୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଡାକ୍ତର ଏବଂ କୋଭିଡ୍ ଯୋଦ୍ଧାମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବାବେଳେ ବ୍ୟାଙ୍କରମାନେ ମଧ୍ୟ ଜନସାଧାରଣଙ୍କ ଜୀବିକା ବଞ୍ଚାଇବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଲକ୍ଡାଉନ୍ ସମୟରେ ସେମାନେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି । ବ୍ୟାଙ୍କର ପରିବାରର ଯେଉଁମାନେ କୋଭିଡ୍ରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ କୋଭିଡ୍-୧୯ର ବିଭିନ୍ନ ପ୍ରଭାବ ସତ୍ତେ୍ୱ ରାଜ୍ୟ ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଉପଯୁକ୍ତ ବିକାଶ ପଥରେ ରହିଛି । ଏପରିକି କୃଷି କ୍ଷେତ୍ରରେ ମଧ୍ୟ ଆଗୁଆ ରହିଛି ଏବଂ ନଗଦ ଜମା ଅନୁପାତରେ ପ୍ରାୟତଃ ଜାତୀୟ ହାର ସହିତ ସମାନ ରହିଛି ବୋଲି କହିଥିଲେ ।
ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ କୋଭିଡ୍-୧୯ ମହାମାରୀର ଲକ୍ଡାଉନ୍ ସମୟ ଏବଂ ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ନଗଦ ଅର୍ଥ ଯୋଗାଣରେ ବ୍ୟାଙ୍କଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଅପହଞ୍ଚ ସ୍ଥାନଗୁଡ଼ିକରେ ସ୍ଥାୟୀ ବ୍ୟାଙ୍କ ଖୋଲିବା ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ୬୫ଟି ସ୍ଥାୟୀ ବ୍ୟାଙ୍କ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାର କାର୍ଯ୍ୟକ୍ରମ ରହିଛି ।
କୃଷି ଉକ୍ସଊାଦନ କମିଶନର ରାଜ କୁମାର ଶର୍ମା କିଷାନ କ୍ରେଡିଟ୍ କାର୍ଡ ଯୋଗାଣ ଏବଂ ହିତାଧିକାରୀମାନଙ୍କୁ ଚିହ୍ନଟୀକରଣ କରିବା ଏବଂ ଭାଗଚାଷୀମାନଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନେ ଅଗ୍ରାଧିକାର ଦେବା ପାଇଁ କହିଥିଲେ । କୃଷି ଏବଂ କୃଷକ ସଶକ୍ତିକରଣ ପ୍ରମୁଖ ସଚିବ ସୌରଭ ଗର୍ଗ ଶସ୍ୟଋଣ ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କମାନେ ସକି୍ରୟ ସହଯୋଗ ପାଇଁ ପରାମର୍ଶ ଦେଇଥିଲେ ।
ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ. ମୀନା କହିଥିଲେ ୨୦୨୦ରୁ ୨୦୨୧ ପାଇଁ ୯୦,୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ୩୦ ଜୁନ୍ ପର୍ଯ୍ୟନ୍ତ ୧୮,୨୨୪.୪୯ କୋଟି ଟଙ୍କା ଅର୍ଥାତ ଶତକଡ଼ା ୨୦.୧୬ ଭାଗ ଲକ୍ଷ୍ୟ ହାସଲ ହୋଇଛି । କୃଷି କ୍ଷେତ୍ରରେ ବାର୍ଷିକ ଲକ୍ଷ୍ୟ ହାସଲ କିଛି ମାତ୍ରାରେ ହୋଇଥିବାବେଳେ ମତ୍ସ୍ୟଚାଷ, କୃଷି ଭିତ୍ତିଭୂମି, ଶିକ୍ଷା ଆଦି କ୍ଷେତ୍ରରେ ରାଜ୍ୟରେ ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏସବୁ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି । ନଗଦ ଜମା ଅନୁପାତ କ୍ଷେତ୍ରରେ ବୌଦ୍ଧ, ଯାଜପୁର ଏବଂ ଝାରସୁଗୁଡ଼ା ୬୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ଅନ୍ୟ ୧୨ଟି ଜିଲ୍ଲା ୪୦ ପ୍ରତିଶତରୁ କମ୍ ନଗଦ ଜମା ଅନୁପାତ ରହିଛି ।
ଏ ବାବଦରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଏଲ୍ଡିଏମ୍ ଏବଂ ସମସ୍ତ ବ୍ୟାଙ୍କ ମୁଖ୍ୟମାନଙ୍କୁ ଶ୍ରୀ ମୀନା ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ମୁଖ୍ୟ ବ୍ୟାଙ୍କମାନଙ୍କ ଦ୍ୱାରା ଅନନ୍ତପକ୍ଷେ ତିନୋଟି ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ ରାଜ୍ୟର ସମସ୍ତ ଅଞ୍ଚଳକୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ଏବଂ ଏସ୍ବିଆଇ, ୟୁକୋ ବ୍ୟାଙ୍କ ଏବଂ ୟୁନିୟନ୍ ବ୍ୟାଙ୍କ ଏ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି । ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିଥିଲେ ।
କୋଭିଡ୍ ସ୍ଥିତିରୁ ପୁନର୍ବାର ଆର୍ଥିକ କ୍ଷେତ୍ରକୁ ବିକଶିତ କରିବା ପାଇଁ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ମାଧ୍ୟମରେ ପ୍ରଚୁର ଅର୍ଥ ବ୍ୟାଙ୍କମାନଙ୍କୁ ଯୋଗାଇ ଦେଇଥିବାବେଳେ ସଂପୃକ୍ତ ବ୍ୟାଙ୍କମାନେ ଏବଂ ଅଂଶୀଦାରମାନେ ଗ୍ରାମୀଣ ଅର୍ଥନୀତି ତଥା ଆର୍ଥିକ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନେବା ଆବଶ୍ୟକ । କୃଷି, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ ।
ପ୍ରମୁଖ ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସତ୍ୟବ୍ରତ ସାହୁ କହିଥିଲେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ରାଜ୍ୟ ସଂପୂର୍ଣ୍ଣ ଆଗୁଆ ରହିଛି ଏବଂ ଆଗାମୀ ପାଞ୍ଚମାସରେ ସମସ୍ତ ଲକ୍ଷ୍ୟଧାର୍ଯ୍ୟ ହୋଇପାରିବ । ଡିଏଫ୍ଏସ୍ ସଚିବ ଦେବାଶିଷ ପଣ୍ଡା କହିଥିଲେ ବ୍ୟାଙ୍କରମାନେ ଆବେଦନକାରୀଙ୍କ ଋଣ ଆବେଦନଙ୍କୁ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁର କଲେ ହିତାଧିକାରୀମାନେ ଶୀଘ୍ର ଉପକୃତ ହୋଇପାରିବେ । ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି କ୍ଷେତ୍ରରେ ବ୍ୟାଙ୍କରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ପାଇଁ ବ୍ୟାଙ୍କମାନେ ଖୁବ୍ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋଏଲ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମଲ୍ଲ, ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ଚନ୍ଦ୍ରଶେଖର, ଏସ୍ବିଆଇ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଦେ ଏବଂ ୟୁକୋ ବ୍ୟାଙ୍କ ସାଧାରଣ ପରିଚାଳକ ତଥା ଆବାହକ ଶ୍ରୀ ଜେନା ଏବଂ ବିଭିନ୍ନ ବ୍ୟାଙ୍କର ମୁଖ୍ୟଙ୍କ ସମେତ ଏଲ୍ଡିଏମ୍ମାନେ ଉପସ୍ଥିତ ଥିଲେ ।