Home News in Odia ବର୍ଷକରେ ୧୩କୋଟିର ପାଣି ମିଟର ଲାଗିଛି

ବର୍ଷକରେ ୧୩କୋଟିର ପାଣି ମିଟର ଲାଗିଛି

ଭୁବନେଶ୍ୱର : ରାଜ୍ୟର ପୌରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୧ଲକ୍ଷରୁ ଅଧିକ ଲୋକଙ୍କୁ ୨୪ଘଣ୍ଟିଆ ଜଳ ଯୋଗାଣ କରିଥିବା ୱାଟ୍‍କୋ କର୍ତ୍ତୃପକ୍ଷ ଜଳକର ଆଦାୟ ପାଇଁ ଗତ ଆର୍ଥିକ ବର୍ଷରେ ପାଖାପାଖି ୧୩କୋଟି ଟଙ୍କା ପାଣି ମିଟର ଲଗାଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୱାଟ୍‍କୋ ଲଗାଇଥିବା ପାଣିମିଟର ମଧ୍ୟରୁ ଅନେକ ଚୋରି ଏବଂ ନଷ୍ଟ ହୋଇଯାଇଥିବାବେଳେ ଯେଉଁଠାରେ ବି ପାଣି ମିଟର ରହିଛି ସେଠାରେ ମିଟର ରିଡିଂ ନେଇ ସେହି ଅନୁଯାୟୀ ଜଳକର ବିଲ୍‍ ପ୍ରସ୍ତୁତ ହେଉନାହିଁ ।

ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ୨୪ଘଣ୍ଟିଆ ଜଳ ଯୋଗାଣ ସାଙ୍ଗକୁ ୱାଟ୍‍କୋ କର୍ତ୍ତୃପକ୍ଷ ପାଣି ମିଟର ଲଗାଇଛନ୍ତି । ପାଣି ମିଟର ଲାଗିବାପରେ କିଛି ଦିନ ଅଳ୍ପ କେତେକ ସ୍ଥାନରେ ମିଟର ରିଡିଂ ଅନୁଯାୟୀ ଜଳକର ବିଲ୍‍ ପ୍ରସ୍ତୁତ ହେଉଥିଲା । ପରବର୍ତ୍ତୀ ସମୟରେ ମିଟର ଚୋରି ଆରମ୍ଭ ହେଲା । ବିଶେଷକରି ସରକାରୀ କ୍ୱାଟର୍ସରେ ଲାଗିଥିବା ପାଣିମିଟରକୁ ଚୋରମାନେ ରାତାରାତି କାଟି ନେଇଗଲେ ।

ଯେଉଁଠାରେ ବି ପାଣିମିଟର ଲାଗିଛି ତାହାର ନିୟମିତ ରିଡିଂ ନିଆଯାଉ ନାହିଁ । ଏଥିପାଇଁ ୱାଟ୍‍କୋର ତାଲିମପ୍ରାପ୍ତ କର୍ମଚାରୀ ନାହାନ୍ତି । ସରକାରୀ କ୍ୱାଟର୍ସଗୁଡିକରେ ମାସିକ ଘରଭଡା ସହିତ ପାଣିବିଲ୍‍ ସାମିଲ ହୋଇ ଦରମାରୁ କଟୁଥିବାବେଳେ ସେଠାରେ କର୍ତ୍ତୃପକ୍ଷ କାହା ସ୍ୱାର୍ଥରେ ପାଣିମିଟର ଲଗାଇଥିଲେ ଓ ଏହି ମିଟର ଲଗାଇବାପରେ କାହିଁକି ରିଡିଂ ନେଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି ।

କେବଳ ସେତିକି ନୁହେଁ ଯେଉଁସବୁ ସ୍ଥାନରେ ଡ୍ରିଙ୍କ ଫ୍ରମ ଟ୍ୟାପ୍‍ ଯୋଜନା କାର୍ଯ୍ୟକାରୀ ହେଉଛି ସେଠାରେ ନିୟମିତ ଜଳ ପରୀକ୍ଷା ହେବାକଥା । ଏଥିପାଇଁ ଜଳସାଥୀମାନଙ୍କୁ ତାଲିମ ଦିଆଯାଇଥିଲା । ସେମାନେ ଘରକୁ ଘର ବୁଲି ସପ୍ତାହରେ ଥରେ ଜଳର ମାନ ପରୀକ୍ଷା କରି ରିପୋର୍ଟ ପ୍ରଦାନ ପାଇଁ ସେମାନଙ୍କୁ ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ତେବେ ଖୋଦ୍‍ ରାଜଧାନୀରେ ଏହି ବ୍ୟବସ୍ଥାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡୁଛି । ତେଣୁ ଲୋକେ ଟ୍ୟାପ୍‍ରୁ କେଉଁମାନର ପାଣି ପିଉଛନ୍ତି ତାହା ଜାଣିପାରୁ ନାହାନ୍ତି । ଏହା ଫଳରେ ଡ୍ରିଙ୍କ ଫ୍ରମ ଟ୍ୟାପକୁ ନେଇ ଉତ୍ସାହିତ ଲୋକେ ଏବେ ଆକ୍ୱାଗାର୍ଡ ଓ ଫିଲଟର ଆଦି କିଣିବାରେ ଲାଗିଲେଣି ।

ଉଲ୍ଲେଖନୀୟ ଯେ ୨୦୧୯ମସିହାରେ ରାଜ୍ୟର ତିନିଟି ପୌରାଞ୍ଚଳରେ ୱାଟ୍‍କୋ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୨୬ଟି ପୌରାଞ୍ଚଳ ଏଥିରେ ସାମିଲ ହୋଇଛି । ଏହି ସମସ୍ତ ପୌରାଞ୍ଚଳରେ ପାନୀୟଜଳ ଯୋଗାଣ ସହିତ ୫ଟି ପୌରାଞ୍ଚଳ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ ଏବଂ ସମ୍ବଲପୁରରେ ୧୫ଲକ୍ଷ ଲୋକଙ୍କୁ ସ୍ୱରେଜ ସେବା ପ୍ରଦାନ କରାଯାଉଛି । ଏହି ୫ଟି ପୌରାଞ୍ଚଳରେ ୱାଟ୍‍କୋ ପକ୍ଷରୁ ୧୧ଟି ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଟି (ଏସଟିପି) ଓ ୪ଟି ବର୍ଜ୍ୟ ପୋଖରୀ ପରିଚାଳନା କରାଯାଉଛି ।

ତେବେ ପୌରାଞ୍ଚଳରେ ପାନୀୟଜଳର ପରୀକ୍ଷଣ ପାଇଁ ବର୍ତ୍ତମାନ ସୁଦ୍ଧା ପିପିପି ବ୍ୟବସ୍ଥାରେ ୯ଟି ଜଳ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଥିବାବେଳେ ଆଉ ୯ଟି ପରୀକ୍ଷାଗାର ନିର୍ମାଣାଧିନ ରହିଛି । ୱାଟ୍‍କୋ ଅଧିନରେ ଗୋଟିଏ ୱାଟର କ୍ୱାଲିଟି ଆସ୍ୟୁରାନ୍ସ ସେଲ୍‍ (ଡବ୍ଲୁକ୍ୟୁଏସି) ରହିଥିବା ଜଣାଯାଇଛି । (ତଥ୍ୟ)