ଭୁବନେଶ୍ୱର : ସ୍ମାର୍ଟସିଟି ଅର୍ଥରେ ରାଜଧାନୀରେ ସ୍ଥାପନ ହୋଇଥିବା କିଓସ୍କ ପାଲଟିବ ବିଜ୍ଞାପନ ଖମ୍ବ । ଏଥିରୁ ଅର୍ଥ ଆଦାୟ କରିବାକୁ ଏବେ ଲକ୍ଷ୍ୟ ରଖିଛନ୍ତି ସରକାର ।
ଏହି କିଓସ୍କ ସ୍ଥାପନ ସମୟରେ ଲକ୍ଷ୍ୟ ଥିଲା ଏହା ଜରିଆରେ ଲୋକେ ସମସ୍ତ ପ୍ରକାର ବିଲ୍ ପଇଠ ସହିତ ସୂଚନା ପାଇପାରିବେ । ହେଲେ କୋଟି କୋଟି ଟଙ୍କାର ବ୍ୟୟରେ ଏହାକୁ ସ୍ଥାପନ ସମୟରେ ଆଗପଛ ବିଚାରିଲେ ନାହିଁ । ଏହାକୁ ଲୋକେ ବ୍ୟବହାର କରିବେ କି ନାହିଁ ତାହାର ବି କୌଣସି ସର୍ଭେ ହେଲାନାହିିଁ । ଏବେ ସ୍ମାର୍ଟସିଟି ଅବଧି ସରିବାରୁ ଏଗୁଡିକୁ କ’ଣ କରାଯିବ ତାହାକୁ ନେଇ ଆଲୋଚନା ଚାଲିଛି ।
ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାଜଧାନୀ ୨୫ଟି ସ୍ଥାନରେ ଏଭଳି ସ୍ମାର୍ଟ କିଓସ୍କ ସ୍ଥାପନ କରିଥିଲେ । ଏଥିରେ ଇଣ୍ଟରନେଟ୍ ସଂଯୋଗ ସହିତ ଟଚ୍ ସ୍କ୍ରିନ୍ ରହିଥିଲା । ଏହା ଜରିଆରେ ରାଜଧାନୀବାସୀ ପାଣି ବିଲ୍ ଠାରୁ ଆରମ୍ଭ କରି ବିଜୁଳି ବିଲ୍ ପର୍ଯ୍ୟ ପଇଠ କରିପାରିବେ ବୋଲି କୁହାଯାଇଥିଲା । ଯେଉଁମାନେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ମାଧ୍ୟମରେ ଏହା ଜରିଆରେ ବିଲ୍ ପଇଠ କରିବେ ସେଥିପାଇଁ ବ୍ୟବସ୍ଥା ଥିଲା ।
ରାଜଧାନୀର ପ୍ରମୁଖ ସ୍ଥାନଗୁଡିକରେ ଏହା ସ୍ଥାପନ ହୋଇଥିଲା । ସ୍ଥାପନ ପରେ ଏଥିପ୍ରତି ଲୋକେ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ । ହେଲେ ଅନେକ ଏହାକୁ ସହଜରେ ଚଳାଇ ପାରିଲେ ନାହିଁ । ସିସିଟିଭି ସଂଯୋଗ ସତ୍ୱେ ବି ଅଳ୍ପଦିନ ପରେ ଲୋକେ ଏଥିରୁ କିଛି ସାମଗ୍ରୀ ଚୋରାଇନେଲେ । ଏପରିକି କାର୍ଡ ଭର୍ତ୍ତିକରିବା ସ୍ଥାନରେ ତାର ଓ କାଠି ଆଦି ଭର୍ତ୍ତିକଲେ । ଅଳ୍ପ ଦିନ ପରେ ଏହି କିଓସ୍କ ଖରାପ ହୋଇଗଲା । ହେଲେ କର୍ତ୍ତୃପକ୍ଷ ତାକୁ ଆଉ ଚଳାଇଲେ ନାହିଁ ।
ବର୍ତ୍ତମାନ ସ୍ମାର୍ଟସିଟି ଅବଧି ସରୁଥିବାରୁ ଏଗୁଡିକୁ କ’ଣ କରାଯିବ ସେଥିପାଇଁ ଆଲୋଚନା ହୋଇଥିଲା । ଏଥିରୁ ଜଣାପଡିଛି ଯେ ଏହି କିଓସ୍କ ସ୍ଥାପନ ପରେ ସହରରେ ଜିଓ ପ୍ରବେଶ କରିବା ସହିତ ମାଗଣା ଇଣ୍ଟରନେଟ୍ ଡାଟା ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା । ଲୋକେ ଆଉ ଏହାକୁ ବ୍ୟବହାର କଲେ ନାହିଁ ।
ଯେହେତୁ ଏହି କିଓସ୍କଗୁଡିକ ପ୍ରମୁଖ ସ୍ଥାନଗୁଡିକରେ ଛିଡା ହୋଇଛି ତେଣୁ ଏଥିରୁ କିଛି ରାଜସ୍ୱ ଆଦାୟ ପାଇଁ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି କିଓସ୍କଗୁଡିକୁ ପିପିପି ମୋଡ୍ରେ ବିଜ୍ଞାପନ ଖୁଣ୍ଟରେ ରୂପାନ୍ତରଣ କରାଯିବାପାଇଁ ପ୍ରସ୍ତାବ ରହିଛି । ଏହାଦ୍ୱାରା ରାଜସ୍ୱ ମିଳିବା ସହିତ ଏହାର ରକ୍ଷଣା ବେକ୍ଷଣ ହୋଇପାରିବ । ସହରର ବିଭିନ୍ନ ସ୍ଥାନରେ ଖୋଲା ସ୍ଥାନରେ ୨୫ଟି କିଓସ୍କ ସ୍ଥାପନ ହୋଇଥିବାବେଳେ ଆଉ ୫୦ଟି ଇନ୍ଡୋର୍ କିଓସ୍କ ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଛି । ଏଗୁଡିକୁ ମଧ୍ୟ ପିପିପି ମୋଡରେ ବିଜ୍ଞାପନ କାମରେ ଲଗାଇବାକୁ ସ୍ଥିର ହୋଇଛି । ପ୍ରସ୍ତାବ ଅନୁଯାୟୀ ଏହି ପ୍ରକଳ୍ପ ଲାଗି ୬.୧୬ କୋଟି ଟଙ୍କା ବ୍ୟୟ ହେବ ଏବଂ ରକ୍ଷଣା ବେକ୍ଷଣ ବାବଦରେ ଆଉ ୧.୨୦ କୋଟି ଟଙ୍କା ଆବଶ୍ୟକ ହେବ ।
ତେବେ ସ୍ମାର୍ଟସିଟି ଯୋଜନାରେ ଲାଗିଥିବା ଏହି ଅଚଳ କିଓସ୍କଗୁଡିକରୁ ସରକାର କିଭଳି ରାଜସ୍ୱ ଆଦାୟ କରୁଛନ୍ତି ଓ ଏହି ଯୋଜନା କେତେ ଫଳପ୍ରଦ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)