ଭୁବନେଶ୍ୱର : ସୁନ୍ଦରଗଡ ଜିଲ୍ଲାରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହୋଇଥିବା ଖଣି ଦୁର୍ନୀତି ବାବଦୀୟ ସମ୍ପୂର୍ଣ୍ଣ ଜୋରିମାନା ଆଦାୟ ହୋଇପାରି ନାହିଁ । ଏ ବାବଦରେ ୨୭୦୦ କୋଟି ଟଙ୍କାରୁ ଅଧିକ ଅର୍ଥ କମ୍ପାନୀମାନେ ଦେଉନଥିବାରୁ ସାର୍ଟିଫିକେଟ ମାମଲା ରୁଜୁ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଖଣି ଦୁର୍ନୀତି ନେି ୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଅଦାଲତ ଏକ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି ଗଠନ କରି ଖଣି ଦୁର୍ନୀତି ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ ପାଇଁ କହିଥିଲେ । ଏହି ବହୁ ଚର୍ଚ୍ଚିତ ଖଣି ଦୁର୍ନୀତିର ରିପୋର୍ଟ କମିଟି ସେହିବର୍ଷ ଅକ୍ଟୋବର ମାସରେ ଅଦାଲତରେ ଦାଖଲ କରିଥିଲେ ।
ଅଦାଲତ ୨୦୧୭ ମସିହାରେ ରାୟରେ କହିଥିଲେ ଯେ ଯେଉଁ ଖଣି ପଟ୍ଟାଦାର ଲୁହା ଓ ମାଙ୍ଗାନିଜ ଖଣିର ଅନୁମତି ନପାଇ ଓ ଜଙ୍ଗଲ ଓ ପରିବେଶ ଅନୁମତିର ଉଲ୍ଲଙ୍ଘନ କରି ଖଣି ଖନନ କରିଛନ୍ତି ସେମାନେ ଖଣିଜର ସମ୍ପୂର୍ଣ୍ଣ ମୂଲ୍ୟ କ୍ଷତିପୂରଣ ଆକାରରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ଏହି ମର୍ମରେ ଖିଲାପକାରୀ ଖଣି ପଟ୍ଟାଧାରୀଙ୍କ ଉପରେ ଜୋରିମାନା ଲାଗିଥିଲା ।
ପଟ୍ଟାଦାରମାନଙ୍କ ଉପରେ ଜଙ୍ଗଲ ଓ ପରିବେଶ ଆଇନ୍ ଉଲ୍ଲଙ୍ଘନ ପାଇଁ ଜୋରିମାନା ବାବଦରେ ୧୮୧୬୯ କୋଟିରୁ ଅଧିକ ଅର୍ଥ ଲାଗିଥିବାବେଳେ ସେମାନଙ୍କ ଠାରୁ ପ୍ରାୟ ୧୬,୧୦୪ କୋଟି ଟଙ୍କା ଆଦାୟ ହୋଇଥିଲା । ସେହିଭଳି ଏମପି/ସିଟିଓ ଉଲ୍ଲଙ୍ଘନ ବାବଦରେ ପ୍ରାୟ ୧୮୯୧ କୋଟି ଟଙ୍କାର ଜୋରିମାନା ଲାଗିଥିବାବେଳେ ସେମାନଙ୍କ ଠାରୁ ପାଖପାଖି ୧୧୦୨ କୋଟି ଟଙ୍କା ଆଦାୟ କରାଯାଇଥିଲା ।
ବର୍ତ୍ତମାନ ସୁଦ୍ଧା ଏ ବାବଦରେ ୨୭୧୯ କୋଟି ଟଙ୍କା ଅନାଦେୟ ରହିଛି । ଟଙ୍କା ଦେଇନଥିବା ୨୩ଜଣ ଖଣି ପଟ୍ଟାଦାରମାନଙ୍କ ବିରୁଦ୍ଧରେ ସାର୍ଟିଫିକେଟ ମାମଲା ରୁଜୁ ସହିତ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଜୋରିମାନା ଅର୍ଥ ଆଦାୟ ନିମନ୍ତେ ଦାୟିତ୍ୱ ଦିଆଯାଇଛି । ତେବେ ପଟ୍ଟାଦାରମାନେ ଆଇନ୍ ଅଦାଲତର ଆଶ୍ରୟ ନେଇଥିବାରୁ ସେମାନଙ୍କ ଠାରୁ ଜୋରିମାନା ଅର୍ଥ ଆଦାୟ କରିବା ଏତେ ସହଜ ହେଉନାହିଁ ।
ବହୁ ଚର୍ଚ୍ଚିତ ଖଣି ଦୁର୍ନୀତି ଜନମାନସରୁ ଧିରେ ଧିରେ ଅପସରି ଯାଉଥିବାବେଳେ ଏବେ ସୁନ୍ଦରଗଡ ଖଣି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ବେଆଇନ୍ ଭାବେ ଜଙ୍ଗଲ ଜମିରୁ କୋଟି କୋଟି ଟଙ୍କାର କୋଇଲା ଲୁଟ୍ ହୋଇଥିବାର ଅଭିଯୋଗ ଆସିଛି । ବର୍ତ୍ତମାନ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟି ସୁନ୍ଦରଗଡ ଖଣି ଦୁର୍ନୀତିର ତଦନ୍ତ କେଉଁଭଳି ଭାବେ କରୁଛି ଏବଂ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)