ଟୋକିଓ : ଜାପାନ ଜାଣିଲା ପହଲଗାମ୍ ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ଅସଲ କାହାଣୀ । ବିଦେଶ ଗସ୍ତରେ ଥିବା ଭାରତୀୟ ସାଂସଦ ଓ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ରାଷ୍ଟ୍ର ଗସ୍ତ ଅବସରରେ ଜାପାନ ଗସ୍ତ କରିଛନ୍ତି । ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଜାପାନ ଯାଇଥିବା ଟିମ୍ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରବାସୀ ଭାରତୀୟଙ୍କୁ ଅପରେସନ୍ ସିନ୍ଦୂର ସଂପର୍କରେ ସବିଶେଷ ଜଣାଇଛନ୍ତି ।
ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କ ଉଦ୍ୟମରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିଲା । ବୈଠକରେ ପ୍ରବାସୀ ଭାରତୀୟଙ୍କ ଆଗରେ , ଗତ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାଁଓରେ ଆତଙ୍କବାଦୀ ଆକ୍ରମଣ କିପରି ହୋଇଥିଲା, ପାକ୍ ପ୍ରାୟୋଜିତ ଆତଙ୍କୀ କାଣ୍ଡରେ କିପରି ୨୬ ନିରୀହ ପର୍ଯ୍ଯଟକଙ୍କ ପ୍ରାଣହାନି ଘଟିଲା, ଏହା କିପରି ହୃଦୟ ବିଦାରକ ରହିଥିଲା, ସେ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରା ଘଟଣା କହିଥିଲେ ।
ଭୁବନେଶ୍ବର ସାଂସଦ ଅପରାଜିତା କହିଥିଲେ, ଚଳିତ ଶତାବ୍ଦୀର ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା । ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ଆକ୍ରମଣରେ ସାମିଲ ଥିବା ସ୍ପଷ୍ଟ ହେବା ପରେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ମହିଳାଙ୍କ ମଥାରୁ ସିନ୍ଦୂର ଲିଭାଇ ଦେଇଥିବା ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ, ପାକିସ୍ତାନରେ ସିଧା ଆତଙ୍କବାଦୀଙ୍କ ଗଡ଼ରେ ପଶି ପ୍ରହାର କରିଥିଲା ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ମେ ୭ରେ ପାକିସ୍ତାନରେ ଥିବା କୁଖ୍ୟାତ ଆତଙ୍କୀ ସଙ୍ଗଠନ ଜୈସ ଇ ମହମ୍ମଦ ଓ ଲସ୍କର ଇ ତୋଇବାର ୯ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଥିଲା । ଏଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ, କିନ୍ତୁ କୌଣସି ବେସାମରିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇ ନ ଥିଲା ।
ଟୋକିଓରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ପାକିସ୍ତାନ ବିଭିନ୍ନ ସମୟରେ ବିନାକାରଣରେ ଭାରତରେ ଅସ୍ଥିରତା ସୃଷ୍ଟି ଲାଗି ବିଫଳ ପ୍ରୟାସ କରିଛି । ୧୯୪୭, ୧୯୪୮, ୧୯୬୫, ୧୯୯୯ ଯୁଦ୍ଧ ଓ ୨୦୦୮ ମୁମ୍ବାଇ ବିସ୍ଫୋରଣ ଏହାର ବଡ଼ ପ୍ରମାଣ । ସେହିପରି ୨୦୧୬ ପଠାନକୋଟ୍ ଓ ଉରିରେ ହୋଇଥିବା ଆତଙ୍କୀ ହମଲା, ୨୦୧୯ ପୁଲଓ୍ୱା ଆକ୍ରମଣ ଏବଂ ପହଲଗାଁଓ ଆକ୍ରମଣ ପାକ୍ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ୱାରା ପ୍ରାୟୋଜିତ । ଅପରେସନ୍ ସିନ୍ଦୂର ମାଧ୍ଯମରେ ପାକିସ୍ତାନକୁ ଉଚିତ ଜବାବ ଦିଆଯାଇଛି ।
୨୦୧୯ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ କରାଗଲା । କାଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଆତଙ୍କବାଦ୍ର ବିଲୋପ ଘଟାଇ ବିକାଶର ଧାରା ତ୍ୱରାନ୍ବିତ କରିବା ଏହାର ଉଦ୍ଦେଶ୍ଯ ଥିଲା । ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶର ଗତି ଆଗେଇ ଚାଲିଛି । ଗଣତାନ୍ତ୍ରିକ ପଦ୍ଧତିରେ ସରକାର ନିର୍ବାଚିତ ହୋଇଛନ୍ତି । କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ହେବା ପାକିସ୍ତାନ କର୍ତ୍ତୃପକ୍ଷ ଚାହାନ୍ତି ନାହିଁ । ତେଣୁ ଆତଙ୍କବାଦୀଙ୍କ ମାଧ୍ଯମରେ ଅସ୍ଥିରତା ସୃଷ୍ଟିକରିବାକୁ ପ୍ରୟାସ ଚଳାଇଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।
ଶନିବାର ଛୁଟିଦିନ ଥିବାରୁ ଆପଣମାନଙ୍କ ସହିତ ଏକାଠି ହେବାର ସୁଯୋଗ ମିଳିଲା ବୋଲି ଖୁସି ବ୍ୟକ୍ତ କରି ସାଂସଦ ଅପରାଜିତା ଷଡଙ୍ଗୀ କହିଥିଲେ, ମୁଁ ଜଗନ୍ନାଥଙ୍କ ଦେଶରୁ ଆସିଛି । ଜଗନ୍ନାଥଙ୍କ ରଥକୁ ସମସ୍ତେ ମିଳିମିଶି ଆଗକୁ ଟାଣିନିଅନ୍ତି । ସେହିପରି ଭାରତର ବିକାଶ ରଥକୁ ଆମେ ସମସ୍ତେ
ମିଶି ଆଗେଇ ନେବା । ୨୦୨୫-୨୬ରେ ୫୦ରୁ ୫୫ ଲକ୍ଷ ଟଙ୍କା ନିବେଶ ଦ୍ବାରା ବିକାଶ ରଥ ତ୍ୱରାନ୍ବିତ ହେବ । ବିକାଶରେ ସମସ୍ତଙ୍କ ସହଭାଗିତା ଆବଶ୍ୟକ । ପ୍ରବାସୀଙ୍କ ମଧ୍ଯରେ ଅନେକ ଓଡ଼ିଆ ଅଛନ୍ତି, ଓଡ଼ିଶାର ସାଂସଦଭାବେ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଭାରତ ମାତା କି ଜୟରୁ ଭାଷଣ ଆରମ୍ଭ କରିବା ସହିତ ଭାରତ ମାତା କି ଜୟରେ ବକ୍ତବ୍ୟ ଶେଷ କରିଥିଲେ । ଜାପାନର ଟୋକିଓରେ ପ୍ରବାସୀ ଭାରତୀୟମାନେ ଶ୍ରମତୀ ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।