Home Health କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୨

କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୨

ନୂଆଦିଲ୍ଲୀ :  ଜୁନ ୪ତାରିଖ ସୁଦ୍ଧା ଭାରତରେ ୪୩୦୨ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି, ଯାହା ମଧ୍ୟରୁ ଗତ ୨୪ ଘଣ୍ଟାରେ ୮୬୪ଟି ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ମାମଲା ସାମାନ୍ୟ ଓ ଘରେ ଉପଚାର ଯୋଗ୍ୟ ରହିଛି । ୧ ଜାନୁଆରୀ ୨୦୨୫ରୁ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମୃତକଙ୍କର ପୂର୍ବରୁ ଅନ୍ୟାନ୍ୟ ରୋଗ ରହିଥିଲା ।

ଅମ୍ଳଜାନ, ଏକାନ୍ତ ଶଯ୍ୟା, ଭେଣ୍ଟିଲେଟର ଓ ଜରୁରୀ ଔଷଧ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । ଅମ୍ଳଜାନ ଯୋଗାଣ ବ୍ୟବସ୍ଥା (ପିଏସଏ ପ୍ଲାଣ୍ଟ, ଏଲଏମଓ ଟାଙ୍କ, ଏମଜିପିଏସ ଲାଇନ)ର ଆକଳନ ପାଇଁ ୨ ଜୁନରେ ଏକ ମକଡ୍ରିଲ ହୋଇଥିଲା । ୪ ଓ ୫ ଜୁନରେ ବ୍ୟବସ୍ଥାସ୍ତରୀୟ ମକଡ୍ରିଲ କରାଯାଉଛି ।

ଆଇଡିଏସପି ଅଧୀନରେ ଥିବା ରାଜ୍ୟ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷଣ ୟୁନିଟ୍ ଇନଫ୍ଲୁଏଞ୍ଜା ପରି ରୋଗ (ଆଇଏଲଆଇ) ଏବଂ ଗମ୍ଭୀର ତୀବ୍ର ଶ୍ୱାସକ୍ରିୟା ରୋଗ (ଏସଏଆରଆଇ) ଉପରେ କଡ଼ା ନଜର ରଖୁଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଭର୍ତ୍ତି ହୋଇଥିବା ଏସଏଆରଆଇ ମାମଲା ଏବଂ ୫ ପ୍ରତିଶତ ଆଇଏଲଆଇ ମାମଲାଗୁଡିକର ପରୀକ୍ଷା ପାଇଁ ସୁପାରିଶ କରାଯାଇଛି। ପଜିଟିଭ୍ ଏସଏଆରଆଇ ନମୁନାଗୁଡ଼ିକୁ ଆଇସିଏମଆର ଭିଆରଡିଏଲ ନେଟୱାର୍କ ମାଧ୍ୟମରେ ସମ୍ପୂର୍ଣ୍ଣ ଜିନୋମ୍ ସିକୋଏନ୍ସିଂ ପାଇଁ ପଠାଯାଏ।

ଲୋକମାନଙ୍କୁ ହାତର ପରିଚ୍ଛନ୍ନତା ରକ୍ଷା, କାଶିବା ବେଳେ ସତର୍କତା ଓ ଅସୁସ୍ଥତା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଉଛି । ଶ୍ବାସକ୍ରିୟା ଜନିତ ରୋଗ ଉପରେ ନିଜେ ନଜର ରଖବା ଓ ସ୍ଥିତି ଗୁରୁତର ହେଲେ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି । ଭୁଲ ସୂଚନା ଓ ଗୁଜବରୁ ରକ୍ଷା ପାଇବାକୁ ହେଲେ ଭରସାଯୋଗ୍ୟ ସୁତ୍ର ଯେପରିକି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ପିଆଇବିର ଓ୍ବେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମୟୋଚିତ ହସ୍ତକ୍ଷେପ ଏବଂ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମରେ ଜନସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ରହିଛି ।