Home News in Odia ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ନୁହେଁ

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ନୁହେଁ

ଭୁବନେଶ୍ୱର : ଓଡିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ବିଭିନ୍ନ ନିଗମ, ଏକାଡେମୀ, ବୋର୍ଡ ସମେତ ଅନ୍ୟ ସରକାରୀ ପଦ ପଦବୀରେ ରାଜନୈତିକ ଥଇଥାନ ଏବଂ ସର୍ବୋପରି ରାଜ୍ୟ ବିଜେପି ସଂଗଠନର କର୍ମକର୍ତ୍ତା ନିଯୁକ୍ତି ଅନ୍ତତଃ ମାସକ ମଧ୍ୟରେ ହେବାର ସମ୍ଭାବନୀ କ୍ଷୀଣ ।

ଆଗାମୀ ଜୁନ୍‍ ୧୨ତାରିଖରେ ମୋହନ ଚରଣ ମାଝୀଙ୍କ ସରକାରର ବର୍ଷପୂର୍ତ୍ତି ଉତ୍ସବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବାର ସମ୍ଭାବନା ଅଛି । ଏଥିପାଇଁ ଏବେ ଠାରୁ ସରକାରୀ ଓ ଦଳୀୟ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏହାଛଡା ପାକ୍‍ ଆତଙ୍କବାଦୀଙ୍କୁ ଜବାବ ଦେବାଲାଗି ଭାରତୀୟ ଜବାନମାନେ ସଫଳତାର ସହ ଅପରେସନ ସିନ୍ଦୁର କରିଥିବା ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ପରାକ୍ରମ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଚାଲିଛି । ଏଥିରେ ବି ସରକାରୀ ଅଧିକାରୀମାନଙ୍କ ସମେତ ରାଜ୍ୟର ମନ୍ତ୍ରୀ ଓ ଦଳୀୟ କର୍ମକର୍ତ୍ତାମାନେ ସାମିଲ ହେଉଛନ୍ତି ।

ଇତି ମଧ୍ୟରେ କଂଗ୍ରେସ ଓ ବିଜେଡି ସେମାନଙ୍କର ରାଜ୍ୟଶାଖା ସଂଗଠନର କର୍ମକର୍ତ୍ତା ଘୋଷଣା କରିସାରିଛନ୍ତି । ଛଅମାସ ହେବ ବିଜେପି ରାଜ୍ୟ ସଂଗଠନର କର୍ମକର୍ତ୍ତା ଘୋଷଣା ହେବ ହେବ ବୋଲି ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ଚାଲୁଛି । ସେହିଭଳି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଆଉ ଛଅ ଜଣ ମନ୍ତ୍ରୀଙ୍କୁ ନିଆଯିବାର ସମ୍ଭାବନା ଥିବା ଦୃଷ୍ଟିରୁ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବବୋଲି ବି ଚର୍ଚ୍ଚା ଜାରି ରହିଛି ।

ବିଜେପିର ଏବଂ ଏହି ଦଳକୁ ସମର୍ଥନ ଦେଇ ଆସୁଥିବା ବହୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମ, କମିଶନ, ବୋର୍ଡ, ଏକାଡେମୀ ଆଦିରେ ଥଇଥାନ ହେବେ ବୋଲି ପାଖାପାଖି ବର୍ଷେ ହେବ ଲବି ଚଳାଇ ଆସିଛନ୍ତି । ସେମାନଙ୍କ ଭିତରୁ ଅନେକଙ୍କର ଧୈର୍ଯ୍ୟ ବନ୍ଧ ଭାଙ୍ଗିବାକୁ ଯାଉଛି । ଇତି ମଧ୍ୟରେ ବିଜେପିର କେନ୍ଦ୍ରୀୟ ସଭାପତି ଜେ ପି ନଡ୍ଡା ଓଡିଶା ଗସ୍ତରେ ଆସି ସ୍ପଷ୍ଟ ବାର୍ତ୍ତା ଦେଇଯାଇଛନ୍ତି ଯେ କେଉଁ ବ୍ୟକ୍ତି ପଦ ପଦବୀରେ ରହିବେ, ନରହିବେ ତାହା ବଡକଥା ନୁହେଁ, ବଡକଥା ହେଉଛି ବିଜେପି ସରକାର ଓଡିଶାରେ ଦୀର୍ଘବର୍ଷ ଧରି କିଭଳି ସଫଳତାର ସହ କାମ କରିବ ସେ ଦିଗରେ ଦଳର ସମସ୍ତ ନେତା ଓ କର୍ମୀ ସମର୍ପିତ ଭାବନେଇ କାମ କରିବା ଆବଶ୍ୟକ ।

ପୂର୍ବରୁ କୁହାଯାଉଥିଲା ଯେ ବିଧାନସଭା ଅଧିବେଶନ ପରେ ପରେ ସରକାର ଓ ସଂଗଠନରେ ନିଯୁକ୍ତି ଦିଆଯିବ ବୋଲି । ଅନ୍ତତଃ ପକ୍ଷେ ଓଡିଶାରେ ବିଜେପି ସରକାର ବର୍ଷ ପୂର୍ତ୍ତି କରିବା ପୂର୍ବରୁ ଏଭଳି ନିଯୁକ୍ତି ମିଳିଯିବ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଚାଲୁଥିଲା । ଏବେ କିନ୍ତୁ ଅପରେସନ ସିନ୍ଦୁରକୁ ନେଇ ଚାଲିଥିବା ପରାକ୍ରମ ସମାବେଶ ଓ ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ପାଳନ ନେଇ ଜୋରଦାର ପ୍ରସ୍ତୁତି ଚାଲୁଥିବାରୁ ରାଜନୈତିକ ନିଯୁକ୍ତି ଚର୍ଚ୍ଚା କାଲୁଆ ପଡିଯାଇଛି ।

ରାଜ୍ୟ ବିଜେପି ସଂଗଠନରେ ପରିବର୍ତ୍ତନ ହେବ କି ନାହିଁ, ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ସହ ନୂଆ ମନ୍ତ୍ରୀ ନିଯୁକ୍ତ ହେବେ କି ନାହିଁ ଏବଂ ସରକାରୀ ପଦ ପଦବୀରେ କେଉଁ ନେତାମାନେ ଥଇଥାନ ହେବେ କି ନାହିଁ, ସେଥିଘେନି ଦଳର କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନ ଦାୟିତ୍ୱରେ ଥିବା ନେତାମାନେ ନିର୍ଦ୍ଦିଷ୍ଟ ଭାବେ କିଛି ଘୋଷଣା କରିପାରୁନଥିବାବେଳେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଆଯିବ ବୋଲି କିନ୍ତୁ କୁହାଯାଉଛି । (ତଥ୍ୟ)