Home News in Odia ବ୍ୟବହାର ହୋଇପାରୁନି ସ୍ମାର୍ଟସିଟି କେବୁଲ

ବ୍ୟବହାର ହୋଇପାରୁନି ସ୍ମାର୍ଟସିଟି କେବୁଲ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାଜଧାନୀ ସାରା ଖୋଳିତାଡି ନିଜର ଯେଉଁ ଅପ୍ଟିକାଲ ଫାଇବର କେବୁଲ ବିଛାଇଥିଲେ ତାହା ଠିକଣା ଭାବେ ବ୍ୟବହାର ହୋଇପାରୁ ନାହିଁ । ଲକ୍ଷ୍ୟଥିଲା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ ଅନ୍ୟାନ୍ୟ ସଂସ୍ଥାମାନେ ଏହି କେବୁଲକୁ ଭଡା ସୂତ୍ରରେ ନେବେ ଏବଂ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏଥିରୁ ଦୀର୍ଘକାଳୀନ ଭିତ୍ତିରେ ଭଲ ଲାଭପାଇବେ । ହେଲେ ବିଭିନ୍ନ ଟେଲି ଯୋଗାଯୋଗ କମ୍ପାନୀକୁ ସହରସାରା କେବୁଲ ବିଛାଇବା ଓ ଟାଣିବାପାଇଁ ଅନୁମତି ଦେଇଦିଆଯିବାରୁ ସ୍ମାର୍ଟସିଟିର ଏହି ଯୋଜନା ଏକ ପ୍ରକାର ଅକାମୀ ହୋଇଯାଇଛି ।

ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାଜଧାନୀରେ ୮୬୪ କିଲୋମିଟରର ଅପ୍ଟିକାଲ ଫାଇବର ବିଛାଇଛନ୍ତି । ଏହାବାଦ୍‍ ୨୮,୮୦୦ କିଲୋମିଟର ସିଙ୍ଗଲ ପେୟାର କେବୁଲ ବି ଲିଜ୍‍ ପାଇଁ ଉପଲବ୍ଧ ଅଛି । ତେବେ ଏହିସବୁ କେବୁଲ ମଧ୍ୟରୁ ମାତ୍ର ୨୦୦୦ କିଲୋମିଟର କେବୁଲକୁ ସ୍ମାର୍ଟସିଟି ଭଡାରେ ଲଗାଇଛି ଏବଂ ଏଥିରୁ ବର୍ଷକୁ ୨କୋଟି ଟଙ୍କାର ରାଜସ୍ୱ ପାଉଛି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ବିଛାଇଥିବା ଡାର୍କ ଫାଇବର କେବୁଲର ମାତ୍ର ୮ ପ୍ରତିଶତ ଲିଜ୍‍ରେ ଦିଆଯାଇଥିବା ଜଣାଯାଇଛି ।

ସ୍ମାର୍ଟସିଟିର ଅପ୍ଟିକାଲ ଫାଇବର ସଂକ୍ରାନ୍ତରେ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ରାଜଧାନୀରେ ଅନ୍ୟ ସଂସ୍ଥାକୁ ଅପ୍ଟିକାଲ ଫାଇବର ବିଛାଇବାପାଇଁ ଅନୁମତି ଦେବାରୁ ଏଭଳି ଅବସ୍ଥା ଉପୁଜିଛି । ସେମାନେ ନିଜସ୍ୱ କେବୁଲ ବିଛାଇବା ଯୋଗୁଁ ସ୍ମାର୍ଟସିଟି କେବୁଲକୁ ଆଉ ଲିଜ୍‍ ନେଇ ନାହାନ୍ତି । ତେବେ ଏଥିରେ ବିଦ୍ୟୁତ୍‍ ବିଭାଗ ଲାଭବାନ୍‍ ହୋଇଥିବା ଜଣାଯାଇଛି । ଯେଉଁସବୁ ସଂସ୍ଥା ବିଦ୍ୟୁତ୍‍ ଖୁଣ୍ଟରେ ସେମାନଙ୍କର କେବୁଲ ବିଛାଇଛନ୍ତି, ଖୁଣ୍ଟ ପିଛା ଅର୍ଥ ପଇଠ କରୁଛନ୍ତି । ଏ ବାବଦରେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ।

ତେବେ ରାଜଧାନୀରେ ଥିବା ବିଭିନ୍ନ ସଂସ୍ଥାମାନେ ନିୟମିତ ଭାବେ ସ୍ମାର୍ଟସିଟି କେବୁଲ ଛିଣ୍ଡାଇ ଦେଉଥିବାରୁ ଏ ବାବଦରେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଢେର କ୍ଷତି ସହୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ପ୍ରାୟ ୧୫୦ କିଲୋମିଟରର ଅପ୍ଟିକାଲ କେବୁଲ କ୍ଷତିଗ୍ରସ୍ତ ହୋଇଛି । ଏ ବାବଦରେ ପ୍ରାୟ ୩୦କୋଟି ଟଙ୍କା କ୍ଷତି ହୋଇ ସାରିଲାଣି । ସହରରେ ଥିବା ଅନ୍ୟ ସଂସ୍ଥାଗୁଡିକ ବେଆଇନ୍‍ ଭାବେ ଖୋଳାତଡା କରୁଥିବାରୁ ସ୍ମାର୍ଟସିଟି କେବୁଲର ଏଭଳି ଅବସ୍ଥା ହୋଇଛି ।

ବର୍ତ୍ତମାନ ସ୍ମାର୍ଟସିଟି ମିଶନର ଅବଧି ସରିଥିବାବେଳେ ଏହି ଅପ୍ଟିକାଲ କେବୁଲର ରକ୍ଷଣା ବେକ୍ଷଣ କିଭଳି ହେବ ତାହା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସହରରେ ବିଭିନ୍ନ ଘରୋଇ ସଂସ୍ଥା ନିଜର କେବୁଲ ବିଛାଇ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ ଠିକଣା ନୀତି ଅଭାବରୁ ସରକାରୀ କେବୁଲ ମାଟିତଳେ ବେକାର ହୋଇ ପଡିରହିଛି । (ତଥ୍ୟ)