ଭୁବନେଶ୍ୱର : ନୀତି ଆୟୋଗର ପୂର୍ବତନ ମୁଖ୍ୟ ଅମିତାଭ କାନ୍ତ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରି ଏହାର ଇକୋଟୁରିଜିମକୁ ଭାରତର ସର୍ବୋତ୍ତମ ଇକୋଟୁରିଜିମ ଭାବରେ ପ୍ରଶଂସା କରିଛନ୍ତି । ସେ ଦେବ୍ରିଗଡ଼ ଇକୋଟୁରିଜିମ ଗୋଷ୍ଠିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦେବ୍ରିଗଡ଼ ଅଭୟାରଣ୍ୟରେ କାର୍ଯ୍ୟ କରୁଥିବା ଗୋଷ୍ଠି ଇକୋଟୁରିଜିମ ମଡେଲକୁ ପ୍ରଶଂସା କରିଥିଲେ ଯେଉଁଠାରେ ଜଙ୍ଗଲ ଉପରେ ର୍ନିଭରଶୀଳ ୮୫ ଟି ପରିବାର ବିଭିନ୍ନ ଇକୋଟୁରିଜିମ କାର୍ଯ୍ୟକଳାପରୁ ସେମାନଙ୍କର ଜୀବିକା ଅର୍ଜନ କରୁଛନ୍ତି ।
ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀ, ହୀରାକୁଦ କ୍ରୁଜ୍, ଟ୍ରେକିଂ, ହାଇକିଂ, କାୟାକିଂ, ବନ୍ୟପ୍ରାଣୀ ଉପରେ କାହାଣୀ କହିବା, ପକ୍ଷୀ ଦେଖିବା ଇତ୍ୟାଦି ଅଧିବେଶନ ଏହି ସମ୍ପ୍ରଦାୟ ସଦସ୍ୟମାନେ କରନ୍ତି । ଦେବ୍ରିଗଡ଼ରେ ପର୍ଯ୍ୟଟକଙ୍କ ରାତ୍ରି ରହଣି ପାଇଁ ୨୦ ଟି କଟେଜ ଉପଲବ୍ଧ, ଯେଉଁଥିରେ କାଚ ଛାତ ସହିତ ୬ ଟି ଷ୍ଟାରଗେଜିଂ ରୁମ ଅନ୍ତର୍ଭୁକ୍ତ ।
ଦେବ୍ରିଗଡ଼ରେ କାର୍ଯ୍ୟରତ ପ୍ରତ୍ୟେକ ଗୋଷ୍ଠିର ସଦସ୍ୟ ପ୍ରତି ମାସରେ ୧୩ ରୁ ୧୫ ହଜାର ଟଙ୍କା ରୋଜଗାର କରିପାରିବେ । ମହିଳା ସଫାରୀ ଡ୍ରାଇଭର ଏବଂ ଇକୋଗାଇଡ୍ ସହିତ ୪୦% ମହିଳା ଇକୋଟୁରିଜିମରେ ମଧ୍ୟ ନିଯୁକ୍ତି ପାଇଛନ୍ତି । ଦେବ୍ରିଗଡ଼ ଅଭୟାରଣ୍ୟରେ ସମସ୍ତ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଅଭୟାରଣ୍ୟ ଭିତରେ ବର୍ତ୍ତମାନ କୌଣସି ମଣିଷ-ପଶୁ ସଂଘର୍ଷ ନାହିଁ ।
ବୈଜ୍ଞାନିକ ଆବାସ ପରିଚାଳନା କାର୍ଯ୍ୟ ବନ୍ୟପ୍ରାଣୀ ସଂଖ୍ୟାକୁ ସୁଦୃଢ଼ କରିଛି, ସମ୍ବର, ହରିଣ, ଭାଲୁ ଇତ୍ୟାଦିଙ୍କ ସହିତ ପ୍ରତିଦିନ ପର୍ଯ୍ୟଟକମାନେ ଭାରତୀୟ ଗୟଳର ବଡ଼ ବଡ଼ ପଲ ଦେଖୁଛନ୍ତି । ହୀରାକୁଦରେ ୧୮ଟି କ୍ରୁଜ୍ ଡଙ୍ଗା ମଧ୍ୟ କାର୍ଯ୍ୟକ୍ଷମ ଅଛି ଯାହା ବାଉଁଶ ଏବଂ ତାଳ ଗଛରେ ତିଆରି ଏକ ଗୋଷ୍ଠି ପରିଚାଳିତ ଆଇଲ୍ୟାଣ୍ଡ କାଫେ ସହିତ କାର୍ଯ୍ୟ କରୁଛି । ଏହା ବ୍ୟତୀତ, ଗୋବିନ୍ଦପୁର ପକ୍ଷୀ ଗ୍ରାମ, ଧୋଡ୍ରୋକୁସୁମ ସବୁଜ ଗ୍ରାମ, ବୀର ସୁରେନ୍ଦ୍ର ସାଏ ସ୍ମାରକୀ ଇତ୍ୟାଦି ମଧ୍ୟ ସ୍ଥାନୀୟ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ । କିଛି ଶିକାରୀ ଏଠାରେ ଇକୋଗାଇଡ୍ ଭାବରେ ନିଯୁକ୍ତ ଅଛନ୍ତି ।
୨୦୨୪-୨୫ ବର୍ଷ ମଧ୍ୟରେ, ଦେବ୍ରିଗଡ଼ ଇକୋଟୁରିଜିମ୍ ସର୍ବାଧିକ ୫.୧୧ କୋଟି ଟଙ୍କା ରାଜସ୍ୱ ଅର୍ଜନ କରିଛି । ଇକୋଟୁରିଜିମ୍ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସେମାନଙ୍କ ମଜୁରୀ ଭାବରେ ୩୫% ବାଣ୍ଟି ଦିଆଯାଏ, ୨୫% ପୁନରାବୃତ୍ତି ଖର୍ଚ୍ଚ ପାଇଁ, ୧୦% ଭିତ୍ତିଭୂମି ବିକାଶ ପାଇଁ, ୧୦% ଗ୍ରାମ ବିକାଶ ପାଇଁ, ୨୦% ସମ୍ପ୍ରଦାୟ ସଦସ୍ୟଙ୍କ ତାଲିମ ଏବଂ କ୍ଷମତା ର୍ନିମାଣ ପାଇଁ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କର୍ପସ୍ ପାଣ୍ଠିକୁ ଦିଆଯାଏ । ଏଥିରୁ ୧୦୦% ରାଜସ୍ୱ ସମ୍ପ୍ରଦାୟକୁ ଫେରିଯାଏ । ଏହା ସ୍ଥାନୀୟ ସମ୍ପ୍ରଦାୟକୁ ଇକୋଟୁରିଜିମରେ ପ୍ରମୁଖ ଅଂଶୀଦାର କରିଥାଏ ଯାହା ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣକୁ ସୁଦୃଢ଼ କରିଥାଏ ।
ଇକୋଟୁରିଜିମରେ ଗୋଷ୍ଠିର ନିୟୋଜିତତା ବନ୍ୟପ୍ରାଣୀ ସଂରକ୍ଷଣକୁ ସୁଦୃଢ଼ କରିଛି । ସ୍ଥାନୀୟ ସମ୍ପ୍ରଦାୟ ଅଭୟାରଣ୍ୟ ଏବଂ ଏହାର ସୁରକ୍ଷାର ମାଲିକାନା ନେଇଛନ୍ତି । ସମ୍ପ୍ରଦାୟ ଇକୋଟୁରିଜିମ୍ ଜଙ୍ଗଲ ଉପରେ ର୍ନିଭରଶୀଳ ଅନେକଙ୍କୁ ଆର୍ଥିକ ଲାଭ ଦେଇ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିଛି । (ତଥ୍ୟ)