Home General ପୁରୀଠାରୁ ୧୫ଗୁଣା ଅଧିକ ଶ୍ରୀମନ୍ଦିର ଜମି

ପୁରୀଠାରୁ ୧୫ଗୁଣା ଅଧିକ ଶ୍ରୀମନ୍ଦିର ଜମି

ଭୁବନେଶ୍ୱର : ପୁରୀ ସହରର କ୍ଷେତ୍ରଫଳ ଯେତେ ତାହାର ୧୫ଗୁଣରୁ ଅଧିକ ଜମି ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ରହିଛି । କିନ୍ତୁ ଏଗୁଡିକର ଠିକଣା ଭାବେ ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଅନେକ ଜମି ଜବରଦଖଲକାରୀଙ୍କ କବଜାରେ ଥିବାବେଳେ ଆଉ କେତେକ ଜମିରୁ ଗଛ କାଟି ଓ ଲଘୁ ଖଣିଜ ସମ୍ପଦ ଲୁଟି ମାଫିଆମାନେ ମାଲେମାଲ ହେଉଛନ୍ତି ।

ପୁରୀ ସହରର କ୍ଷେତ୍ରଫଳ ପ୍ରାୟ ୧୭ ବର୍ଗକିଲୋମିଟର ଅଞ୍ଚଳ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଏଯାବତ୍‍ ଚିହ୍ନିତ ହୋଇଛି ୬୦,୪୧୮ ଏକର ଜମି, ଯାହା ପ୍ରାୟ ୨୪୫ ବର୍ଗକିଲୋମିଟର ସହିତ ସମାନ ।

ସରକାରୀ ତଥ୍ୟ ମୁତାବକ ରାଜ୍ୟର ୨୩ଟି ଜିଲ୍ଲାରେ ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ୬୦,୪୧୮ ଏକର ପରିମିତ ଜମି ରେକର୍ଡ ହୋଇଛି । ଏଥି ମଧ୍ୟରୁ ମନ୍ଦିର ପ୍ରଶାସନ ନିକଟରେ ୩୪ହଜାର ଏକରରୁ କମ୍‍ ଜମିର ସଂଶୋଧିତ ସତ୍ୱଲିପି ରହିଥିବାବେଳେ ଆଉ ପ୍ରାୟ ୨୫ହଜାର ଏକର ଜମିର ସତ୍ୱଲିପି ଖୋଜା ଚାଲିଛି ।

ବିଭିନ୍ନ ସମୟରେ ରାଜା, ଜମିଦାର ଓ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ଶ୍ରୀମନ୍ଦିର ପାଇଁ ଏହି ଜମି ଦାନକରି ଆସିଛନ୍ତି । କିନ୍ତୁ ସମସ୍ତ ଜମିର ସୁରକ୍ଷା କରିବା ପରିବର୍ତ୍ତେ ଦିଅଁଙ୍କୁ ଖାଇ ଖଟୁଲି ଖାଇବା ନୀତିରେ ଅନେକ ଲୋକ ଏହି ଠାକୁରଙ୍କ ଜମି ମାଡି ବସିଛନ୍ତି । କେବଳ ଓଡିଶା ଭିତରେ ନୁହେଁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ପାଖପାଖି ୪୦୦ ଏକର ଜମି ଶ୍ରୀମନ୍ଦିରର ରହିଥିବା ଚିହ୍ନଟ ହୋଇଛି । ଏହାଛଡା ଆଉ କେତେ ପରିମାଣର ଜମି ଯେ ଚିହ୍ନଟ ହୋଇନାହିଁ ସେ ସଂକ୍ରାନ୍ତରେ ସମସ୍ତେ ନିରବ ।

ଶ୍ରୀମନ୍ଦିର ପାଇଁ ଯେତେ ପରିମାଣର ଜମି ରହିଛି ସେଗୁଡିକର ଠିକଣା ଉପଯୋଗ କରାଯାଇ ପାରିଲେ ମନ୍ଦିର ପ୍ରଶାସନ ପ୍ରତିବର୍ଷ କୋଟି କୋଟି ଟଙ୍କା ପାଇପାରନ୍ତା । କିନ୍ତୁ ଏ ଦିଗରେ ଯେଭଳି ଧ୍ୟାନ ଦିଆଯିବା କଥା ତାହା ଏଯାବତ୍‍ ଦିଆଯାଇ ପାରୁନାହିଁ । ସରକାରୀ ତଥ୍ୟ ମୁତାବକ ଖୋରଧା ଜିଲ୍ଲାରେ ପ୍ରାୟ ୧୩ହଜାର ଓ ପୁରୀ ଜିଲ୍ଲାରେ ୭ହଜାର ଏକର ଜମିର ସତ୍ୱଲିପି ଏଯାବତ୍‍ ଶ୍ରୀମନ୍ଦିର ପ୍ରଶାସନକୁ ମିଳିନାହିଁ । ଭଦ୍ରକ ଜିଲ୍ଲାରେ ବି ହଜାରେ ଏକରରୁ ଅଧିକ ଜମିର ସତ୍ୱଲିପି ଖୋଜା ଚାଲିଛି । ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତ୍‍ସିଂହପୁର, ନୟାଗଡ,ଗଞ୍ଜାମ, ବରଗଡ, ସମ୍ବଲପୁର, ବଲାଙ୍ଗିର ଗଜପତି, ରାୟଗଡା, କଳାହାଣ୍ଡି, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ସୁବର୍ଣ୍ଣପୁର ଓ କୋରାପୁଟ ଜିଲ୍ଲାରେ ବି ବ୍ୟାପକ ଭୂସମ୍ପତ୍ତିର ସତ୍ୱଲିପି ମିଳୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ କେବଳ ଖୋରଧା ଜିଲ୍ଲାରେ ଶ୍ରୀମନ୍ଦିର ପ୍ରଶାସନ ନାମରେ ପାଖପାଖି ୩୦ହଜାର ଏକର ଜମି ଠାବ କରାଯାଇଥିବାବେଳେ ପୁରୀ ଜିଲ୍ଲାରେ ପ୍ରାୟ ୧୭ହଜାର, ଭଦ୍ରକରେ ୩ହଜାର, କେନ୍ଦ୍ରାପଡାରେ ହଜାରେ, ଗଞ୍ଜାମରେ ୨୮୦୦ ଏକର ଜମି ଚିହ୍ନିତ ହୋଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ନାମରେ ଖଞ୍ଜା ଯାଇଥିବା ସମ୍ପୂର୍ଣ୍ଣ ଜମିର ସତ୍ୱଲିପି କାହିଁକି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ନାହିଁ ଏବଂ ସତ୍ୱଲିପି ଥିବା ଓ ନଥିବା ଯେତେସବୁ ଜମିରୁ ଶ୍ରୀମନ୍ଦିର ପ୍ରଶାସନ ରୋଜଗାର ପାଉନାହିଁ ଏବଂ ଯେଉଁଗୁଡିକ ଜବରଦଖଲକାରୀଙ୍କ କବଜାରେ ରହିଛି ସେଗୁଡିକୁ ରାଜ୍ୟ ବାହାରର ୬ଟି ପ୍ରଦେଶ ଓ ରାଜ୍ୟ ଭିତରର ୨୩ଟି ଜିଲ୍ଲାରେ ତହସିଲଦାରମାନଙ୍କ ମାଧ୍ୟମରେ ସହଜରେ ଚିହ୍ନଟ କରାଯାଇ ଜବରଦଖଲମୁକ୍ତ କରାଯାଇ ପାରିବ । ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଭକ୍ତ ମହଲରେ ଶ୍ରୀମନ୍ଦିର ସମ୍ପତ୍ତି ଘେନି ବାରମ୍ବାର ଉଦବେଗପ୍ରକାଶ କରାଯାଉଥିଲେ ମଧ୍ୟ ଏହାର ସଂରକ୍ଷଣ ଓ ବିକାଶ କରିବ କିଏ ? (ତଥ୍ୟ)