ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ଓଡ଼ିଶାରେ ଚାଲିଛି ସାପ-ସିଡ଼ି ଖେଳ । କେତେବେଳେ ଏହି ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ବଢ଼ିଯାଉଛି ତ ପୁଣି କେତେବେଳେ କମିଯାଉଛି । ତେବେ ସଂରକ୍ଷଣ ତାତିରୁ ରାଜନୈତିକ ରୁଟି ସେକିବା ଲାଗି ବିଭିନ୍ନ ଦଳ ରାଜନୈତିକ ବୟାନବାଜି ଜାରି ରଖିଛନ୍ତି ।
ଏ ପ୍ରସଂଗ ବାରମ୍ବାର ଆଇନ୍ ଅଦାଲତରେ ନିଷ୍ପତ୍ତି ହୋଇସାରିଛି ଏବଂ ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ଆଇନ୍ ବି ରାୟ ଆଧାରରେ ଅକାମୀ ହୋଇଛି । ଏହାସବୁ ଜାଣି ବି ପଛୁଆ ବର୍ଗଙ୍କ ଲାଗି ୨୭ ପ୍ରତିଶତ ଆସନ ସଂରକ୍ଷଣ ଓଡ଼ିଶା ସରକାର କରିବା ପାଇଁ ଦାବି ଉଠୁଛି । ବିରୋଧୀ ଦଳରେ ଥିବାବେଳେ ବିଜେପି ୨୭ ପ୍ରତିଶତ ପ୍ରସଂଗ ଉଠାଉଥିବା ବେଳେ ଏବେ ଉଭୟ କଂଗ୍ରେସ ଓ ବିଜେଡି ସମାନ ପ୍ରସଂଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ପ୍ରାରମ୍ଭରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଜନସଂଖ୍ୟା ଅନୁପାତ ଆଧାରରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକରେ ୧୦ବର୍ଷ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ସମୟସୀମା ବାରମ୍ବାର ବଢ଼ା ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ଜାତୀୟ ସ୍ତରରେ ଏସ୍ସି ଓ ଏସ୍ଟି ବର୍ଗଙ୍କୁ ଜନସଂଖ୍ୟା ଆଧାରରେ ମୋଟ ୨୨.୫ ପ୍ରତିଶତ ସଂରକ୍ଷଣ ଦିଆଯାଉଥିବା ବେଳେ ଓଡ଼ିଶାରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ଅଧିକ ରହିଥିବାରୁ ଏମାନଙ୍କ ପାଇଁ ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଅଛି ।
୭୦ ଦଶକରେ ଜନତା ପାର୍ଟି ସରକାର ବେଳେ ବି.ପି. ମଣ୍ଡଳଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ପ୍ରସଂଗରେ ଏକ କମିଶନ ବସିଥିଲା । ଏହି କମିଶନ ମଣ୍ଡଳ କମିଶନ ନାମରେ ଖ୍ୟାତ । ଏହି କମିଶନଙ୍କ ରିପୋର୍ଟ ପ୍ରାୟ ୧୦ବର୍ଷ ଧରି କଂଗ୍ରେସ ସରକାର ଅମଳରେ ନଥିରେ ବନ୍ଧା ହୋଇ ରହିଥିଲା ଏବଂ ୧୯୮୯ ମସିହାରେ ଭି.ପି. ସିଂହଙ୍କ ସରକାର ଆସିବା ପରେ ତାହାକୁ କାର୍ଯ୍ୟକାରୀ କରି ପଛୁଆ ବର୍ଗ ବା ଓବିସିଙ୍କ ଲାଗି ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବାରୁ ସାରା ଦେଶରେ ଉତ୍ତେଜନାମୂଳକ ପରିସ୍ଥିିତି ସୃଷ୍ଟି ହେବା ସହିତ ସୁପ୍ରିମକୋର୍ଟରେ ମାମଲା ଚାଲିଲା । ସୁପ୍ରିମକୋର୍ଟଙ୍କ ଏକ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମୋଟାମୋଟି ଭାବେ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ଟପିପାରିବ ନାହଁ ବୋଲି କହିବାରୁ କେନ୍ଦ୍ର ସରକାର ଏହାକୁ ମାନି ନେଇ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ।
ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ଜନତା ଦଳ ନେତା ବିଜୁ ପଟ୍ଟନାୟକ ଗରିବଙ୍କ ଜାତି ନାହିଁ ବୋଲି ଖୋଲା ମନ୍ତବ୍ୟ ଦେବା ସହ ମଣ୍ଡଳ କମିଶନ ପରିବର୍ତ୍ତେ ରାଜ୍ୟ ସରକାର ଜଷ୍ଟିସ ନବ କୁମାରଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ କମିଶନ ବସାଇଥିଲେ ଏବଂ ଏହି କମିଶନଙ୍କ ସୁପାରିସ ଆଧାରରେ ୧୯୯୩ ମସିହାରେ ଏସ୍ଇବିସିଙ୍କ ଲାଗି ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସରକାରୀ ଚାକିରି କ୍ଷେତ୍ରରେ ଲାଗୁ କରିଥିଲେ । ତେବେ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ୧୯୯୪ ମସିହାରେ ଓଡ଼ିଶା ସରକାର ଏହି ସୀମାକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାରେ ଏହା ବିରୋଧରେ ଅନେକ ମାମଲା ରୁଜୁ ହୋଇଥିଲା । କୁମାରୀ ହରପ୍ରିୟା ଦାସଙ୍କ ମାମଲାରେ ସ୍ୟାଟ୍ ଓ ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ ସୀମା ରଖିବାକୁ ଯେଉଁ ରାୟ ଦେଇଥିଲେ ତାହା ସୁପ୍ରିମକୋର୍ଟରେ କାଏମ ରହିଲା । ଫଳରେ ପୁଣି ଏସ୍ଇବିସିଙ୍କ ସଂରକ୍ଷଣ ୧୧.୨୫ ପ୍ରତିଶତକୁ ଖସି ଆସିଥିଲା ।
ବିଜେଡି-ବିଜେପି ମିଳିତ ସରକାର ସମୟରେ ବିଧାନସଭାରେ ଏକ ବିଧେୟକ ଆଣି ୨୦୦୮ ମସିହାରେ ପୁଣି ଏସ୍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ରାଜ୍ୟ ସରକାର କରିଥିବା ବ୍ୟବସ୍ଥା ଅମର ଛାଟୋଇ ମାମଲାରେ କାଟ୍ ଖାଇଯିବାରୁ ସରକାର ପୁଣି ଏହାକୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଏ ସଂକ୍ରାନ୍ତରେ ସ୍ୟାଟ୍ଙ୍କ ରାୟ ହାଇକୋର୍ଟ କାଏମ ରଖିଥିବା ବେଳେ ସରକାର ସୁପ୍ରିମକୋର୍ଟ ଯାଇ ଗୁଡ଼ିଏ ପଇସା ମଧ୍ୟ ଖର୍ଚ୍ଚ କଲେଣି । ଏଭଳି ସ୍ଥିତିରେ ଏବେ ପୁଣି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୭ ପ୍ରତିଶତ ସଂରକ୍ଷଣ ଦାବି ଉଠୁଛି । ତେବେ ଆଇନ୍ ବିଶାରଦମାନେ କହୁଛନ୍ତି ଏ ସଂକ୍ରାନ୍ତରେ ଇନ୍ଦ୍ରା ସାୱାନୀ, ଏମ୍ ନାଗରାଜ, ଆରକେ ସବରୱାଲ୍, ଅଜିତ ସିଂହ, ବୀରପାଲ୍ ସିଂ ଚୌହ୍ୱାନ, ଭରତ ମାଝୀ, ଇନ୍ଦୁଭୂଷଣ ନାୟକ, ଅମର ଛାଟୋଇ, ଲଳିତ କୁମାର ନାୟକ, ଅନୁଶ୍ରବ ଗନ୍ତାୟତ, ପ୍ରଭାକର ମଲ୍ଳିକ, ହରପ୍ରିୟା ଦାସ, ଜର୍ଣ୍ଣେଲ ସିଂ ଆଦି ମାମଲାରେ ଆଇନ୍ ଅଦାଲତଙ୍କ ରାୟକୁ ଅଣଦେଖା କରି କେବଳ ରାଜନୈତିକ ବିବୃତିବାଜି ଚାଲୁଛି । (ତଥ୍ୟ)