ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଥିବା ମନ୍ଦିର, ବିଶେଷକରି ଯେଉଁମାନେ ଦୈନିକ ଖାଦ୍ୟ ବ୍ୟବସାୟ କରୁଛନ୍ତି, ସେମାନେ ପ୍ରଦୂଷଣକାରୀ ପଲିଥିନ୍ର ପ୍ରମୁଖ ଉପଭୋକ୍ତା ସାଜିଛନ୍ତି । ଖାଦ୍ୟ ବିକ୍ରିବଟା ପାଇଁ ଏହିସବୁ ମନ୍ଦିରଗୁଡିକ ଦୈନିକ ଶହ ଶହ କିଲୋ ପଲିଥିନ୍ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି ।
ରାଜ୍ୟରେ ନିମ୍ନମାନର ପଲିଥିନ୍ ବିକ୍ରି ଉପରେ କଟକଣା ଥିବାବେଳେ ପୌରସଂସ୍ଥା ପକ୍ଷରୁ ମଝିରେ ମଝିରେ ବ୍ୟବସାୟୀଙ୍କ ଉପରେ ଚଢଉ କରାଯାଇ ବସ୍ତା ବସ୍ତା ପଲିଥିନ୍ ଜବତ କରାଯାଉଛି । ହେଲେ ଏହିସବୁ ପଲିଥିନ୍ କେଉଁଠୁ ଆସୁଛି ଓ କେଉଁଠାରେ ସର୍ବାଧିକ ବ୍ୟବହାର ହେଉଛି ତାହାର ଉତ୍ସକୁ ସରକାରୀ ବାବୁମାନେ ଯାଉ ନାହାନ୍ତି । ଚଢଉ କରିବାର ସଚିତ୍ର ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ସେମାନଙ୍କର କାମ ଏକ ରକମ କିଛିଦିନ ପାଇଁ ସରିଯାଉଛି ।
ତେବେ ଲକ୍ଷ୍ୟ କରାଯାଉଛି ଯେ ରାଜଧାନୀ ସମେତ ରାଜ୍ୟର ଏକାଧିକ ମନ୍ଦିରରେ ବ୍ୟାପକ ପରିମାଣରେ ପଲିଥିନ୍ ବ୍ୟହାର ହେଉଛି । ଯେଉଁସବୁ ମନ୍ଦିରଗୁଡିକ ଖାଦ୍ୟ ବିକ୍ରୟ କରୁଛନ୍ତି ସେଠାରେ ଏହାର ବ୍ୟବହାର ସର୍ବାଧିକ ରହୁଛି । ଏପରିକି ଗୋଟିଏ ଗୋଟିଏ ମନ୍ଦିର ଦୈନିକ ୧୦ ରୁ ୧୫ କିଲୋ ଛୋଟ ବଡ ବିଭିନ୍ନ କିସମର ପଲିଥିନ୍ ବ୍ୟବହାର କରୁଛନ୍ତି । ଯେଉଁମାନେ ଚଢଉକୁ ଡରୁଛନ୍ତି, ସେମାନେ ପଲିଥିନ୍ ବଦଳରେ ଆଲୁମିନିୟମ ଥଳି ବ୍ୟବହାର କରୁଛନ୍ତି । ହେଲେ ଏଥିପାଇଁ ଖର୍ଚ୍ଚ ଅଧିକ ହେଉଥିବାରୁ ଅଧିକାଂଶ ମନ୍ଦିର ପଲିଥିନ୍କୁ ହିଁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି ।
ମଧ୍ୟାହ୍ନ ସମୟରେ ଗ୍ରାହକମାନେ ଖାଦ୍ୟ ନେବାପାଇଁ ଆସିବା ପୂର୍ବରୁ ମନ୍ଦିରଗୁଡିକ ଖାଦ୍ୟ ସାମଗ୍ରୀକୁ ପଲିଥିନ୍ରେ ପୁଡିଆ ବାନ୍ଧି ରଖି ଦେଉଛନ୍ତି । ଯେତେ ପ୍ରକାର ଖାଦ୍ୟ ସାମଗ୍ରୀ ସେତେପ୍ରକାରର ପୁଡିଆ । ଜରି ପୁଡିଆ ବାନ୍ଧିବାକୁ ବିଳମ୍ବ ହେଉଥିବାରୁ ଗ୍ରାହକମାନେ ଆସିବା ପୂର୍ବରୁ ମନ୍ଦିର କର୍ତ୍ତୃପକ୍ଷ ଏହିସବୁ କାମ ସାରି ଦେଉଛନ୍ତି ।
ଜଣେ ବ୍ୟକ୍ତି ଯଦି ମନ୍ଦିରରୁ ୭୦/୮୦ ଟଙ୍କାର ଗୋଟିଏ ମିଲ୍ ଘରକୁ ନେଉଛନ୍ତି, ସିଏ ଅତି କମ୍ରେ ୫ ରୁ ୬ଟି ପଲିଥିନ୍ ପୁଡିଆ ନେଇ ଘରକୁ ଯାଉଛନ୍ତି । ଖାଦ୍ୟର ଦର ଅନୁସାରେ ଏହି ପଲିଥିନ୍ ସଂଖ୍ୟା ଅଧିକ ରହୁଛି । ଖାଇ ସାରିବାପରେ ଏଗୁଡିକୁ ସିଧା ପୌରସଂସ୍ଥାର ଅଳିଆ ଗାଡିକୁ ଧରାଇ ଦେଉଛନ୍ତି । ଯେଉଁଠାରେ ଅଳିଆଗାଡି ସୁବିଧା ନାହିଁ ସେଠାରେ ପଲିଥିନ୍ଗୁଡିକୁ ବାହାରେ ଫିଙ୍ଗି ଦେଉଛନ୍ତି । ଖୋଦ୍ ରାଜଧାନୀରେ ଏହି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଶସ୍ତା ଓ ମଜବୁତ୍ ହେଉଥିବାରୁ ମନ୍ଦିର କର୍ତ୍ତୃପକ୍ଷ କିମ୍ବା ଗ୍ରାହକ କେହି ବିକଳ୍ପ ଚିନ୍ତା କରୁନାହାନ୍ତି ।
କେବଳ ଖାଦ୍ୟ ପାଇଁ ନୁହେଁ, ମନ୍ଦିର ନିକଟରେ ବିକ୍ରି ହେଉଥିବା ଭୋଗ, ଫୁଲ ଆଦି ପାଇଁ ମଧ୍ୟ ଦୈନିକ ବିପୁଳ ପରିମାଣରେ ପଲିଥିନ୍ ବିକ୍ରି ହେଉଛି । ତାଳପତ୍ର ଭୋଗେଇରେ ଭୋଗ ବିକ୍ରିକଲେ ତାହାର ଦର ଅଧିକ ରହୁଛି । ତେଣୁ ଭୋଗ ଦୋକାନୀମାନେ ପଲିଥିନ୍କୁ ଆପଣେଇ ନେଇଛନ୍ତି । ଗ୍ରାହକ ମଧ୍ୟ ଶସ୍ତାରେ ଭୋଗ ପାଉଥିବାରୁ ଖୁସି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଆରମ୍ଭ କରି ପୌର ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ପଲିଥିନ୍ ଜବତ ପାଇଁ ପାନ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନ ପର୍ଯ୍ୟନ୍ତ ସବୁଆଡେ ଚଢଉ କରୁଥିବାବେଳେ ମନ୍ଦିର ଉପରେ କିନ୍ତୁ ଚଢଉ ହେଉଥିବାର ନଜିର ନାହିଁ । ତେଣୁ ପଲିଥିନ୍ ନିୟନ୍ତ୍ରଣ ଅଭିଯାନ ପ୍ରଥମେ ମନ୍ଦିରରୁ ଆରମ୍ଭ ହେବା ସହିତ ଏହିଠାରୁ ସଚେତନତାକୁ ଜୋରଦାର କରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)