ଭୁବନେଶ୍ୱର : ଓଡିଶାର ଯୁବ ବର୍ଗଙ୍କୁ ବିନା ସୁଧରେ ୫୦ ପ୍ରତିଶତ ରିହାତି ସହିତ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବାକୁ ବିଜେପି ତାହାର ନିର୍ବାଚନୀ ସଙ୍କଳ୍ପପତ୍ରରେ ବର୍ଷକ ତଳେ ଯେଉଁ ଘୋଷଣା କରିଥିଲା ତାହା ପାଇବାକୁ ଏବେ ବି ବହୁ ବେକାର ଯୁବକ ଯୁବତୀ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦୀର୍ଘ ଦଶନ୍ଧି ଧରି ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ସ୍ଥିତିରେ ଥିବାବେଳେ ଲକ୍ଷାଧିକ ସରକାରୀ ଚାକିରି ଖାଲି ପଡିଛି । ସମସ୍ତ ପଦ ପଦବୀ ପୂରଣ ସହିତ ବେସରକାରୀ ଉଦ୍ୟୋଗରେ ରାଜ୍ୟର ଯୁବବର୍ଗଙ୍କୁ କର୍ମନିଯୁକ୍ତିର ସୁବିଧା ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ଲାଗି ବାରମ୍ବାର ରାଜନେତାମାନେ କହି ଆସୁଛନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ ଯୁବନୀତିରେ ସୂଚିତ ତଥ୍ୟ ମୁତାବକ ଯୁବବର୍ଗଙ୍କ ଭିତରେ ନିଶା ରାକ୍ଷାସର ପ୍ରବଳ ଦୌରାତ୍ମ୍ୟ ଯୋଗୁଁ ଓଡିଶାର ବିକାଶ ପାଇଁ ଯୁବକ ଯୁବତୀମାନଙ୍କ ଠାରୁ ଯେତେ ପରିମାଣର ସହଯୋଗ ମିଳିବାକଥା ତାହା ମିଳିପାରୁ ନାହିଁ । ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାବେଳେ ଦରଦାମ ଓ ମଜୁରୀ ବୃଦ୍ଧି, କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ, ଉତ୍ପାଦିତ କୃଷି ସାମଗ୍ରୀର ସଂରକ୍ଷଣ ଓ ବିପ୍ପଣନ ଲାଗି ଠିକଣା ସୁବିଧା ନଥିବା ଆଦି ବିଭିନ୍ନ କାରଣରୁ ଗାଁ ଗହଳର ଅଧିକାଂଶ ଯୁବକ କୃଷିରୁ ମୁହଁ ଫେରାଉଛନ୍ତି । ଫଳରେ ଅନେକ ଅଞ୍ଚଳରେ ଲକ୍ଷ ଲକ୍ଷ ଏକର ଚାଷଜମି ପଡିଆ ପଡିଛି ।

କୃଷି ଓ କୃଷିଭିତ୍ତିକ ଶିଳ୍ପ ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ତଥା ମୋଦୀ ଗ୍ୟାରେଣ୍ଟିରେ ଯେଉଁସବୁ ଘୋଷଣା କରାଯାଇଛି ତାହା କାର୍ଯ୍ୟକାରୀ ହେଲେ ୨୦୨୯ ସୁଦ୍ଧା ଓଡିଶାକୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ସହ ଏହାକୁ ଦେଶର ପଞ୍ଚମ ବୃହତ୍‍ ରପ୍ତାନିକାରୀ ରାଜ୍ୟ ଭାବେ ଗଢି ତୋଳିବା ଲାଗି ଯେଉଁ ସଙ୍କଳ୍ପ ରହିଛି ତାହା ସାକାର ହୋଇପାରେ । ଏଥିଲାଗି ଅଣ୍ଡା, ଦୁଗ୍ଧ, ମାଛ, ମାଂସ, କୁକୁଡା ଆଦି ବ୍ୟବସାୟକୁ ଯୁବ ବର୍ଗ ଆପଣେଇବାପାଇଁ ବାରମ୍ବାର କୁହାଯାଉଛି ।

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ କୃଷି ଓ କୃଷିଶିଳ୍ପର ବିକାଶ ପାଇଁ ବିଜେପି ତାହାର ସଙ୍କଳ୍ପପତ୍ରରେ ଯାହାସବୁ ଘୋଷଣା କରିଥିଲା ତାହାକୁ ଯଦି ଦ୍ୱିତୀୟବର୍ଷ ଶେଷସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଏ ତେବେ ଓଡିଶା ପୁଣି ବିକାଶର ଧାରାରେ ଚାଲିପାରିବ ।

ଇତି ମଧ୍ୟରେ ଧାନର କୁଇଣ୍ଟାଲ ପିଛା କ୍ରୟମୂଲ୍ୟ ପ୍ରତିଶ୍ରୁତି ମୁତାବକ ସରକାର ୩୧୦୦ ଟଙ୍କା ଦେଉଛନ୍ତି । ତେବେ ଧାନ କିଣାବିକାବେଳେ କଟ୍‍ନି ଛଟ୍‍ନି ବ୍ୟବସ୍ଥାର ପରିସମାପ୍ତି ଘଟୁନାହିଁ । ତେଣୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଯାନ୍ତ୍ରିକ କୃଷି ଲାଗି ସରକାର ୮୦ ରୁ ୮୫ ପ୍ରତିଶତ ରିହାତି ବ୍ୟବସ୍ଥା କରିବାପାଇଁ ଯାହା କହିଥିଲେ ତାହା ଏଯାବତ୍‍ କାର୍ଯ୍ୟକ୍ଷମ ହୋଇନାହିଁ । ଏହାଛଡା ୩୦୦୦କୋଟି ଟଙ୍କାର କୃଷି ସଂରକ୍ଷଣ କୋଷ ପ୍ରତିଷ୍ଠା ସହ ପ୍ରତି ବ୍ଲକରେ ଖାଦ୍ୟ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର, ମଣ୍ଡି, କୃଷି ସମୃଦ୍ଧି କେନ୍ଦ୍ର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ରପ୍ତାନି କେନ୍ଦ୍ର ପ୍ରତିଷ୍ଠା ଏବଂ ପ୍ରତି ପଞ୍ଚାୟତରେ କୃଷି ଓ କୃଷିଜାତି ପଦାର୍ଥ ଲାଗି ଗୋଦାମ ବ୍ୟବସ୍ଥା ସହିତ ତୈଳବୀଜ, ଡାଲି, ଝୋଟ, ଆଖୁ, ମିଲେଟ, ଆଳୁ ସମେତ ଅନ୍ୟ ପନିରପିବାର ଉତ୍ପାଦନ ବୃଦ୍ଧି, କୃଷି ଶିଳ୍ପର ବିକାଶ, ଜଳସେଚିତ ଚାଷଜମି ପରିମାଣ ୩ଗୁଣ କରାଇବା, ୩୦୦୦ କୋଟି ଟଙ୍କାର କୃଷି ସଂରକ୍ଷଣ କୋଷ ପ୍ରତିଷ୍ଠା ସଂଗେ ସଂଗେ ପ୍ରତି ବ୍ଲକରେ ଶୀତଳଭଣ୍ଡାର, ମଣ୍ଡି ବ୍ୟବସ୍ଥା, କୃଷି ସମୃଦ୍ଧି କେନ୍ଦ୍ର, ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ର, ରପ୍ତାନି କେନ୍ଦ୍ର ଆଦି ପ୍ରତିଷ୍ଠା କରାଗଲେ ଚାଷ ପାଇଁ ଯୁବବଗଙ୍କ ଆଗ୍ରହ ବଢିବ ଏବଂ ଏହା ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି । (ତଥ୍ୟ)