Home News in Odia ବିଳମ୍ବିତ ରେଳ ଚଚଳାଚଳ ପାଇଁ ଯାତ୍ରୀ ହନ୍ତସନ୍ତ

ବିଳମ୍ବିତ ରେଳ ଚଚଳାଚଳ ପାଇଁ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ଲଗାତାର ଭାବେ କିଛିମାସ ଧରି ରେଳ ଚଳାଚଳରେ ସମୟାନୁବର୍ତ୍ତିତା ରହୁନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଖଡଗପୁର ଦେଇ ଓଡିଶାକୁ ଯାତାୟତ କରୁଥିବା ଯାତ୍ରୀବାହୀ ରେଳଗୁଡିକ ମଧ୍ୟରୁ ଅଧିକାଂଶ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଏଭଳି ସମସ୍ୟା ଉପୁଜୁଛି ।

ପୁରୀ, ଭୁବନେଶ୍ୱର ପଟୁ ଖଡଗପୁର ଆଡକୁ ଯାତାୟତ କରୁଥିବା ଅନେକ ଏକ୍ସପ୍ରେସ୍‍ ରେଳରେ ଏହି ଦୁରବସ୍ଥା ଦେଖାଯାଉଥିବାବେଳେ ପାସେଞ୍ଜର ଗାଡିଗୁଡିକର ସମସ୍ୟା କହିଲେ ନସରେ । ଏହି କାରଣ ଯୋଗୁଁ ବାଲେଶ୍ୱରରୁ ଭୁବନେଶ୍ୱର ମଧ୍ୟରେ ଯାତାୟତ କରୁଥିବା ଅନେକ ଯାତ୍ରୀବାହୀ ରେଳଗାଡି ବି ସିଗ୍ନାଲ ଟ୍ରାଫିକ ପାଉନଥିବାରୁ ବାଟରେ ଅଟକି ରହୁଛନ୍ତି ।

ଭୁବନେଶ୍ୱରରୁ ହାଓଡା ମଧ୍ୟରେ ଯାତାୟତ କରୁଥିବା ଶତାବ୍ଦୀ ଓ ଜନଶତାବ୍ଦୀ ଭଳି ଜନପ୍ରିୟ ରେଳଗୁଡିକ ଆଗରୁ ସେମାନଙ୍କ ସମୟାନୁବର୍ତ୍ତିତା ପାଇଁ ବେଶ୍‍ ଆଦୃତ ହେଉଥିଲେ । ଏହି ରେଳଗୁଡିକ ଉପରେ ଭରସା କରି ଲୋକେ ନିର୍ଦ୍ଧାରିତ ସମୟରେ କାମ ସାରି ଠିକଣା ଜାଗାରେ ପହଞ୍ଚିବାରେ ଅସୁବିଧା ହେଉନଥିଲା । ଏବେ କିନ୍ତୁ ଶତାବ୍ଦୀ ଏକ୍ସପ୍ରେସ୍‍ ଅନେକ ସମୟରେ ୫/୭ ଘଣ୍ଟା ବିଳମ୍ବରେ ଚାଲୁଛି । କେବଳ ଶତାବ୍ଦୀ ଏକ୍ସପ୍ରେସ୍‍ ନୁହେଁ, ଖଗଡପୁର ଦେଇ ଓଡିଶା ଆସୁଥିବା ଅଧିକାଂଶ ରେଳଗାଡି ପ୍ରାୟତଃ ବିଳମ୍ବରେ ଚାଲୁଛି ।

ଗତ ଦୁଇଦିନ ଧରି ହାଓଡାରୁ ଭୁବନେଶ୍ୱର ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ୍‍ର ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସଂଧ୍ୟା ୫ଟା ୨୦ ମିନିଟ୍‍ରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଛାଡିବାକୁ ଥିବା ଶତାବ୍ଦୀ ଏକ୍ସପ୍ରେସ୍‍ କେଉଁଦିନ ୬ଘଣ୍ଟା ତ ଆଉ କେଉଁଦିନ ୭/୮ ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିଯୋଗୁଁ ଅନେକ ଯାତ୍ରୀ ଟିକଟ ବାତିଲ କରି ବସ୍‍ ଓ ଅନ୍ୟାନ୍ୟ ମାଧ୍ୟମରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ଯାତ୍ରୀମାନଙ୍କର ଅନ୍ୟ ବିକଳ୍ପ ନାହିଁ ସେମାନେ ବାଲେଶ୍ୱର, ଭଦ୍ରକ, ଯାଜପୁରରେରାଡ ଆଦି ଷ୍ଟେସନରେ ଭୁବନେଶ୍ୱର ଆସିବାପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷାକରି ରାତିରେ ମଶା ଡାଆଁଶଙ୍କ ଆକ୍ରମଣର ଶିକାର ହେଉଛନ୍ତି ।

ରାତି ୯ଟା ପୂର୍ବରୁ ହାଓଡା ଭୁବନେଶ୍ୱର ଶତାବ୍ଦୀ ଏକ୍ସପ୍ରେସ୍‍ ଭୁବନେଶ୍ୱରରେ ପହଞ୍ଚି ଯାଉଥିଲା । ଏବେ କିନ୍ତୁ ଏହା ତା’ ପରଦିନ ସକାଳ ୫/୬ଟାରେ ପହଞ୍ଚୁଛି । ବିଶେଷକରି ରାତି ଅଧରେ ଯେଉଁମାନେ ହାଓଡା, ଖଡଗପୁର ଆସି ବାଲେଶ୍ୱର, ଭଦ୍ରକ ଆଦିରେ ଓହ୍ଲାଉଛନ୍ତି ବିଳମ୍ବିତ ରାତ୍ରୀରେ ନିଜ ଘରକୁ ଫେରିବାକୁ ନିରାପଦ ମଣୁନାହାନ୍ତି । ଏଥିପାଇଁ ବିଭିନ୍ନ ରେଳଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ଓ ରେଳରୁ ଓହ୍ଲାଉଥିବା ଯାତ୍ରୀମାନେ ପ୍ଲାଟଫର୍ମରେ ପ୍ରତିକୂଳ ପରିବେଶ ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଯାତ୍ରୀ ବିଶ୍ରାମାଗାରଗୁଡିକ ଅତ୍ୟଧିକ ଗହଳି ହେଉଛି । ଏହାଛଡା ଯାତ୍ରୀମାନଙ୍କ ଖାଦ୍ୟପେୟରେ ସମସ୍ୟା ଉପୁଜୁଛି । ବିଳମ୍ବିତ ଗାଡିଚାଳନା ଯୋଗୁଁ ମହିଳା ଓ ଶିଶୁମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏବଂ ତିନି ଘଣ୍ଟାର ଯାତ୍ରା ପାଇଁ ଅନେକଙ୍କୁ ରାତିସାରା ଅନିଦ୍ରା ହେବାକୁ ପଡୁଛି ।

ଭାରତୀୟ ରେଳ ସେବାର ସମୟାନୁବର୍ତ୍ତିତା ଏକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ । ରେଳସେବାର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେବା ସହିତ ବହୁତ ଷ୍ଟେସନର ଉନ୍ନତିକରଣ କରୁଛନ୍ତି । କିନ୍ତୁ କର୍ତ୍ତୃପକ୍ଷ ରେଳଗାଡିଗୁଡିକ ଯେଭଳି ଘୋଷିତ ସମୟ ସରଣୀ ଅନୁଯାୟୀ ନିରାପଦରେ ଚଳାଚଳ କରିବେ ତାହା ଉପରେ ସେତେଟା ଧ୍ୟାନ ଦେଉନାହାନ୍ତି ବୋଲି ବହୁ ଯାତ୍ରୀ ଖୋଲା ଅଭିଯୋଗ କରୁଛନ୍ତି । (ତଥ୍ୟ)